Latest Odisha News

BREAKING NEWS

ରୂପାରେ ଝଲସିବ ଶ୍ରୀମନ୍ଦିର ଦ୍ୱାର

ପୁରୀ: ରୂପାରେ ଝଲସିବ ଶ୍ରୀମନ୍ଦିର । ବଡଦେଉଳରେ ଲାଗିବ ରୂପା ଦ୍ୱାର । ସାତଟି ଦ୍ୱାରରେ ରୂପାରେ ଝଲସିବ । ଶ୍ରୀମନ୍ଦିର ଭିତର ଓ ବାହାର ଚାରି ଦ୍ୱାର ଓ କବାଟର ମରାମତି କରାଯିବ । ଏହି ମରାମତି ସମୟରେ ସମସ୍ତ ଦ୍ୱାରରେ ରୂପାର ଚାଦର ଦିଆଯିବ । ମନ୍ଦିରର ସିଂହଦ୍ୱାର, ଜୟ ବିଜୟ ଦ୍ୱାର, କଳାହାଟ ଦ୍ୱାର, ରତ୍ନଭଣ୍ଡାର ଭିତର ଓ ବାହାର ଦ୍ୱାର, ଏବଂ ବଡ ଦେଉଳର ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଦ୍ୱାର ନୂଆ କରି ତିଆରି ହେବ । ଏହି ସବୁ ଦ୍ୱାର ବର୍ମା ଟିକ୍ କାଠରେ ତିଆରି କରାଯିବ ଏବଂ କବାଟ ଉପରେ ୧୪ରୁ ୧୮ ଗଜ ମୋଟେଇ ରୂପାର ଚାଦର ଆଚ୍ଛାଦିତ କରାଯିବ ।

ଶ୍ରୀମନ୍ଦିରର ଏହିସବୁ ଦ୍ୱାରରେ ପ୍ରାୟ ୧ କ୍ୱିଂଟାଲରୁ ଅଧିକ ରୂପା ଲାଗିବ । ରାଜସ୍ଥାନର କାରିଗରମାନେ ଏହାର ଡିଜାଇନ୍ କରିବେ । ଏହି ରୂପାକୁ ମହାପ୍ରଭୁଙ୍କର ଜଣେ ଭକ୍ତ ଦାନ କରିବାକୁ ସହମତି ପ୍ରକାଶ କରିଥିବା ଜଣାପଡିଛି । ତେବେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୩ଟି ଦ୍ୱାରର କାମ କରାଯିବ । ଯଥା, ଗର୍ଭଗୃହ ସଂଲଗ୍ନ କଳାହାଟ ଦ୍ୱାର, ଜଗମୋହନ ସଂଲଗ୍ନ ଜୟ ବିଜୟ ଦ୍ୱାର ଓ ମୁକ୍ତି ମଣ୍ଡପ ସମ୍ମୁଖ ବେହରଣ ଦ୍ୱାରର ମରାମତି କାମ କରାଯିବ । ଏହି କାମ ଖୁବଶୀଘ୍ର ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ପରିଚାଳନା କମିଟି ସଦସ୍ୟ । ମନ୍ଦିର ଦ୍ୱାର ଓ କବାଟ ମରାମତି କାମର ତଦାରଖ ପାଇଁ ଜଣେ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ ।

Leave A Reply

Your email address will not be published.