ଭୁବନେଶ୍ବର: ୨୦୨୩ ଗ୍ରାମୀଣ ଡାକ ସେବକ (ଜିଡିଏସ) ନିଯୁକ୍ତି ଠକେଇ ମାମଲାର ତଦନ୍ତକୁ ନେଇ ଆଜି ସିବିଆଇ ରାଜ୍ୟର ପାଞ୍ଚଟି ଜିଲ୍ଲାର ୧୨ଟି ସ୍ଥାନରେ ବ୍ୟାପକ ଯାଞ୍ଚ ଚଳାଇଛି। ୨୦୨୩ ଜିଡିଏସ ନିଯୁକ୍ତି ପ୍ରକ୍ରିୟା ସମୟରେ କିଛି ପ୍ରାର୍ଥୀ ଚାକିରି ପାଇବା ପାଇଁ ଜାଲ୍ ମାଟ୍ରିକ୍ ସାର୍ଟିଫିକେଟ୍ ଦାଖଲ କରିଥିବା ନେଇ ମେ’ ୨୦୨୩ରେ ସିବିଆଇ ଦ୍ୱାରା ଏହି ମାମଲା ପଞ୍ଜିକୃତ କରାଯାଇଥିଲା।
ସୂଚନାଥାଉକି, ଭୁବନେଶ୍ୱର, କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର ଏବଂ କେନ୍ଦୁଝର ଜିଲ୍ଲାରେ ସିବିଆଇା ଯାଞ୍ଚ କରାଯାଇଛି । ଏହି ଯାଞ୍ଚ ଅଭିଯାନରେ ଠକେଇରେ ଜଡିତ ବ୍ୟକ୍ତିବିଶେଷଙ୍କ ଘର, ମଧ୍ୟସ୍ଥି ଏବଂ ଉତ୍ତର ପ୍ରଦେଶ ବୋର୍ଡ ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲିଂ(ଏନଆଇଓଏସ)ର ଜାଲ୍ ମାଟ୍ରିକ୍ ସାର୍ଟିଫିକେଟ୍ ତିଆରି କରିବାରେ ନିୟୋଜିତ ଥିବା ଅଭିଯୁକ୍ତଙ୍କ ଘରକୁ ଟାର୍ଗେଟ କରାଯାଇଛି।
ଯାଞ୍ଚବେଳେ ଠକେଇ କାର୍ଯ୍ୟକଳାପ ସମ୍ବନ୍ଧିତ ଅନେକ ଅପରାଧିକ କାଗଜପତ୍ର ଏବଂ ଲେଖା ଉଦ୍ଧାର କରାଯାଇଛି। ସିବିଆଇ ୩୦ ଡିସେମ୍ବର ୨୦୨୪ରେ ୫୫ ଜଣ ପ୍ରାର୍ଥୀ ଏବଂ ତିନି ଜଣ ମଧ୍ୟସ୍ଥି ସମେତ ୫୮ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଭୁବନେଶ୍ୱର ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିସାରିଛି। ଏପଟେ ମାଷ୍ଟରମାଇଣ୍ଡମାନଙ୍କୁ ଚିହ୍ନଟ କରିବା ପାଇଁ ଅଧିକ ତଦନ୍ତ ଜାରି ରହିଛି।
Comments are closed.