Latest Odisha News

ଅଭିନେତା ପିଣ୍ଟୁ ନନ୍ଦଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି

ଭୁବନେଶ୍ୱର: ଦୀର୍ଘ ୧୭ ବର୍ଷ ଧରି ଓଡ଼ିଆ ସିନେମା ଜଗତରେ ଲୋକଙ୍କୁ ହସାଉଥିବା, କନ୍ଦାଉଥିବା  ଅଭିନେତା ପିଣ୍ଟୁ ନନ୍ଦଙ୍କର ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ସେ କିଛିଦିନ ହେଲା ଲିଭର ସିରୋରିସ୍ ରୋଗରେ ପୀଡ଼ିତ ହୋଇ ହାଇଦ୍ରାବାଦର ଏକ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ।

ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ପିଣ୍ଟୁଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି “ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ନିଜ ନିଖୁଣ ଅଭିନୟ ଦ୍ୱାରା ଚଳଚ୍ଚିତ୍ର ଏବଂ ଧାରାବାହିକରେ ସେ ଛାଡିଯାଇଥିବା ଛାପ ତାଙ୍କୁ ଦର୍ଶକଙ୍କ ହୃଦୟରେ ସର୍ବଦା ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି।

ସେହିପରି କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି। ପିଣ୍ଟୁଙ୍କ ବିୟୋଗରେ ଓଡ଼ିଆ ସିନେମା ଏକ ଭଲ କଳାକାରକୁ ହରାଇଲା ବୋଲି ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି। ପିଣ୍ଟୁଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଲଗାତର ଦୁଇଟି ଟ୍ୱିଟ୍ କରିଛନ୍ତି। ଗୋଟିଏ ଟ୍ୱିଟ୍‌ରେ ଧର୍ମେନ୍ଦ୍ର ଲେଖିଛନ୍ତି “ତାଙ୍କର ଅକାଳ ବିୟୋଗରେ ଓଡିଶା ଜଣେ ଭଲ କଳାକାରଙ୍କୁ ହରାଇଲା । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି।

ସେହିପରି ଅନ୍ୟ ଏକ ଟ୍ୱିଟ୍‌ରେ ଧର୍ମେନ୍ଦ୍ର ଲେଖିଛନ୍ତି “ଓଡ଼ିଶା ସିନେ ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ବିଶେଷ ଭାବରେ ଓଡ଼ିଆ ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ଥିଲା ଅନନ୍ୟ ଓ ନିଖୁଣ।

ସେହିପରି ଅଚ୍ୟୁତ ସାମନ୍ତ, ପ୍ରମିଳା ମଲ୍ଲିକ, ଅମର ପଟନାୟକ,ଆକାଶ ଦାସ ନାୟକ, ସମୀର ମହାନ୍ତିଙ୍କ ଭଳି ବହୁ ରାଜନୈତିକ ବିଶେଷଜ୍ଞ ଶୋକ ପ୍ରକାଶ କରି ଟ୍ୱିଟ୍ କରିଛନ୍ତି।

ଫିଲ୍ମ ପରିବାର ପକ୍ଷରୁ ମଧ୍ୟ କାହାଣୀକାର ରଞ୍ଜନୀ ରଞ୍ଜନ, ଶ୍ରୀତମ ଦାସ, ଉଶଶୀ ମିଶ୍ର, ସିଦ୍ଧାନ୍ତ ମହାପାତ୍ର, ସ୍ନିଗ୍‌ଧା ମହାନ୍ତି ପ୍ରମୁଖ କଳାକାର ପିଣ୍ଟୁଙ୍କ ବିୟୋଗରେ ତାଙ୍କୁ ମନେ ପକାଇବ ସହ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ସୂଚନା ଥାଉକି ଦୀର୍ଘ ଦିନ ଧରି ପିଣ୍ଟୁ ନନ୍ଦ ଲିଭର ସିରୋସିସ୍‌ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ପିଣ୍ଟୁଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ହେବାର ଥିଲା।  ତେଣୁ ସେ ପ୍ରଥମେ ଦିଲ୍ଲୀ ପରେ ହାଇଦ୍ରାବାଦ ଚିକିତ୍ସା ପାଇଁ ସ୍ଥାନାନ୍ତର ହୋଇଥିଲେ। ଅପରେସନ ପାଇଁ ଆବଶ୍ୟକ ଟଙ୍କା ବହୁତ ଅଧିକ ଥିଲା। ଏଥିପାଇଁ କ୍ରାଉଡ ଫଣ୍ଡିଂ ମଧ୍ୟ କରାଯାଉଥିଲା। ହେଲେ ଅପରେସନ ପୂର୍ବରୁ ସେ ବିଳମ୍ବିତ ରାତିରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।

 

Comments are closed.