ଭୁବନେଶ୍ୱର: ଖସୁଛି ପାରଦ ରାଜ୍ୟରେ ବଢୁଛି ଶୀତ । ଅସହ୍ୟ ଜାଡରେ ଥରହର ଓଡିଶାବାସୀ । ଗତ ସପ୍ତାହେ ଧରି ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି । ଅନ୍ୟପଟେ, ଓଡଟିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଦାରିଙ୍ଗବାଡ଼ିରେ ପ୍ରବଳ ଶୀତ ସାଙ୍ଗକୁ ତୁଷାରପାତ ଦେଖିବାକୁ ମିଳିଛି ।
ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଶୀତ ଲହରିରୁ ନିସ୍ତାର ନାହିଁ । ପାହାଡିଆ ଅଞ୍ଚଳରେ ୫ ଡିଗ୍ରି ତଳେ ରହିପାରେ ତାପମାତ୍ରା । ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଗୁଡ଼ିକରେ ମଧ୍ୟ ତଳ ମୁହାଁ ରହିବ ପାରଦ । ସକାଳୁ ଘନ କୁହୁଡ଼ି ବହୁ ମାତ୍ରାରେ ଦେଖାଯିବ । ଫଳରେ ଗାଡି ଚଳାଚଳରେ ବାଧାପ୍ରାପ୍ତ ହେବ ।
ପ୍ରବଳ ଜାଡରେ ଶୀତ ଦାଉରୁ ରକ୍ଷା ପାଇବାକୁ ଅନେକ ସ୍ଥାନରେ ଲୋକେ ନିଆଁ ପୋଇଁ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି । ସକାଳୁ ସକାଳୁ ପ୍ରାତଃ ଭ୍ରମଣରେ ଯାଉଛନ୍ତି ଲୋକେ । ଶୀତ ଯୋଗୁଁ ସନ୍ଧ୍ୟା ୮ଟାରୁ ଶୂନଶାନ ହୋଇଯାଉଛି ବଜାର ଓ ରାସ୍ତା ଘାଟ ।
ଶନିବାର ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା । କେବଳ ଜି-ଉଦୟଗିରିରେ ତାପମାତ୍ରା ୩ ଡିଗ୍ରୀ ପାଖାପାଖି ରହୁଛି । ସେହଭଳି ସେମିଳିଗୁଡ଼ାର ରାତି ତାପମାତ୍ରା ୪.୬ ଡିଗ୍ରି, ଫୁଲବାଣୀର ୫.୫ ଡିଗ୍ରି, ଦାରିଙ୍ଗବାଡ଼ିର ୬ ଡିଗ୍ରି, କୋରାପୁଟର ୬.୫ ଡିଗ୍ରି, ଚିପିଲିମା ୭.୮ ଡିଗ୍ରି, ରାଉରକେଲାର ୮ ଡିଗ୍ରି, ଝାରସୁଗୁଡ଼ାର ୮.୨ ଡିଗ୍ରି, ଅନୁଗୁଳରେ ୯ ଡିଗ୍ରି ଓ କିରେଇରେ ୯.୨ ଡିଗ୍ରି ଲେଖାଏଁ ତାପମାତ୍ରା ରେକର୍ଡ ହୋଇଯାଇଛି ।