ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନକୁ ମାସେରୁ କମ୍ ସମୟ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଆବାସକୁ ନେଇ ତେଜିଛି ରାଜନୀତି । ଆଲିସାନ ସିଏମ୍ ଆବାସ ବା ବିରୋଧୀଙ୍କ ଭାଷାରେ ଶିଶମହଲକୁ ନେଇ ବିଜେପି ଓ ଆପ୍ ମୁହାଁମୁହିଁ ହୋଇଛନ୍ତି । ବିଜେପି ଲଗାତର ଶିଶମହଲକୁ ନେଇ ଆପକୁ ଆକ୍ଷେପ କରି ଚାଲିଥିବା ବେଳେ ଜବାବ ଦେବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସାମନାରେ ପହଞ୍ଚିଥିଲେ ଆପ୍ ନେତା। ତେବେ ଦିଲ୍ଲୀ ପୋଲିସ ସେମାନଙ୍କୁ ଭିତରକୁ ଛାଡିନଥିଲା । ଏହା ବିରୋଧରେ ଆପ୍ ନେତା ରାସ୍ତାରେ ଧାରଣାରେ ବସିଥିଲେ । ବିଜେପି ନେତାଙ୍କୁ ଉଭୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଦେଖାଇବାକୁ ଚାହୁଁଥିବା ଆପ୍ ନେତା ସୌରଭ ଭରଦ୍ବାଜ କହିଥିଲେ । ସେପଟେ ପୁଣି ଆଲିସାନ ମୁଖ୍ୟମନ୍ତ୍ରୀ ଆବାସକୁ ନେଇ ଭିଡିଓ ଜାରି କରିଛି ବିଜେପି ।
ବିଜେପିର ‘ଶିଶମହଲ’ ହମଲା
ଆମ ଆଦମୀ ପାର୍ଟିକୁ ଟାର୍ଗେଟ୍ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆବାସକୁ ଅସ୍ତ୍ର କରିଛି ବିଜେପି । ବିଜେପି ଅଭିଯୋଗ କରିଛି, ମରାମତି ନାଁରେ ମୁଖ୍ୟମନ୍ତ୍ରୀ ଆବାସକୁ ସେଭେନ୍ ଷ୍ଟାର ରିସୋର୍ଟରେ ପରିଣତ କରିଛନ୍ତି । ଗତ ଡିସେମ୍ବର ୪ତାରିଖରେ ବିଜେପି ଦିଲ୍ଲୀ ୟୁନିଟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଦିଲ୍ଲୀର ରାଜାବାବୁ ଦେଖାଇ ପୋଷ୍ଟର ଜାରି କରିଥିଲା । ଖାଲି ସେତିକି ନୁହେଁ ପୋଷ୍ଟରରେ ଲେଖାଯାଇଥିଲା ଆପ୍ ପ୍ରସ୍ତୁତ କରିଛି କୋଟି କୋଟି ଟଙ୍କାର ଶିଶମହଲ । ମୁଖ୍ୟମନ୍ତ୍ରୀ ଆବାସ ସଂପର୍କିତ ଭିଡିଓ ବି ଜାରି କରିଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୁଅନ୍ତୁ କି ଅମିତ ଶାହା ଶିଶମହଲକୁ ନେଇ ଆପକୁ ଲଗାତର ଟାର୍ଗେଟ୍ କରିଛନ୍ତି ।
ଆପର ‘ଶିଶମହଲ’ କାଉଣ୍ଟର
ବିଜେପି ମୁଖ୍ୟମନ୍ତ୍ରୀ ଆବାସକୁ ନିର୍ବାଚନୀ ମାହୋଲରେ ବଡ ପ୍ରସଙ୍ଗ କରିଥିବା ବେଳେ ଆମ ଆଦମୀ ପାର୍ଟି ବି ଜୋରଦାର କାଉଣ୍ଟର କରୁଛି । ବୁଧବାର ସତ ଦେଖାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆବାସ ସାମନାରେ ପହଞ୍ଚିଥିଲେ ଆପ୍ ନେତା । ମୁଖ୍ୟମନ୍ତ୍ରୀ ଆବାସରେ ସୁନାର ଟୟଲେଟ, ବାର, ସୁଇମିଂ ପୁଲ୍ ନେଇ ବିଜେପି ମିଛ କାହାଣୀ କହି ଆପକୁ ବଦନାମ କରିବାକୁ ଉଦ୍ୟମ କରୁଥିବା ଆପ୍ ନେତା ସଂଜୟ ସିଂ କହିଛନ୍ତି। ତେବେ ଆପ୍ ନେତା ସଂଜୟ ସିଂ ଓ ସୌରଭ ଭରଦ୍ବାଜଙ୍କୁ ଅଟକାଇଥିଲା ଦିଲ୍ଲୀ ପୋଲିସ । ଏହାପରେ ଉଭୟ ନେତା ଧାରଣାରେ ବସିଥିଲେ । କାହା କହିବାରେ ପୋଲିସ ସେମାନଙ୍କୁ ଛାଡିଲାନି ବୋଲି ଆପ୍ ନେତା ପ୍ରଶ୍ନ କରିଛନ୍ତି । ସେପଟେ ବିଜେପି ପୁଣି ସିଏମ୍ ଆବାସର ଭିଡିଓ ଜାରି କରିଛି ।
କଂଗ୍ରେସ ବି କରୁଛି ଆଟାକ୍
ଦିଲ୍ଲୀ ମଦ ନୀତି ଭଳି ମୁଖ୍ୟମନ୍ତ୍ରୀ ଆବାସ ପ୍ରସଙ୍ଗ ବି ପ୍ରଥମେ କଂଗ୍ରେସ ଉଠାଇଥିଲା । ୨୦୨୩ ମେ ୮ତାରିଖରେ କଂଗ୍ରେସ ନେତା ଅଜୟ ମାକେନଙ୍କ ଅଭିଯୋଗ ଆଧାରରେ ହିଁ ଦିଲ୍ଲୀ ଉପରାଜ୍ୟପାଳ ବିକେ ସକ୍ସେନା ସିଏମ୍ ବଙ୍ଗଳାରେ ହୋଇଥିବା ବେହିସାବ ଖର୍ଚ୍ଚ ନେଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ କଂଗ୍ରେସ ଆପ୍ ସହ ରହିବ କି ନାହିଁ ସେହି ଦ୍ବନ୍ଦ୍ବରେ ରହିଗଲା । ଆଉ ପ୍ରସଙ୍ଗ ହାଇଜାକ୍ କରିନେଲା ବିଜେପି । ତେବେ ଏକାକୀ ଦିଲ୍ଲୀ ନିର୍ବାଚନ ଲଢୁଥିବା କଂଗ୍ରେସ ଏବେ ଶିଶମହଲ ପ୍ରସଙ୍ଗରେ ଜୋରଦାର ହମଲା କରୁଛି ।
କାହିଁକି ଶିଶମହଲ ବଡ଼ ପ୍ରସଙ୍ଗ?
ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଆରମ୍ଭରୁ ସାଧାରଣ ଜନତାଙ୍କ ପ୍ରତିନିଧିତ୍ବ କରୁଥିବା ଦେଖାଇ ଆସିଛନ୍ତି । ରାଜନୀତି ଆରମ୍ଭ କରିଥିବା ବେଳେ ତତ୍କାଳୀନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ୩ଶହରୁ ଅଧିକ ରୁମ ଥିବା କୋଠାକୁ ନେଇ ପ୍ରଶ୍ନ ଉଠାଇଥିଲେ କେଜ୍ରିଓ୍ବାଲ । ମୁଖ୍ୟମନ୍ତ୍ରୀ ହେବା ପରେ ବି ସରକାରୀ ଗାଡି ଛାଡି ପୁରୁଣା ଓ୍ବାଗନର ବ୍ୟବହାର କରୁଥିଲେ । ଦଳର ନାଁ ବି ରହିଥିବା ଆମ ଆଦମୀ ପାର୍ଟି ଅର୍ଥାତ ସାଧାରଣ ଲୋକଙ୍କ ଦଳ । ସାଧାସିଧା ଜୀବନଶୈଳୀରେ ରାଜନୀତି କରିଆସୁଥିବା କେଜ୍ରିଓ୍ବାଲଙ୍କୁ ଏବେ ଯେତେବେଳେ ଜନତା ଆଲିସାନ ଲାଇଫଷ୍ଟାଇଲରେ ଦେଖୁଛନ୍ତି, ଆପର ରାଜନୀତିକୁ ନେଇ ପ୍ରଶ୍ନ ଉଠାଉଛନ୍ତି। ଅରବିନ୍ଦ କେଜ୍ରିଓ୍ବାଲ ଆମ ଆଦମୀ ନୁହନ୍ତି, ବିଜେପି ଜନତାଙ୍କ ଆଗରେ ଏହାହିଁ ପ୍ରମାଣିତ କରିବାକୁ ଚାହୁଁଛି । ଆଉ ସେଥିପାଇଁ ଦିଲ୍ଲୀ ମଦ ନୀତି ଭଳି ବଡ ପ୍ରସଙ୍ଗ ଥିଲେ ବି ଶିଶମହଲକୁ ପ୍ରମୁଖ ପ୍ରଚାର ପ୍ରସଙ୍ଗ କରିଛି ବିଜେପି ।