Latest Odisha News

ରୋଜଗାର ସୃଷ୍ଟି ପାଇଁ ‘ସର୍ଟ ଟର୍ମ’ ସ୍କିମ୍ ? 

ଭୁବନେଶ୍ଵର: ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ ଉପସ୍ଥାପନ ହେଲା ପରେ ଜାରି ରହିଛି ଆଲୋଚନା -ପର୍ଯ୍ୟାଲୋଚନା । ଅର୍ଥନୀତି ବିଶେଷଜ୍ଞମାନେ ବଜେଟ ତର୍ଜମା ଜାରି ରଖିଛନ୍ତି । ଭାରତୀୟ ଅର୍ଥବ୍ୟବସ୍ଥାର ଦୁଇ ବଡ ସମସ୍ୟାର ସମାଧାନ ପାଇଁ ବଜେଟରେ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତୃତୀୟ ଘୋଷଣାଟି ଏନଡିଏର ଦୁଇ ମୁଖ୍ୟ ସହଯୋଗୀଙ୍କ ସନ୍ତୁ୍‌ଷ୍ଟିକରଣ ପାଇଁ କରାଯାଇଛି ।

ଲୋକସଭା ନିର୍ବାଚନରେ ବିଜେପିର ନିରାଶାଜନକ ପ୍ରଦର୍ଶନ ପଛରେ ବିଭିନ୍ନ କାରଣ ମଧ୍ୟରେ ଥିଲା ବେକାରୀ ସମସ୍ୟା । ନିଯୁକ୍ତି ସୁଯୋଗର ଅଭାବ ଯୋଗୁଁ ମୋଦି ସରକାରଙ୍କଠାରୁ ମୁହଁ ଫେରାଇ ନେଇଥିଲେ ଯୁବବର୍ଗ । ନିର୍ବାଚନୀ କ୍ଷତିକୁ ଦୃଷ୍ଟିରେ ରଖି ମୋଦି ସରକାର ବଜେଟରେ ଯୁବବର୍ଗ ଓ ନିଯୁକ୍ତି ସୃଷ୍ଟି ପାଇଁ ଚେଷ୍ଟା କରିଛନ୍ତି । ଏହା ଦ୍ୱାରା ୪ ଦଶମିକ ୧ କୋଟି ଯୁବକ ଉପକୃତ ହେବେ । ରୋଜଗାର ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ପ୍ୟାକେଜର ଅଂଶବିଶେଷ ଭାବେ ତିନିଟିି ଯୋଜନା କାର୍ଯ୍ୟକାରୀ ହେବ । କର୍ମଚାରୀମାନଙ୍କ ସମେତ ନିଯୁକ୍ତିଦାତାଙ୍କୁ ମଧ୍ୟ ପ୍ରୋତ୍ସାହନ ଦେବା ଯୋଜନାର ଉଦ୍ଦେଶ୍ୟ ।

ପ୍ରଥମ ଯୋଜନାରେ ପଂଜିକୃତ ହୋଇଥିବା ଏକ ବଡ ସଂସ୍ଥାରେ ନବ ନିଯୁକ୍ତ କର୍ମଚାରୀଙ୍କୁ ଗୋଟିଏ ମାସର ଅତିରିକ୍ତ ଦରମା ଦିଆଯିବ । ଇପିଏଫଓରେ ପଂଜୀକୃତ ଓ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାସିକ ଦରମା ପାଉଥିବା ନବନିଯୁକ୍ତ କର୍ମଚାରୀଙ୍କୁ ୩ଟି କିସ୍ତିରେ ଗୋଟିଏ ମାସର ଦରମା ଦେବ ଇପିଏଫଓ । ଦ୍ୱିତୀୟ ଯୋଜନାରେ ଉତ୍ପାଦନ କ୍ଷେତ୍ରରେ ପ୍ରବେଶ କରୁଥିବା ନୂଆ କର୍ମଚାରୀଙ୍କୁ ପ୍ରୋତ୍ସାହନ ଦିଆଯିବ । ନିର୍ଦ୍ଦିଷ୍ଟ ବେତନ ହାର ପାଇଁ ନିଯୁକ୍ତିଦାତା ଓ ନୂଆ କର୍ମଚାରୀଙ୍କୁ ପ୍ରଥମ ଚାରି ବର୍ଷ ପାଇଁ କେନ୍ଦ୍ର ସରକାର ପ୍ରୋତ୍ସାହନ ଅର୍ଥ ଦେବେ । ତୃତୀୟ ଯୋଜନାରେ ମାସକୁ ଲକ୍ଷେ ଟଙ୍କା ଦରମାରେ ନିଯୁକ୍ତି ପାଉଥିବା ଅତିିରିକ୍ତ କର୍ମଚାରୀ ଉପକୃତ ହେବେ । ୨ ବର୍ଷ ପାଇଁ ନିଯୁକ୍ତିଦାତା ପ୍ରତି ନୂଆ କର୍ମଚାରୀଙ୍କ ପାଇଁ ଇପିଏଫଓ ଦେଉଥିବା ୩ ହଜାର ଟଙ୍କା ପର୍ଯ୍ୟନ୍ତ ଯୋଗଦାନକୁ ଭରଣା କରିବେ ସରକାର ।

ରୋଜଗାର ସୁଯୋଗ ସୃଷ୍ଟି ପାଇଁ ମୋଦି ସରକାରଙ୍କ ଯୋଜନାରେ କୌଣସି ସ୍ୱତନ୍ତ୍ରତା ନାହିଁ । କିଛି ଅର୍ଥନୀତିଜ୍ଞଙ୍କ ମତରେ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ମୋଦି ସରକାର କେବଳ ସର୍ଟ ଟର୍ମ ଘୋଷଣା କରିଛନ୍ତି । ଏହା ବେକାରୀ ସମସ୍ୟା ଦୂର କରିପାରିବ ନାହିଁ । ପ୍ରୋତ୍ସାହନ ଦ୍ୱାରା ରୋଜଗାର ବଢିବ ନାହିଁ ବୋଲି ମତ ପ୍ରକାଶ ପାଇଛି । ରୋଜଗାର ବଢାଇବା ପାଇଁ ମ୍ୟାନୁଫାକଚରିଂର ପରିସର ବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେବା ଆବଶ୍ୟକ । ଏଥିସହ ଶିକ୍ଷା, କୌଶଳ ବିକାଶ ଓ ସ୍ୱାସ୍ଥ୍ୟକ୍ଷେତ୍ରରେ ବ୍ୟାପକ ପୁଂଜି ନିବେଶର ଆବଶ୍ୟକ ରହିଛି ବୋଲି ଅର୍ଥନୀତିଜ୍ଞ ମତ  ଦେଇଛନ୍ତି । ଏସବୁ ବିନା ବ୍ୟାପକ ରୋଜଗାର ସୃଷ୍ଟି କରିବା ଅସମ୍ଭବ ବୋଲି କିିଛି ଅର୍ଥନୀତିଜ୍ଞ କହିଛନ୍ତି ।

Comments are closed.