Latest Odisha News

BREAKING NEWS

ଆଦିବାସୀ ମେଳା-୨୦୨୩ ଉଦ୍‌ଯାପିତ

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଫେବୃଆରୀ ୨୦ ତାରିଖରୁ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ଆଦିବାସୀ ମେଳା ଉଦ୍‌ଯାପିତ ହୋଇଛି ।

ଉଦ୍‌ଯାପନୀ ଦିବସର ଓଡ଼ିଶାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିକାଶ ସହ ସଂସ୍କୃତିକୁ ଯୋଡି ଉନ୍ନୟନ କାର୍ଯ୍ୟ କରାଗଲେ ଦୃଷ୍ଟାନ୍ତ ମୂଳକ ଅଗ୍ରଗତି ଘଟିବ ବୋଲି ମତ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଅନୁସୂଚିତ ଜନଜାତି ବ୍ୟାପାର ଉପଦେଷ୍ଟା ସରୋଜିନୀ ହେମ୍ବ୍ରମ୍‌, ସଂଖ୍ୟାଲଘୁ ବ୍ୟାପାର ଉପଦେଷ୍ଟା ତାହାରା ଖାତୁନ୍‌, ଅନ୍ୟାନ୍ୟ ପଛୁଆ ବର୍ଗ ବ୍ୟାପାର ଉପଦେଷ୍ଟା ପୃଥିରାଜ ସାହୁଙ୍କ ସମେତ ବିଭାଗୀୟ କମିଶନର ରୂପା ରୋଶନ ସାହୁ ଏବଂ ସ୍ୱତନ୍ତ୍ର ଶାସନ ସଚିବ ବିଶ୍ୱରଂଜନ ସାସ୍‌ମଲ ତଥା ଓଟିଇଏଲପିର ପ୍ରକଳ୍ପ ନିର୍ଦ୍ଦେଶକ ପି. ଅର୍ଥନାରୀ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ଜନଜାତି କ୍ଷେତ୍ରରେ କୃତବିଦ୍ୟ ୧୮ ଜଣ ପ୍ରତିଭାଧାରୀ ବ୍ୟକ୍ତିବିଶେଷଙ୍କୁ ଉପାୟନ, ମାନପତ୍ର ଏବଂ ଅର୍ଥରାଶି ଦେଇ ସମ୍ମାନୀତ କରାଯାଇଥିଲା । ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାୟଗଡ଼ାର ଭୀଷ୍ମନାରାୟଣ ଶବର, ପାରମ୍ପରିକ ଚିକିତ୍ସା କ୍ଷେତ୍ରରେ କଳାହାଣ୍ଡିର ପବିତ୍ର ଶବର, ଲୋକସଙ୍ଗୀତ ଓ ଲୋକନୃତ୍ୟ କ୍ଷେତ୍ରରେ କଳାହାଣ୍ଡିର ସଦନ ପ୍ରଗଣିଆ, ଲୋକସାହିତ୍ୟ, ଲୋକକଳା ଓ ସଙ୍ଗୀତ କ୍ଷେତ୍ରରେ କଳାହାଣ୍ଡିର କ୍ଷିତୀଶଚନ୍ଦ୍ର ମାଝୀ, ଯୋଗ ଓ ନାଟକ କ୍ଷେତ୍ରରେ ନୂଆପଡ଼ାର କୁମାରୀ ଜୈମିନୀ ଝାଙ୍କର, ପାରମ୍ପରିକ ଚିକିତ୍ସା ଓ ସାନ୍ତାଳୀ ଭାଷା ସାହିତ୍ୟ ପାଇଁ ମୟୂରଭଞ୍ଜର କୁଶାଲ ହେମ୍ବ୍ରମ, ଲୋକନୃତ୍ୟ ପାଇଁ କଳାହାଣ୍ଡିର କୁମୁଦଚନ୍ଦ୍ର ପୁଝାରୀ, ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ କଳାହାଣ୍ଡିର ଗୋପୀନାଥ ଶବର, ଜନଜାତି ସାହିତ୍ୟ ପାଇଁ କନ୍ଧମାଳର ପ୍ରଦୀପ କହଁର, ସାହିତ୍ୟ ପାଇଁ ସୁନ୍ଦରଗଡ଼ର କ୍ଷୀରେଶ୍ୱରୀ କିଷାନ, ଜନଜାତି ଲୋକବାଦ୍ୟ ଓ ଗୀତ ପାଇଁ ବଲାଙ୍ଗିରର ସୁଦାମ ବିଶି, ସମାଜ ସେବା ଓ ଯୋଗ ପାଇଁ ବଲଙ୍ଗିରର ଦମୟନ୍ତୀ କୁମୁରା, ଚିତ୍ରକଳା ପାଇଁ ବଲାଙ୍ଗିରର କୁମାରୀ ସଙ୍ଗୀତା ମାଝୀ, ସାନ୍ତାଳୀ ସାହିତ୍ୟ ପାଇଁ ମୟୂରଭଞ୍ଜର \ ଜୟରାମ ଟୁଡୁ, ସାନ୍ତାଳୀ ସାହିତ୍ୟ ଓ ସମାଜ ସେବା ପାଇଁ ମୟୂରଭଞ୍ଜର ଗଣେଶ୍ୱର ହେମ୍ବ୍ରମ, ମୁଣ୍ଡାରୀ ଭାଷା ଓ ସାହିତ୍ୟ ପାଇଁ ମୟୂରଭଞ୍ଜର ସନ୍ତୋଷ କୁମାର ସିଂହ, ରଗ୍‌ବି କ୍ରୀଡ଼ା ପାଇଁ ମୟୂରଭଞ୍ଜର ଦିବ୍ୟର ରଞ୍ଜନ ଦାସ, ଓଡ଼ିଆ ସାହିତ୍ୟପାଇଁ ମୟୂରଭଞ୍ଜର ରାଜକୁମାର ନାଏକ ପ୍ରମୁଖ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ ।

ଏହା ସହ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ସୁନ୍ଦରଗଡ଼ର ଚାରି ଜଣ ପ୍ରାକ୍ତନ ଛାତ୍ର ସୂର୍ଯ୍ୟକାନ୍ତ ବରିହା, ସୁଶ୍ରୀ ସୁନିତା ଓରାମ୍‌, ସୁଶ୍ରୀ କରମୀ ଓରାମ୍‌ ଏବଂ ଅଞ୍ଜୁନି କୁଜୁର ଓଡ଼ିଶା ପ୍ରଶାସନିକ ସେବାରେ କୃତିତ୍ୱ ହାସଲ କରିଥିବାରୁ ଏହି ଅବସରରେ ସେମାନଙ୍କୁ ସମ୍ମାନିତ କରାଯାଇଥିଲା । ଉଦ୍‌ଯାପନ ଦିବସ ଅବସରରେ ଏକାଡେମୀ ଦ୍ୱାରା ପ୍ରକାଶିତ ପତ୍ରିକା ‘ବନଜା’ ଉନ୍ନୋଚିତ ହୋଇଥିଲା ।

ଆଦିବାସୀ ମେଳାରେ ପ୍ରାଚୀନ ଜନଜାତିଙ୍କ ନମୁନା ଘର ପ୍ରଦର୍ଶନରେ ରାୟଗଡ଼ା ଜିଲ୍ଲା ଗୁଣୁପୁରର ଲାଞ୍ଜିଆ ସଉରା ଘର ପ୍ରଥମ, ନୂଆପଡ଼ା ଜିଲ୍ଲା ସୁନାବେଡ଼ାର ଚୁକୁଟିଆ ଭୂଞ୍ଜିଆ ଏବଂ ଜମରଡିହିର ପାଉଡ଼ି ଭୂୟାଁ ଘର ଦ୍ୱିତୀୟ ଏବଂ କନ୍ଧମାଳ ଜିଲ୍ଲାର ବେଲଘରର କୁଟିଆ କନ୍ଧ ଘର ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ପ୍ରକାଶ ଥାଉ କି ଚଳିତ ବର୍ଷ ଆଦିବାସୀ ମେଳାରେ ୨.୫୦ କୋଟିରୁ ଊଦ୍ଧ୍ୱର୍ ବ୍ୟବସାୟ ହୋଇଛିି ଏବଂ ଜନଜାତିଙ୍କ ଉପିାଦିତ ତଥା ପ୍ରସ୍ତୁତ ସାମଗ୍ରୀର ଭରପୂର ବିପଣନ ହୋଇଛି ।

 

Leave A Reply

Your email address will not be published.