Latest Odisha News

BREAKING NEWS

ବାତ୍ୟା ପରେ ଡରାଇଲାଣି ବର୍ଷା !

ଭୁବନେଶ୍ବର: ଦୁର୍ବଳ ହୋଇଛି ଦାନା । ଉତ୍ତର ଓଡିଶା ଉପରେ ରହିଥିବା ଅବପାତ ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ଦକ୍ଷିଣ ଦିଗକୁ ଗତି କରୁଥିବା ବେଳେ ଏହା କ୍ରମଶଃ ଦୁର୍ବଳ ହେବ । ତେବେ ଏହା ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ଲାଗିରହିଛି। ବର୍ଷା ଯୋଗୁଁ ବୁଢାବଳଙ୍ଗ ଓ ସୋନ ନଦୀର ଜଳସ୍ତର ବଢିଛି । ସେପଟେ ବାତ୍ୟାରେ ପ୍ରାୟ ୮୦ ହଜାର ହେକ୍ଟର ଚାଷଜମି ପ୍ରଭାବିତ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି । ୭ଦିନ ମଧ୍ୟରେ କେନ୍ଦ୍ରକୁ ଚୂଡାନ୍ତ କ୍ଷୟକ୍ଷତି ରିପୋର୍ଟ ପଠାଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାତ୍ୟା ପରବର୍ତ୍ତୀ ସ୍ଥିତର ସମୀକ୍ଷା କରିଛନ୍ତି।

ବର୍ଷା ବଢାଇଲାଣି ଚିନ୍ତା

ବାତ୍ୟା ଦାନା ଦୁର୍ବଳ ହୋଇଥିବା ବେଳେ ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇଛି । ଗତ ୨୪ଘଣ୍ଟା ମଧ୍ୟରେ ଔପଦାରେ ସର୍ବାଧିକ ୨୪୦ମିଲିଲିଟର ବର୍ଷା ରେକର୍ଡ କରାଯାଇଛି । ଲଗାଣ ବର୍ଷା ଯୋଗୁଁ ବୁଢାବଳଙ୍ଗ ନଦୀର ଜଳସ୍ତର ବଢିଛି। ଜଳସ୍ତର ବିପଦ ସଂକେତ ଟପି ନଥିଲେ ମଧ୍ୟ ନଦୀକୂଳିଆ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଛି। ବାଲେଶ୍ବର ନୀଳଗିରି ବେଗୁନିଆରେ ବନ୍ୟା ପାଣିରେ ନିର୍ମାଣାଧୀନ ପୋଲ ବୁଡିଯାଇଛି । ଫଳରେ ନୀଳଗିରିର ଅନେକ ଗାଁ ପାଣି ଘେରରେ ରହିଛି । ଆଜି ପ୍ରବଳ ବର୍ଷା ନେଇ ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ବର୍ଷାକୁ ଆଖିରେ ରଖି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ସ୍କୁଲ ବନ୍ଦ ରଖାଯାଇଥିଲା ।

ଦାନା କରିଛି କେତେ କ୍ଷତି?

ବାତ୍ୟା ଦାନାରେ ଫସଲ କ୍ଷୟକ୍ଷତି ନେଇ ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ପ୍ରାଥମିକ ଆକଳନ ଅନୁସାରେ ରାଜ୍ୟରେ ୭୯ହଜାର ୬୭୧ ହେକ୍ଟର ଚାଷ ଜମି ପ୍ରଭାବତ ହୋଇଛି। କେନ୍ଦ୍ରାପଡାରେ ୨୩ହଜାର ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ରାଜନଗର, ରାଜକନିକା, ଆଳି, ମହାକାଳପଡା ବ୍ଲକରେ ସର୍ବାଧିକ କ୍ଷତି ହୋଇଛି । ଭଦ୍ରକରେ ୨୪ହଜାର ୧୧୫ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜିଲ୍ଲାର ବାସୁଦେବପୁର, ଚାନ୍ଦବାଲି, ଭଣ୍ଡାରିପୋଖରୀ, ଧାମନଗରରେ ଅଧିକ କ୍ଷତି ହୋଇଛି । ବାଲେଶ୍ବରରେ ୩ହଜାର ୧୪୦ ହେକ୍ଟର, ମୟୂରଭଞ୍ଜରେ ୨ହଜାର ୩୮୧ ହେକ୍ଟର, ଯାଜପୁରରେ ୨ହଜାର ୭୦୯, ଜଗତସିଂହପୁରରେ ୨ହଜାର ୪୯୮ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି । ବର୍ଷା କମିଲେ ବିଭାଗୀୟ ଅଧିକାରୀ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରିବେ। ଏସଆରସିଙ୍କ ନୂଆ ଗାଇଡଲାଇନ୍ ଅନୁସାରେ ତର୍ଜମା କରି କ୍ଷତିପୂରଣ ଦିଆଯିବ । ଡିବିଟି ମାଧ୍ୟମରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

୭ଦିନରେ ପଠାଯିବ ରିପୋର୍ଟ

କେନ୍ଦ୍ର ସରକାରଙ୍କୁ ୭ଦିନ ମଧ୍ୟରେ ଚୂଡାନ୍ତ କ୍ଷୟକ୍ଷତି ରିପୋର୍ଟ ପଠାଯିବ । ଖୁବଶୀଘ୍ର ବାତ୍ୟା କ୍ଷୟକ୍ଷତି ଆକଳନ କରିବାକୁ କେନ୍ଦ୍ରୀୟ ଟିମ୍ ଆସିବେ । ତେବେ କେନ୍ଦ୍ର ସହାୟତା ଦେବା ପୂର୍ବରୁ ରାଜ୍ୟ ସରକାର ଲୋକଙ୍କୁ ସହାୟତା ଦେବେ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ସେହିପରି ବାତ୍ୟାରେ ସଂପୂର୍ଣ୍ଣ ଘର ହରାଇଥିବା ପରିବାର ବିକଳ୍ପ ବ୍ୟବସ୍ଥା ହେବା ଯାଏଁ ବାତ୍ୟା ଆଶ୍ରୟସ୍ଥଳରେ ରହିବେ । ପ୍ରବଳ ବର୍ଷା ପାଇଁ କିଛି ଅଞ୍ଚଳରେ ପାଣି ଜମିଛି । ତେବେ ରାଜ୍ୟରେ ବନ୍ୟାସ୍ଥିତି ନାହିଁ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି । ବାତ୍ୟାରେ ସ୍କୁଲ କୋଠା ଓ ଭିତ୍ତିଭୂମି ନଷ୍ଟ ହୋଇଥିଲେ ତୁରନ୍ତ ରିପୋର୍ଟ ଦେବାକୁ ଗଣଶିକ୍ଷା ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ବିପର୍ଯ୍ୟୟ ସମୟରେ ବିପନ୍ନଙ୍କୁ ଅପମାନିତ କରିଥିବା ୪ଜଣ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟସରକାର । ସେମାନେ ବାତ୍ୟା ମୁକାବିଲା ସମୟରେ ନିଜ ଦାୟିତ୍ବରେ ଖିଲାପ କରିବା ସହ ଲୋକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେ ୩ଜଣ ପିଇଓ ଓ ଜଣେ ଆରଆଇ ଅଛନ୍ତି ।

Leave A Reply

Your email address will not be published.