Latest Odisha News

ଜାପାନରେ ଧମାଲ କରିବ ଫିଲ୍ମ ‘ପଠାନ’, ଘୋଷଣା ହେଲା ରିଲିଜ ତାରିଖ

ମୁମ୍ବାଇ: ଚଳିତ ବର୍ଷ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ଫିଲ୍ମ ‘ପଠାନ’ ଭଲ ଆୟ କରିଛି। ଚାରି ବର୍ଷ ପରେ ଶାହାରୁଖ ଖାନ ବଡ଼ ସଫଳତା ହାସଲ କରିଛନ୍ତି। ଚଳଚ୍ଚିତ୍ରଟି କେବଳ ରୋଜଗାର ଦିଗରେ ନୁହେଁ ବରଂ ବକ୍ସ ଅଫିସରେ ମଧ୍ୟ ଅନେକ ରେକର୍ଡ ସୃଷ୍ଟି କରିଛି। ଏହା ଶାହରୁଖ ଖାନଙ୍କ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ରୂପେ ପରିଣତ ହୋଇଛି। ବର୍ତ୍ତମାନ ଉକ୍ତ ଚଳଚ୍ଚିତ୍ରକୁ ନେଇ ବଡ଼ ଏକ ଖବର ସାମ୍ନାକୁ ଆସିଛି। ଶାହାରୁଖ ଖାନ ଫିଲ୍ମ ‘ପଠାନ’ ଏବେ ଜାପାନରେ ମୁକ୍ତିଲାଭ କରିବାକୁ ଯାଉଛି। ଏନେଇ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ସ୍ଥିର କରାଯାଇଛି।

ଜାପାନରେ ଏହି ସିନେମା ସବ୍‌ଟାଇଟଲ୍ ଭର୍ସନ ସହିତ ଆସନ୍ତା ସେପ୍ଟେମ୍ବର ୧ ରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ଜନ୍ ଆବ୍ରାହମ୍ ଏବଂ ଦୀପିକା ପାଦୁକୋନ ମଧ୍ୟ ଅଭିନୟ କରିଛନ୍ତି। ଗ୍ଲୋବାଲ ବକ୍ସ ଅଫିସରେ ମୋଟ ୧,୦୫୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଥିବା ‘ପଠାନ’ ହିନ୍ଦୀ ସିନେମାଟି ଇତିହାସରେ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି। ଏହି ଚଳଚ୍ଚିତ୍ରଟି ଆଦିତ୍ୟ ଚୋପ୍ରାଙ୍କ ଦ୍ୱାରା ନିର୍ମିତ ଏବଂ ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ।

ଫିଲ୍ମ ‘ଜିରୋ’ ଫ୍ଲପ୍ ହେବା ପରେ ଶାହରୁଖ ଖାନ ଚାରି ବର୍ଷ ପରଦାରୁ ଦୂରଇ ରହିଥିଲେ। ପରେ ସେ ‘ପଠାନ’ ଫିଲ୍ମ ସହିତ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ଚଳଚ୍ଚିତ୍ରରେ ସେ ଜଣେ ଗୁଇନ୍ଦା ଭୂମିକାରେ ଅଭିନୟ କରିଛନ୍ତି। ଯିଏ ଜିମ୍‌ଙ୍କ (ଜନ୍ ଆବ୍ରାହମଙ୍କ ଦ୍ୱାରା ଅଭିନିତ) ବିପଜ୍ଜନକ ଯୋଜନାକୁ ନଷ୍ଟ କରିବାକୁ ଏକ ମିଶନରେ ଅଛନ୍ତି। ଏହି ଚଳଚ୍ଚିତ୍ରଟି ୟଶ ରାଜ ଫିଲ୍ମର ସ୍ପାଏ ୟୁନିଭର୍ସର ଏକ ଅଂଶ। ସେଥିପାଇଁ ଖୁବ୍ ଶୀଘ୍ର ଏହି ଚଳଚ୍ଚିତ୍ରର ସିକ୍ୱେଲର ଘୋଷଣା କରାଯିବ ବୋଲି ଆଶା କରାଯାଉଛି।

ଏହି ଚଳଚ୍ଚିତ୍ରର କାହାଣୀରେ ଏପରି ଅନେକ ମୋଡ଼ ଥିଲା ଯାହା ଦର୍ଶକମାନେ ବହୁତ ଆନନ୍ଦ ଉପଭୋଗ କରିଥିଲେ। ଫିଲ୍ମର ଆକ୍ସନ୍ ଦୃଶ୍ୟକୁ ଉଚ୍ଚ ପ୍ରଶଂସା କରାଯାଇଥିଲା। ଚଳଚ୍ଚିତ୍ରରେ ଏପରି ଅନେକ ଦୃଶ୍ୟ ଅଛି, ଯାହାକୁ ଦର୍ଶକମାନେ କରତାଳି ଦେଇ ଉତ୍ସାହର ସହ ଦେଖିଥିଲେ। ତେବେ ଏହି ଚଳଚ୍ଚିତ୍ରଟି ଜାପାନର ଦର୍ଶକଙ୍କୁ କେତେ ପ୍ରଭାବିତ କରିବ ତାହା ଦେଖିବାକୁ ବାକି ରହିଲା।

Comments are closed.