ଭୁବନେଶ୍ୱର: ଆମ ବସ୍ ଟିକେଟରେ ରିହାତି ପାଇଁ ଏଣିକି ବୟସ୍କ ବ୍ୟକ୍ତିଙ୍କୁ ଦେଖାଇବାକୁ ପଡ଼ିବ ବୟସ ପ୍ରମାଣ ପତ୍ର। ନହେଲେ କରିବାକୁ ପଡିବ ପୁରା ପେମେଣ୍ଟ। ଏନେଇ କଡ଼ା ନିୟମ କଲା କ୍ରୁଟ୍। ବାଧ୍ୟତାମୂଳକ କଲା ଆମ ବସରେ ବୟସ ପ୍ରମାଣ ପତ୍ର।
ତେବେ ଗୁରୁବାର ସନ୍ଧ୍ୟା ପ୍ରାୟ ୮:୩୦ ବେଳେ, ଯଦୁପୁରରୁ ରାଜଧାନୀ ଇଞ୍ଜିନିୟରିଂ କଲେଜ ଯାଉଥିବା ଆମ ବସ ରୁଟ୍ ନଂ ୨୬ ରେ ଏକ ସାମାନ୍ୟ ଘଟଣାରୁ ବରିଷ୍ଠ ଯାତ୍ରୀଙ୍କ ଦୁର୍ବ୍ୟବହାର ଦେଖିବାକୁ ମିଳିଥିଲା। ଯାହାକୁ ନେଇ ତାର ନିୟମକୁ ପୁନଶ୍ଚ ଦୋହରାଇଛି କ୍ରୁଟ୍।
କ୍ରୁଟ୍ ନୀତି ଅନୁଯାୟୀ, ବରିଷ୍ଠ ଯାତ୍ରୀଙ୍କ ଟିକେଟ ମୂଲ୍ୟରେ ରିହାତି ନିମନ୍ତେ ବୈଧ ବୟସ ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ। ଯଦି ଯଥୋଚିତ ପରିଚୟପତ୍ର ନଥିବ, ତେବେ ଗାଇଡ୍ ନିୟମ ଅନୁସାରେ ପୂର୍ଣ୍ଣ ଟିକେଟ ମୂଲ୍ୟ ନେବେ। ତେଣୁ ଯାତ୍ରା ସମୟରେ ବୈଧ ବୟସ ପ୍ରମାଣ ପତ୍ର ବିନା କୌଣସି ରିହାତି ପ୍ରଦାନ କରାଯିବ ନାହିଁ।
ସେଭଳି କର୍ମଚାରୀମାନଙ୍କୁ ସେମାନଙ୍କ କାର୍ଯ୍ୟରେ ସହଯୋଗ କରି ଯାତ୍ରା ସମୟରେ ବସ୍ ମଧ୍ୟରେ ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ ଓ ସମ୍ମାନଜନକ ପରିବେଶ ରକ୍ଷା କରିବାରେ ସହଭାଗୀ ହେବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି କ୍ରୁଟ୍।