ବିହାର: ପାଟନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗତକାଲି ବିଳମ୍ବିତ ରାତିରେ ଅଟୋ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୭ ଜଣଙ୍କର ଜୀବନ ଚାଲିଯାଇଛି। ଅନେକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
କୁହାଯାଉଛି ଯେ, ଅଟୋଟି ପାଟନାର ମସୌଡିରୁ ନୌବତପୁର ଅଭିମୁଖେ ଯାଉଥିଲାବେଳେ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ଅଟୋରେ ଦଶ ଜଣ ଥିଲେ, ସମସ୍ତ ମୃତ ବ୍ୟକ୍ତି ଶ୍ରମିକ ବୋଲି କୁହାଯାଉଛି । ପୋଲିସ ସମସ୍ତ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନା ପଠାଇଛି ଏବଂ ଘଟଣାର ତଦନ୍ତ ଜାରି ରଖିଛି ।
ମସୌଡି -ପିତବାଂସ ମାର୍ଗରେ ଥିବା ନୁରା ବଜାରର ଏକ ପୋଲ ପାଖରେ ଏକ ଟ୍ରକ୍ ଏବଂ ଅଟୋ ମଧ୍ୟରେ ଏକ ବଡ଼ ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣା ପରେ ଉଭୟ ଗାଡି ରାସ୍ତା କଡ଼ରେ ପାଣିରେ ପଡ଼ିଯାଇଥିଲା। ମୃତକଙ୍କ ସମ୍ପର୍କୀୟଙ୍କ କହିବାନୁସାରେ, ସମସ୍ତ ଶ୍ରମିକ ଏକ ଅଟୋରେ ମସୌଡିରୁ ଖରାଟ ଗ୍ରାମକୁ ଯାଉଥିଲେ। ଏହି ଲୋକମାନେ ପ୍ରତିଦିନ କାମ ପାଇଁ ପାଟନା ଯାଉଥିଲେ ଓ ରାତିରେ ଫେରି ଆସୁଥିଲେ । ରବିବାର ରାତିରେ ଏହି ଶ୍ରମିକମାନେ କାମରୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି ।
ସୂଚନାଥାଉକି ସ୍ଥାନୀୟ ବିଧାୟକ ରେଖା ଦେବୀ, ମୃତକଙ୍କ ପରିବାରକୁ ଦଶ ଲକ୍ଷ ଲେଖାଏଁ ଟଙ୍କା କ୍ଷତିପୂରଣ ଦେବାକୁ ସରକାରଙ୍କୁ ଦାବି କରିଛନ୍ତି।
Comments are closed.