Latest Odisha News

BREAKING NEWS

ବାପା, ମାଆ ସିଟରେ ଲଢ଼ିବେ ପୁଅ

ଭୁବନେଶ୍ୱର: ବାପା ଲଢୁଥିଲେ । ଏବେ ମୈଦାନରେ ପୁଅ । ରାଜ୍ୟର କିଛି ଭେଟେରାନ ଓ ହେଭିୱେଟ ନେତାଙ୍କ ପୁଅ ଏଥର ନିର୍ବାଚନ ମୈଦାନକୁ ଓହ୍ଲାଉଛନ୍ତି । ବାପା ପ୍ରତ୍ୟକ୍ଷ ନିର୍ବାଚନରୁ ଦୂରେଇ ଯାଉଥିବା ବେଳେ ସେମାନଙ୍କର ଉତ୍ତରାଧିକାରୀ ଏଥର ଭାଗ୍ୟ ପରୀକ୍ଷା କରାଇବେ । ପାଟକୁରାରୁ ଲଢ଼ିବେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ନିକଟରେ ସେ ଶଙ୍ଖ ଫୁଙ୍କିଥିଲେ । ଏହାପରେ ବିଜେଡି ତାଙ୍କୁ ପାଟକୁରା ଆସନ ଦେଇଛି । ପାଟକୁରା ଅରବିନ୍ଦଙ୍କ ବାପା ବିଜୟ ମହାପାତ୍ରଙ୍କ ଗଡ଼ । ସେଠାରୁ ସେ ୪ ଥର ବିଧାୟକ ଥିଲେ । ୧୯୮୦ରୁ ୨୦୦୦ ମସିହା ଯାଏ ଲଗାତାର ଜିତିଥିଲେ । ତାପରଠୁ ଆଉ ବିଧାନସଭାରେ କେବେ ବିଜୟ ମହାପାତ୍ରଙ୍କ ପାଦ ପଡ଼ିନି । ଏଥର ପୁଅ ବିଜେଡିରୁ ପ୍ରତିନ୍ଦ୍ୱନ୍ଦିତା କରିବେ ।

ଚିକିଟି ବିଧାୟିକା ତଥା ମନ୍ତ୍ରୀ ଉଷା ଦେବୀ ଏଥର ଲଢ଼ିବେନି ବିଧାନସଭା ନିର୍ବାଚନ । ପୁଅ ପାଇଁ ସିଟ୍ ଛାଡିଛନ୍ତି । ଚିକିଟିରୁ ମୈଦାନକୁ ଓହ୍ଲାଇବେ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ । ଉଷା ଦେବୀ ଚିକିଟିରୁ ୬ ଥର ଜିତିଛନ୍ତି । ୧୯୯୦ରେ ପ୍ରଥମ ଥର ନିର୍ବାଚନ ଜିତି ଆସିଥିଲେ ବିଧାନସଭା । ତାପରେ ୨୦୦୦ ମସିହାରୁ କ୍ରମମାଗତ ୫ ଥର ବିଜୟୀ ହୋଇଛନ୍ତି । ରାଜ୍ୟ ସରକାରରେ ଅନେକ ବିଭାଗର ମନ୍ତ୍ରୀ ବି ରହିଛନ୍ତି ଉଷା ଦେବୀ । ଏଥର ପୁଅ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ ପାଇଁ ବାଟ ଛାଡିଛନ୍ତି । ମାଆଙ୍କ ଗଡ଼ରେ ପୁଅ ଭୋଟରଙ୍କ ମନ ଜିଣିବାରେ କେତେ ସଫଳ ହେଉଛି ତାଉପରେ ନଜର ରହିବ ।

ବଲାଙ୍ଗିରରୁ ବିଧାନସଭା ନିର୍ବାଚନ ଲଢ଼ିବେ କଳିକେଶ ନାରାୟଣ ସିଂହଦେଓ । ପୂର୍ବରୁ ଏହି ଆସନରୁ ପ୍ରାର୍ଥୀ ହେଉଥିଲେ ତାଙ୍କ ବାପା ଅନଙ୍ଗ ଉଦୟ ସିଂହଦେଓ । ୨୦୧୪ ଓ ୨୦୧୯ରେ ଏହି ସିଟ୍ ରାଜପରିବାର ହାତରୁ ଛଡାଇ ନେଇଛନ୍ତି କଂଗ୍ରେସର ଭେଟେରାନ୍ ନରସିଂହ ମିଶ୍ର । ୨୦୧୪ରେ ହାରିଥିଲେ ଅନଙ୍ଗ ଉଦୟ ସିଂହଦେଓ । ଗତଥର ସାନ ପୁଅ ଅର୍କେଶ ନାରାୟଣ ସିଂହଦେଓ ଦେଖିଥିଲେ ପରାଜୟର ମୁହଁ । ଏଥର ଅନଙ୍ଗ ଉଦୟ ସିଂହଦେଓଙ୍କ ବଡ଼ ପୁଅ କଳିକେଶ ପ୍ରାର୍ଥୀ ହୋଇଇଛନ୍ତି । ୬ ଥର ବିଧାୟକ ଅନଙ୍ଗ ଉଦୟ ସିଂହଦେଓ ବଲାଙ୍ଗିର ଆସନରୁ ୧୯୯୦ରୁ କ୍ରମାଗତ ୫ ଥର ବିଜୟୀ ହୋଇଥିଲେ । ଏଥର ପୁଅ ବାପାଙ୍କ ପୁରୁଣା ସଫଳତାକୁ ଦୋହରାଇବ କି ନାହିଁ ରେଜଲ୍ଟ ପରେ ଜଣାପଡିବ । କଳିକେଶ ୨୦୦୪ରେ ସଇଁତଳାରୁ ଥିଲେ ବିଧାୟକ । ୨୦୦୯ ଓ ୨୦୧୪ରେ ବଲାଙ୍ଗିରରୁ ଜିତି ଲୋକସଭା ଯାଇଥିଲେ ।

ପୁରୀରେ ଦିବଂଗତ ନେତା ମହେଶ୍ୱର ମହାନ୍ତିଙ୍କ ସ୍ଥାନରେ ପୁଅ ସୁନୀଲ ମହାନ୍ତି ଲଢ଼ିବେ । ୨୦୧୯ରେ ବିଜେପିର ଜୟନ୍ତ ଷଡ଼ଙ୍ଗୀଙ୍କାଠାରୁ ହାରିଥିଲେ ମହେଶ୍ୱର । ତାଙ୍କ ଦେହାନ୍ତ ପରେ ପୁଅ ମୈଦାନକୁ ଓହ୍ଲାଇବେ । ତାଙ୍କ ସହ ଅନୁକମ୍ପା ଭୋଟ୍ ରହିବ । ମହେଶ୍ୱରଙ୍କ ଲିଗାସୀକୁ ସୁନୀଲ କେମିତି ଆଗକୁ ନେବେ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହେବ । ୧୯୯୫ ମସିହାରୁ ପୁରୀ ବିଧାନସଭା ଆସନ ବିଜେଡି କବଜାରେ ଥିଲା । ୨୦୧୪ ଯାଏ ଲଗାତାର ୫ ଥର ଜିତିଥିଲେ ମହେଶ୍ୱର ମହାନ୍ତି । ବାଚସ୍ପତି ସହ ସରକାରରେ ୫ଟି ବିଭାଗର ମନ୍ତ୍ରୀ ଦାୟିତ୍ୱ ବି ସମ୍ଭାଳିଥିଲେ ।

ଦିଗପହଣ୍ଡିରେ ନବାଗତ ବିପ୍ଳବ ପାତ୍ରଙ୍କୁ ଟିକେଟ ଦେଇଛି ବିଜେଡି । ସେ ଦିବଂଗତ ନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ । ପ୍ରତ୍ୟକ୍ଷ ନର୍ବାଚନରେ ଭାଗ୍ୟ ପରୀକ୍ଷା କରାଅବେ ବିପ୍ଳବ । ବାପାଙ୍କ ସ୍ଥାନରେ ଲଢ଼ିବେ । ବାପାଙ୍କ ଭଳି ଲୋକପ୍ରିୟତାର ଶିଖର ଛୁଇଁବେ କି ବିପ୍ଳବ ତାକୁ ଅପେକ୍ଷା ରହିଛି । ଦିଗପହଣ୍ଡିରେ ଥିଲା ସୂର୍ଯ୍ୟ ପାତ୍ରଙ୍କର ଦୃଢ଼ ସଂଗଠନ । ଏଠାରୁ ସେ ୨୦୦୯ରୁ ୨୦୧୯ ଯାଏ ୩ ଥର ଜିତି ଆସିଥିଲେ । ତାପୂର୍ବରୁ ୪ ଥର ମୋହନାରୁ ହୋଇଥିଲେ ବିଧାୟକ । ଏଥର ପୁଅ ବିପ୍ଳବ ପାତ୍ରଙ୍କ ପାଳି ବାପାଙ୍କ ସଫଳତାକୁ କେମିତି ଦୋହରାଇବେ ।

Leave A Reply

Your email address will not be published.