ଆମେରିକାର ଷ୍ଟାର ମହିଳା ଟେନିସ ଖେଳାଳି ସେରେନା ୱିଲିୟମ୍ସ ୩୮ ବର୍ଷ ବୟସରେ ଅକଲାଣ୍ଡ ଓପନ ଟାଇଟଲ ଜିତିଛନ୍ତି । ୨୩ ଗ୍ରାଣ୍ଡସ୍ଲାମ ଜିତିଥିବା ସେରେନାଙ୍କ ଏହା ଓଭରାଲ ୭୧ତମ ଟାଇଟଲ ।
ସୂଚନାନୁଯାୟୀ, ମାଆ ହେବା ପରେ ସେରେନାଙ୍କ ଏହା ହେଉଛି ପ୍ରଥମ ଟାଇଟଲ । ପୂର୍ବରୁ ୫ଟି ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଟାଇଟଲ ଜିତିବାରେ ସଫଳ ହୋଇ ନ ଥିଲେ ।
ଏହି ଅବସରରେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ମାଆ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ମଧ୍ୟ ଫିଟ ହେବା ପାଇଁ ମୋତେ କଠିନ ପରିଶ୍ରମ କରିବାକୁ ପଡିଥିଲା” ।
ଫାଇନାଲରେ ସେ ନିଜ ଦେଶର ଜେସିକା ପିଗୁଲାଙ୍କୁ ୬-୩, ୬-୪ ସେଟରେ ହରାଇଥିଲେ । ସବୁଠାରୁ ବଡ କଥା ସେରେନା ପୁରସ୍କାର ରାଶି ବାବଦକୁ ପାଇଥିବା ୩୧ ଲକ୍ଷ ଟଙ୍କା ଅଷ୍ଟ୍ରେଲିଆର ଅଗ୍ନି ପୀଡିତାଙ୍କୁ ଦାନ କରିଛନ୍ତି ।
ଆସନ୍ତା ଜାନୁୟାରୀ ୨୦ରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆନ ଓପନରେ ଖେଳିବେ ସେରେନା । ଏଥିରେ ସିଙ୍ଗଲ୍ସ ବିଭାଗରେ ଚାମ୍ପିୟନ ହେଲେ ଅଷ୍ଟ୍ରେଲିଆର ମାର୍ଗେଟ କୋର୍ଟଙ୍କ ୨୪ ବିଜୟ ରେକର୍ଡ ସହ ସମକକ୍ଷ ହେବ ବୋଲି ଜଣାପଡିଛି ।
Comments are closed.