ପୁରୀ: ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ତଥା ମହାବୀର ଜୟନ୍ତୀ । ଓଡିଆଙ୍କ ପାଇଁ ନୂତନ ବର୍ଷର ଆରମ୍ଭ । ଆଜିଠାରୁ ଓଡ଼ିଆ ନୂଆ ବର୍ଷ ଆରମ୍ଭ ହଉଥିବା ବେଳେ ନୂଆ ଓଡ଼ିଆ କ୍ୟାଲେଣ୍ଡର ସହିତ ଶ୍ରୀମନ୍ଦିରରେ ପ୍ରଚଳନ ହୁଏ ନୂଆ ପାଞ୍ଜି । ବିଷୁବ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତି କାନ୍ତି ମଧ୍ୟ ହୋଇଥାଏ । ବିଧି ଅନୁସାରେ ଶ୍ରୀମନ୍ଦିରରେ ସକାଳ ଧୂପ ପରେ ଶ୍ରୀଜଗନ୍ନାଥଙ୍କ ବାଡ଼ରୁ ଆଜ୍ଞା ମାଳ ବିଭିନ୍ନ ମହାବୀରଙ୍କ ନିକଟକୁ ବିଜେ କରାଯାଇଥାଏ । ଶ୍ରୀମନ୍ଦିର ଚାରିଦ୍ୱାରରେ ଥିବା ମହାବୀରଙ୍କ ସମେତ ଶ୍ରୀଜଗନ୍ନାଥ ବଲ୍ଳଭ ଓ ଦରିଆ ମହାବୀରଙ୍କ ନିକଟକୁ ଯାଇଥାଏ ଏହି ଆଜ୍ଞାମାଳ । ଶ୍ରୀମନ୍ଦିର ଦକ୍ଷିଣଦୁଆରରେ ବିରାଜମାନ ହୋଇଥିବା ପ୍ରଭୂ ହନୁମାନଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।
ଏଥିସହିତ ଏହିଦିନ ଶ୍ରୀକ୍ଷେତ୍ରର ବିଭିନ୍ନ ଯାଗା ଆଖଡ଼ାରେ ପୂଜାପାଠ କରାଯିବାର ମଧ୍ୟ ବିଧି ରହିଛି । ଯାଗା ଆଖଡ଼ାରେ ନୂଆ କୌପନି ପରିଧାନ କରି ମହାବୀରଙ୍କ ପୂଜା କରିବା ସହ କୁସ୍ତି ଓ ମଲ୍ଲ ଯୋଦ୍ଧା ଅଭ୍ୟାସ କରିଥାନ୍ତି ପଣ୍ଡାପୁଅ । ଜାନୁଆରୀ ୧ ତାରିଖକୁ ଇଂରାଜୀ ନବବର୍ଷ ଭାବେ ପାଳନ କରାଯାଉଥିବା ବେଳେ ମହାବିଷୁବ ସଂକ୍ରାନ୍ତି ହେଉଛି ଓଡିଆ ମାନଙ୍କର ନବବର୍ଷ । ଆଉ ମହାବୀରଙ୍କ ପବିତ୍ର ଜନ୍ମଜୟନ୍ତୀ । ଏହି ଅବସରରେ ଶ୍ରୀକ୍ଷେତ୍ରର ୫୦ରୁ ଉର୍ଦ୍ଧ୍ବ ଜାଗାଆଖଡାରେ ରହିଛି ନିଆରା ପରମ୍ପରା । ସେବାୟତ ଘରର ଭେଣ୍ଢିଆ ମାନେ ଓ ସାହିର ଛୋଟଛୋଟ ପିଲାମାନେ ଆଜିଠାରୁ କୁସ୍ତି ଅଭ୍ୟାସ ଆରମ୍ଭ କରିଥାନ୍ତି । ଏଥିପାଇଁ ଆଜି ମାଟିରେ ନିମ୍ବ ପତ୍ର, ଫଗୁ, ସୋରିଷ ତେଲ, ହଳଦୀ ପ୍ରଭୃତି ଆୟୁର୍ବେଦିକ ସାମଗ୍ରୀ ପଡି ଏହାକୁ ପ୍ରସ୍ତୁତ କରାଯାଇଥିବା ବେଳେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ସକାଳୁ ସକାଳୁ ଜାଗାରେ ପହଞ୍ଚି ମହାବୀରଙ୍କ ଠାରୁ ଆଶିର୍ବାଦ ନେଇ କାଛିଆ ପିନ୍ଧି ମାଟିରେ କୁସ୍ତି ଆରମ୍ଭ କରିଦିଅନ୍ତି ସାହି ଭେଣ୍ଡିଆ । ଯାହା ବହୁ ପୁରାତନ କାଳରୁ ରହିଆସିଛି ।
ପରମ୍ପରା ରହିଛି, ଶ୍ରୀମନ୍ଦିରକୁ ବିଦେଶୀ ଶତ୍ରୁ କବଳରୁ ରକ୍ଷା କରିବା ପାଇଁ ସେବାୟତ ଭେଣ୍ଡିଆ ମାନେ ଆଗକୁ ଆସିଥିଲେ। ଜାଗାଆଖଡା କରି ସେଠାରେ ମଲ୍ଲଯୋଦ୍ଧା ଶିକ୍ଷା ଆରମ୍ଭ କରିଦେଇଥିଲେ। ମହାବୀର ଜୟନ୍ତୀରୁ ଆରମ୍ଭ ହେଉଥିଲା ସେମାନଙ୍କର କୁସ୍ତି ଅଭ୍ୟାସ । ଖାଲି ଭେଣ୍ଡିଆ ନୁହଁନ୍ତି ଖଡିଛୁଆଁ ଭଳି ସେବାୟତଙ୍କ ଶିଶୁମାନେ ହନୁମାନ ଜୟନ୍ତୀରୁ କୁସ୍ତି ଶିକ୍ଷାର ଅୟମାରମ୍ଭ କରିଥାନ୍ତି। ହନୁମାନଙ୍କ ନିକଟରେ ନୂଆ କାଛିଆ ପୂଜା କରିବା ପରେ ସେହି କାଛିଆକୁ ପିନ୍ଧି ପ୍ରଭୁଙ୍କ ଠାରୁ ଆଶିର୍ବାଦ ନେଇ କୁସ୍ତିରେ ଯୋଗ ଦିଅନ୍ତି । ଆଉ ସେହି ଯାଗାରେ କୁସ୍ତି କରିବା ପରେ ଭାଙ୍ଗପଣାର ଆସର ଜମିଥାଏ । ଏଥିସହିତ ଆଜିଠାରୁ ମଧ୍ୟ ବିଶ୍ୱ ବ୍ରହ୍ମାଣ୍ଡରେ ନୂତନ ପଞ୍ଜିକା ପ୍ରଚଳନ ଆରମ୍ଭ ହୋଇଥାଏ ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ମତ ରଖନ୍ତି ।
Comments are closed.