Latest Odisha News

BREAKING NEWS

ମିଳିଲା ଗ୍ରୀନ ସିଗନାଲ, ଏଥର ରାହୁଲଙ୍କ ହାତ ଧରିବେ ଶର୍ମିଳା !

ଭୁବନେଶ୍ୱର: ତେଲେଙ୍ଗାନା ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ସମୀକରଣକୁ ରୂପ ଦେବାରେ ଲାଗି ପଡିଛନ୍ତି। ତେଲେଙ୍ଗାନା ଶାସକ ଦଳ ବିଆରଏସ ନିଜର ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ କଂଗ୍ରେସ ଓ ବିଜେପି ଏ ଯାଏ ପ୍ରାର୍ଥୀ ଘୋଷଣା କରିନାହାନ୍ତି।

ଏଭଳି ସ୍ଥିତିରେ କଂଗ୍ରେସ ନିଜ ପରିସର ବୃଦ୍ଧି କରୁଥିବା ବେଳେ ୱାଇଏସଆର ତେଲେଙ୍ଗାନା ପାର୍ଟି ଖୁବ ଶୀଘ୍ର କଂଗ୍ରେସରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ଏ ନେଇ ଆଲୋଚନା ହେଉଥିଲେ ମଧ୍ୟ ଏହା ଏ ଯାଏ ରୂପ ନେଇପାରି ନାହିଁ। କିନ୍ତୁ ପୁଣିଥରେ ଏହି ଚର୍ଚ୍ଚା ଜୋର ଧରିଛି।

ଦିଲ୍ଲୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କୁ ୱାଇଏସଆର ତେଲେଙ୍ଗାନା ମୁଖ୍ୟ ୱାଇଏସ ଶର୍ମିଳା ଭେଟିବା ପରେ ଏ ସମ୍ପର୍କୀତ ଚର୍ଚ୍ଚା ଜୋର ଧରିଛି। ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିବା ପରେ ଶର୍ମିଳା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଉପରେ ବର୍ଷିଛନ୍ତି।

କେସିଆରଙ୍କ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି ବୋଲି ସେ କହିଛନ୍ତି। ସେ ଲୋକଙ୍କ ମଙ୍ଗଳ ପାଇଁ କାମ କରୁଛନ୍ତି ବୋଲି କହିବା ସହ ରାହୁଲ ଓ ସୋନିଆଙ୍କ ସହ ବିସ୍ତୃତ ଭାବେ ଆଲୋଚନା ହୋଇଛି ବୋଲି ସେ କହିଛନ୍ତି।

ତେଣୁ ଉଭୟ ନେତାଙ୍କ ସହ ଆଲୋଚନା ସଫଳ ହୋଇଛି ବୋଲି ଶର୍ମିଳା କହିବା ପରେ ସେ ଓ ତାଙ୍କ ଦଳ କଂଗ୍ରେସରେ ମିଶିଯିବା ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ମଧ୍ୟ ଶର୍ମିଳା କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାରଙ୍କୁ ଭେଟିଥିଲେ।

ସେତେବେଳେ ଠାରୁ ଶର୍ମିଳାଙ୍କ କଂଗ୍ରେସରେ ଯୋଗ ଦାନ ସମ୍ପର୍କିତ ଚର୍ଚ୍ଚା ହୋଇଆସୁଛି। ଏପରିକି ରାହୁଲ ଗାନ୍ଧୀଙ୍କୁ ମଧ୍ୟ ବିଭିନ୍ନ ସମୟରେ ଟ୍ୱିଟ ମାଧ୍ୟମରେ ଶର୍ମିଳା ପ୍ରଶଂସା କରିଥାନ୍ତି ଓ ବିଭିନ୍ନ ପ୍ରସଙ୍ଗରେ ଧନ୍ୟବାଦ ଦେଇଥାନ୍ତି। ଯାହାକି କଂଗ୍ରେସ ପ୍ରତି ସେ ନିକଟତର ହେବାର ପ୍ରମାଣ ବୋଲି ଆଲୋଚନା ହୁଏ।

ଏପରିକି ବହୁ ପୂର୍ବରୁ ଶର୍ମିଳା କଂଗ୍ରେସରେ ମିଶିବାର ଥିଲେ ମଧ୍ୟ ତେଲେଙ୍ଗାନା କଂଗ୍ରେସର ପ୍ରମୁଖ ନେତୃତ୍ୱ ଏଥିରେ ବାଧକ ସାଜୁଥିବା କୁହାଯାଉଥିଲା। ଶର୍ମିଳାଙ୍କ ବାପା ୱାଇ ଏସ ରାଜଶେଖର ରେଡ୍ଡୀ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିବାବେଳେ ଏବେ ତାଙ୍କ ଭାଇ ଜଗନ ରେଡ୍ଡୀ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ।

ତେଣୁ ତେଲେଙ୍ଗାନାରେ ତାଙ୍କୁ ଦଳରେ ମିଶାଇଲେ ନିର୍ବାଚନ ଉପରେ ଏହାର କିଛି ପ୍ରତିକୂଳ ପ୍ରଭାବ ପଡିବ ବୋଲି ତେଲେଙ୍ଗାନା କଂଗ୍ରେସର କିଛି ନେତା ହାଇକମାଣ୍ଡଙ୍କୁ ଜଣାଇଥିବା ପୂର୍ବରୁ ଆଲୋଚନା ହେଉଥିଲା।

ତେଣୁ ଏବେ ନିର୍ବାଚନ ପାଖେଇ ଆସୁଥିବାବେଳେ କେତେବେଳେ ବି ତାରିଖ ଘୋଷଣା ହୋଇପାରେ। ତା ପୂର୍ବରୁ ଦିଲ୍ଲୀରେ କଂଗ୍ରେସ ନେତୃତ୍ୱଙ୍କୁ ଭେଟିବା ଓ ଆଲୋଚନା ସକାରାତ୍ମକ ବୋଲି ଶର୍ମିଳା କହିବା ପରେ ତେଲେଙ୍ଗାନା ରାଜନୀତି ଚଳଚଂଚଳ ହୋଇଉଠିଛି।

Leave A Reply

Your email address will not be published.