ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ଶୁକ୍ରବାର ଦିନ ନିଜର ଧର୍ମନିରପେକ୍ଷ ନୀତି ପ୍ରତି ପୁନର୍ବାର ପ୍ରତିଶ୍ରୁତି ଦେଇଛି। ଏହି କଥା ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି। ନବୀନ ନିବାସରେ ଦଳର ସଭାପତିଙ୍କ ସହ ବୈଠକ ପରେ ସେ କହିଛନ୍ତି ଯେ ବିଜେଡି କୌଣସି ରାଷ୍ଟ୍ରୀୟ ମେଣ୍ଟରେ ନାହିଁ, ନା ଏନଡିଏରେ ନା ଇଣ୍ଡି ମେଣ୍ଟରେ। ତାଙ୍କ ମତରେ, ରାଜ୍ୟର ସ୍ୱାର୍ଥ ସର୍ବାଗ୍ରେ।
ଏହି ବୈଠକରେ ସାଙ୍ଗଠନିକ ପ୍ରସଙ୍ଗ ସହ ଓ୍ଵାକଫ ସଂଶୋଧନ ବିଲ୍ ଉପରେ ମଧ୍ୟ ଆଲୋଚନା ହୋଇଛି। ଦିନ ଆରମ୍ଭରେ ଶଙ୍ଖ ଭବନରେ ବିଜେଡିର ଉପଦେଷ୍ଟା କମିଟି ବୈଠକ ହୋଇଥିଲା। ପରେ ସନ୍ଧ୍ୟାରେ ନବୀନ ନିବାସରେ ବରିଷ୍ଠ ନେତାମାନେ ଏକତ୍ରିତ ହୋଇଥିଲେ। ରଜନୀକାନ୍ତ ସିଂହ, ଶଶୀ ଭୂଷଣ ବେହେରା, ନୃସିଂହ ସାହୁ, ପ୍ରସନ୍ନ ଆଚାର୍ଯ୍ୟ ଓ ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଓ୍ଵାକଫ ସଂଶୋଧନ ବିଲ୍ ଉପରେ ବିଜେଡି ସାଂସଦମାନେ କିପରି ଭୋଟ୍ ଦେଲେ, ତାହା ମୁଖ୍ୟ ଆଲୋଚନାର ବିଷୟ ଥିଲା। ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ବିଜେଡି ସବୁବେଳେ ଧର୍ମନିରପେକ୍ଷ ରହିଆସିଛି ଏବଂ ଭବିଷ୍ୟତରେ ମଧ୍ୟ ରହିବ। ଦଳର ମୂଳ ଆଦର୍ଶ କେବେ ବଦଳି ନାହିଁ ଓ ବଦଳିବ ନାହିଁ। କମିଟିର ସମସ୍ତ ସଦସ୍ୟ ନିଜ ମତ ଦଳର ନେତାଙ୍କୁ ଜଣାଇଛନ୍ତି।
ସେ ଆହୁରି କହିଛନ୍ତି ଯେ ବିଜେଡିରେ ବିଭିନ୍ନ ଅଞ୍ଚଳ ଓ ସମାଜର ନେତା ରହିଛନ୍ତି। ସଭାପତି ସମସ୍ତଙ୍କ ସହ ବିସ୍ତୃତ ଆଲୋଚନା କରୁଛନ୍ତି।
ଉଲ୍ଲେଖଯୋଗ୍ୟ, ଏହି ବିଲକୁ ନେଇ ବିଜେଡି ପ୍ରଥମେ ଘୋଷଣା କରିଥିଲା ଯେ ବିରୋଧ କରିବ । ପରେ ନିଜ ବିବେକ ଅନୁସାରେ ସାଂସଦମାନେ ଭୋଟ୍ ଦେଇପାରିବେ ବୋଲି ଦଳର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଟୁଇଟ୍ କରି କହିଥିଲେ । ଯାହାକୁ ଦଳର ଅନ୍ୟତମ ସାଂସଦ ଦେବାଶିଷ ସାମନ୍ତରାୟ ବିରୋଧ କରି ଭୋଟ ଦାନରୁ ନିଜକୁ ନିବୃତ ରଖିଥିଲେ । ସେହିପରି ମୁନ୍ନା ଖାଁ ବିଲକୁ ବିରୋଧ କରି ଭୋଟ୍ ଦେଇଥିବା କୁହାଯାଉଛି ।
ନିକଟରେ କେନ୍ଦ୍ର ସରକାର ବିରୋଧରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ବିରୋଧୀଙ୍କ ବୈଠକରେ ନବୀନ ପଟ୍ଟନାୟଙ୍କ ନେତୃତ୍ୱାଧୀନ ବିଜେଡିର ନେତା ଚେନ୍ନାଇରେ ଡିଲିମିଟେସନ ବୈଠକରେ ଯୋଗ ଦେଇଥିଲେ । ରାଜ୍ୟରେ ଓ କେନ୍ଦ୍ରରେ ବିଜେପି କ୍ଷମତାରେ ରହିଛି । ଏପରି ସ୍ଥିତିରେ ଲୋକସଭାରେ ଶୂନ ହୋଇଯାଇଥିବା ଏହି ଦଳ ରାଜ୍ୟସଭାରେ ପ୍ରମୁଖ ବିରୋଧୀ ସାଜିବ ବୋଲି କହିଆସୁଛି । ହେଲେ ଓ୍ଵାକଫ ସଂଶୋଧନ ବିଲର ଭୋଟ୍ ପୂର୍ବରୁ ଦଳର ଆଭିମୁଖ୍ୟ ବିଜେପି ପ୍ରତି ବିଜେଡିର ଦୁର୍ବଳତା ରହିଛି ବୋଲି ଚର୍ଚ୍ଚା ହେଉଛି ।
Comments are closed.