Latest Odisha News

BREAKING NEWS

ଶିଳ୍ପ ସମାଗମ ମେଳା: ଭାରତର ଉତ୍କୃଷ୍ଟ କାରିଗରୀର ପ୍ରଦର୍ଶନ ସହ ବଞ୍ଚିତ ବର୍ଗଙ୍କ ସଶକ୍ତିକରଣ

ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଶିଳ୍ପ ସମାଗମ ମେଳା ଉଦଘାଟିତ ହୋଇଛି। ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି ମେଳା ଆୟୋଜନ କରାଯାଉଛି। ଆଜି ଠାରୁ ଆରମ୍ଭ ହୋଇ ଏହି ମେଳା ଆସନ୍ତା ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ସଚିବ ଅମିତ ଯାଦବ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।

ଉଦଘାଟନୀ କାର୍ଯ୍ୟକ୍ରମରେ ବରିଷ୍ଠ ଅଧିକାରୀ ଏବଂ ମାନ୍ୟଗଣ୍ୟ ଅତିଥିମାନେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ତଥା ‘ସବକା ସାଥ୍, ସବକା ବିକାଶ୍’ ନୀତି ଦ୍ୱାରା ପରିଚାଳିତ ଏହି ମେଳା ଅନୁସୂଚିତ ଜାତି, ପଛୁଆ ବର୍ଗ, ସଫେଇ ମିତ୍ର ଏବଂ ଡିଏନଟିର କାରିଗରମାନଙ୍କୁ ସଶକ୍ତ କରିବା ପାଇଁ ଏକ ଜାତୀୟ ମଞ୍ଚ ଭାବରେ କାର୍ଯ୍ୟ କରେ। ଏହା ସେମାନଙ୍କୁ ଆର୍ଥିକ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହନ ମିଳିବ।

ଚଳିତ ବର୍ଷର ସଂସ୍କରଣରେ ୧୪ଟି ରାଜ୍ୟର ୭୫ରୁ ଅଧିକ କାରିଗର ମେଳାରେ ଅଂଶଗ୍ରହଣ କରିଛନ୍ତି। ସେମାନେ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ, ହସ୍ତତନ୍ତ ସାମଗ୍ରୀ ପ୍ରଦର୍ଶନ କରୁଛନ୍ତି। ମେଳାର ଏକ ପ୍ରମୁଖ ବିଶେଷତ୍ୱ ହେଉଛି ‘ତୁଲିପ’ (ପାରମ୍ପରିକ କାରିଗର ଉତ୍ଥାନ ଜୀବିକା କାର୍ଯ୍ୟକ୍ରମ) ବ୍ରାଣ୍ଡର ପ୍ରଚାର ପ୍ରସାର। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ୫ ନଭେମ୍ବର ୨୦୨୪ରେ ନୂଆଦିଲ୍ଲୀର ଦିଲ୍ଲୀ ହାଟଠାରେ ଆୟୋଜିତ ଶିଳ୍ପ ସମାଗମ ମେଳାରେ ଏହାକୁ ଶୁଭାରମ୍ଭ କରିଥିଲେ। ‘ତୁଲିପ’ ଏପରି ଏକ ପ୍ରୟାସ ଯାହାର ଲକ୍ଷ୍ୟ ହେଉଛି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ବଜାର ସୁବିଧା ଯୋଗାଇ ଦେଇ ପାରମ୍ପରିକ କାରିଗରମାନଙ୍କୁ ସଶକ୍ତ କରିବା।

ବିଭାଗୀୟ ସଚିବ ଅମିତ ଯାଦବ କହିଛନ୍ତି, ଶିଳ୍ପ ସମାଗମ ମେଳା କେବଳ ଏକ ବଜାର ନୁହେଁ, ବରଂ ଦକ୍ଷତା, ସଂସ୍କୃତି ଏବଂ ଦୃଢ଼ତାର ଏକ ଉତ୍ସବ। ଏହା ସବୁଠାରୁ ଅଧିକ ଆବଶ୍ୟକ କରୁଥିବା ଲୋକଙ୍କୁ ସଶକ୍ତ କରି ଆତ୍ମନିର୍ଭର ଭାରତ ଅଭିଯାନକୁ ମଜବୁତ କରିଥାଏ। ହସ୍ତଶିଳ୍ପ ପ୍ରଦର୍ଶନୀ ବ୍ୟତୀତ, ମେଳାରେ ଆଞ୍ଚଳିକ କଳାକାରମାନଙ୍କ ଦ୍ୱାରା କଳା ପ୍ରଦର୍ଶନ ସହିତ ସାଂସ୍କୃତିକ ସନ୍ଧ୍ୟା ଏବଂ ଏକ ବ୍ୟଞ୍ଜନ କ୍ଷେତ୍ର ଆୟୋଜନ କରାଯାଉଛି। ଏଠାରେ ସାରା ଭାରତର ବିଭିନ୍ନ ସ୍ଥାନରୁ ଦେଶୀ ସୁସ୍ୱାଦୁ ଖାଦ୍ୟସାମଗ୍ରୀ ଉପଲବ୍ଧ।

ସୂଚନାଯୋଗ୍ୟ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ସମାଜର ଅବହେଳିତ ବର୍ଗ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଥାଏ। ବିଭାଗ ଏବଂ ଏହାର ଅଗ୍ରଣୀ ନିଗମଗୁଡ଼ିକର ପ୍ରମୁଖ ଯୋଜନା/କାର୍ଯ୍ୟକଳାପର ପ୍ରଚାର ଓ ପ୍ରସାର ପାଇଁ ନିର୍ଦ୍ଦିଷ୍ଟ କ୍ଷେତ୍ର ପ୍ରସ୍ତୁତ କରାଯାଇଛି।

Comments are closed.