Latest Odisha News

BREAKING NEWS

ଅଭିଷେକଙ୍କ ପାଇଁ ଆଗେଇ ଆସିଲେ ସାତ ସାବିତ୍ରୀ

ଅନୁଗୁଳ: ବେଶ କିଛିଦିନ ଧରି ଭଦ୍ରକ ବାସୁଦେବପୁରର ଅଭିଷେକଙ୍କ ଚିକିତ୍ସା ପାଇଁ ସାରା ରାଜ୍ୟରେ ସହାୟତାର ହାତ ଲମ୍ବିଛି । ଖାସ କରି ସ୍ୱାମୀକୁ ବଂଚାଇବା ପାଇଁ ନବବିବାହିତା ସ୍ତ୍ରୀ ମୌସୁମୀଙ୍କ ଆକୁଳ ନିବେଦନ ସମସ୍ତଙ୍କୁ ପ୍ରଭାବିତ କରିଥିଲା । ଏପରିକି ଟଙ୍କାଟିଏ ଦାନ କଲେ ଅଭିଷେକଙ୍କ ଜୀବନ ବଂଚିବ ବୋଲି ତାଙ୍କ ସ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହି ଘଟଣା ପରେ ଅନୁଗୁଳ ଜିଲ୍ଲାର ସାତଜଣ ମହିଳା ଚର୍ଚ୍ଚାକୁ ଆସିଛନ୍ତି ।

ଜଣେ ନବବିବାହିତାଙ୍କ ସିନ୍ଦୁର ବଂଚାଇବାକୁ ସାବିତ୍ରୀ ପାଇଁ ଉଦ୍ଧିଷ୍ଟ ଅର୍ଥକୁ ଦାନ କଲେ ସାତ ସାବିତ୍ରୀ । ଏହି ଉକ୍ତିଟି ବୋଧ ହୁଏ ଆପଣଙ୍କ ସାମାନ୍ୟ ଦ୍ୱନ୍ଦରେ ପକାଇଥିବ । ହେଲେ ସମ୍ପୂର୍ଣ୍ଣ ଘଟଣା ଜାଣିବା ପରେ ଆପଣଙ୍କ ଚେହେରାରେ ପ୍ରସନ୍ନତାର ଏକ ଅଜଣା ପ୍ରତିକ୍ରିୟା ପ୍ରକାଶ ପାଇବ । ତାଳଚେର ଅଂଚଳର କିଛି ମହିଳା ସାବିତ୍ରୀ ବ୍ରତର ସମସ୍ତ ଖର୍ଚ୍ଚ ରାଶିକୁ ଅଭିଷେକଙ୍କ ଚିକିତ୍ସା ପାଇଁ ଦାନ କରିଛନ୍ତି । ଏହି ଦାନ ବୃହତ ହୋଇନପାରେ । ହେଲେ ଏହି ମହିଳାଙ୍କ ମନୋଭାବ ଯେ କେତେ ଉଚ୍ଚକୋଟିର ତାହା ପ୍ରମାଣିତ ହୋଇଛି ।

ବିବାହର ମାତ୍ର ୮ଦିନ ପରେ ଅଭିଷେକ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ରାଜଧାନୀ ସ୍ଥିତ କଳିଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅଭିଷେକଙ୍କୁ ଏକ୍‌ମୋ ଚିକିତ୍ସା ଆବଶ୍ୟକ ମନେ କରି ଡାକ୍ତର ତାଙ୍କୁ କୋଲକାତା ରେଫର୍ କରିଥିଲେ । ଏହି ଘଟଣା ପରେ ଅନେକ ଲୋକ ସହାୟତା ପାଇଁ ଆଗେଇ ଆସିଥିଲେ । ଏହି ଧାରାରେ ସାମିଲ ହୋଇଛନ୍ତି ତାଳଚେର ପୌରପାଳିକା ୱାର୍ଡ ନମ୍ବର ୧୬ କାଶୀପୁର ଅଂଚଳର ଡିଭାଇନ୍ ପାୱାର ସଙ୍ଗଠନର ସାତଜଣ ମହିଳା ।

ନିଜ ସ୍ୱାମୀଙ୍କ ପାଇଁ ସେମାନେ ସାବିତ୍ରୀ ପାଳନ କରିଥିଲେ ସତ । ହେଲେ ଲୋଡା ନଥିଲା ନୂଆ ଶାଢୀ କିମ୍ବା ଅନ୍ୟାନ୍ୟ ଖର୍ଚ୍ଚ । ସାବିତ୍ରୀ ପାଇଁ ଉଦ୍ଧିଷ୍ଟ ଅର୍ଥକୁ ସେମାନେ ଅଭିଷେକଙ୍କୁ ଦାନ କରିଥିଲେ ।ଏହି ମହତ ଉଦ୍ଦେଶ୍ୟରେ ୬ଜଣ ମହିଳାଙ୍କ ନେତୃତ୍ୱ ନେଇଥିଲେ ମଧୁସ୍ମୀତା ପଟ୍ଟନାୟକ । ଅଭିଷେକଙ୍କ ସ୍ତ୍ରୀ ମୌସୁମୀଙ୍କ ସଂଗ୍ରାମରେ ସିନ୍ଦୁରର ବିଜୟ ହେଉ ବୋଲି ଆର୍ଥିକ ସହାୟତା ପ୍ରଦାନ କରିଥିବା ସମସ୍ତ ମହିଳା ପ୍ରକାଶ କରିଥିଲେ ।

Leave A Reply

Your email address will not be published.