Latest Odisha News

BREAKING NEWS

‘ଦୂରଦର୍ଶନ ସମାଚାର’ର ପୂର୍ବତନ ବାର୍ତ୍ତା ସମ୍ପାଦକ ଶ୍ରୀନିବାସ ମିଶ୍ରଙ୍କ ନିଧନ

ଭୁବନେଶ୍ୱର: ଭାରତୀୟ ସୂଚନା ସେବାର ସେବାନିବୃତ୍ତ ବରିଷ୍ଠ ଅଧିକାରୀ ତଥା ଭୁବନେଶ୍ୱର ‘ଦୂରଦର୍ଶନ ସମାଚାର’ ବିଭାଗର ପୂର୍ବତନ ବାର୍ତ୍ତା ସମ୍ପାଦକ ଶ୍ରୀନିବାସ ମିଶ୍ରଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି।

ଗତ କିଛି ଦିନ ହେଲା ସେ ଅସୁସ୍ଥ ରହି ଚିକିତ୍ସିତ ହେଉଥିଲେ।  ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଦୂରଦର୍ଶନ, ଆକାଶବାଣୀ, କ୍ଷେତ୍ର ପ୍ରଚାର ନିର୍ଦ୍ଦେଶାଳୟ ଆଦିରେ ଉଚ୍ଚ ପଦବୀରେ କାର୍ଯ୍ୟ କରି ସେ ୨୦୧୦ ମସିହାରେ ଅବସର ନେଇଥିଲେ।

ସ୍ବର୍ଗତଃ ଶ୍ରୀନିବାସ ମିଶ୍ର ଦିଲ୍ଲୀସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମାସ୍ କମୁନିକେସନ୍ ରୁ ଉପାଧିତ୍ୟୁର ଡିଗ୍ରୀ ହାସଲ କରିଥିଲେ । ଭାରତ ସରକାରଙ୍କ ରକ୍ଷା ବିଭାଗର ଇଂରାଜୀ ଭାଷାରେ ପ୍ରକାଶିତ ମୁଖପତ୍ର “ସୈନିକ ସମାଚାର” ର ଓଡ଼ିଆ ସଂସ୍କରଣ ତାଙ୍କ ସମ୍ପାଦନାରେ ପ୍ରଥମଥର ପ୍ରକାଶିତ ହୋଇଥିଲା। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ ମାସ୍ କମ୍ୟୁନକେଶନ୍, ଢେଙ୍କାନାଳ କଲେଜର ଅଧ୍ୟାପକ ଭାବରେ କାର୍ଯ୍ୟରତ ସମୟରେ କଲେଜର ଆନୁସଙ୍ଗିକ ଉନ୍ନତି କରାଇଥିଲେ। ଭାରତୀୟ ସୂଚନା ସେବାର ଜଣେ ଦକ୍ଷ ଅଧିକାରୀ ଭାବରେ ସେ ତାଙ୍କର କର୍ତ୍ତବ୍ୟନିଷ୍ଠ କାର୍ଯ୍ୟ ପାଇଁ ଅନେକଥର ସମ୍ମାନିତ ହୋଇଛନ୍ତି।

ସେ ଜଣେ ଦକ୍ଷ କ୍ରୀଡ଼ାବିତ ମଧ୍ୟ ଥିଲେ। ଛାତ୍ରାବସ୍ଥାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳର ସେ ସ୍ପୋର୍ଟ୍ସ ଚାମ୍ପିୟନ ଥିଲେ। ବିଗତ ବହୁ ବର୍ଷଧରି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଗରିବ ଛାତ୍ରମାନଙ୍କୁ ସେ ଫୁଟବଲ୍ ନିଃଶୁଳ୍କ ତାଲିମ୍ ଦେଇଆସୁଥିଲେ। ସେମାନଙ୍କ ମଧ୍ୟରୁ କିଛି ଛାତ୍ର ଦେଶ ବିଦେଶରେ ସୁନାମ ଅର୍ଜିଛନ୍ତି। ଗରିବ ଏବଂ ଅବହେଳିତ ଲୋକମାନଙ୍କୁ ସହାୟତା ଯୋଗାଇ ଦେବାପାଇଁ ସେ ଭୁବନେଶ୍ୱରର ନିଳାଦ୍ରୀ ବିହାରଠାରେ “ଇଶାନେଶ୍ୱର ବସ୍ତିଉନ୍ନୟନ ଟ୍ରଷ୍ଟ” ନାମରେ ଏକ ଆଶ୍ରମ ନିର୍ମାଣ କରିଛନ୍ତି।

ସେ ଜଣେ ସୁବକ୍ତା, ସୁଗାୟାକ, ଏବଂ ଚିତ୍ରଶିଳ୍ପୀ ଭାବେ ପରିଚିତ। ପ୍ରସିଦ୍ଧ ବଲିଉଡ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ ସେ ସାନ ଭାଇ ଅଟନ୍ତି। ତାଙ୍କ ବିୟୋଗରେ ଭାରତୀୟ ସୂଚନା ସେବାର ଅଧିକାରୀ ଏବଂ ମନ୍ତ୍ରଣାଳୟ କର୍ମଚାରୀମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।

 

Comments are closed.