Latest Odisha News

BREAKING NEWS

BJP On Belonging: ସୋନିଆଙ୍କ ବହିକୁ ନେଇ ତେଜିଲା ରାଜନୀତି, କଟାକ୍ଷ କରି କହିଲା ବିଜେପି, ‘ଇତିହାସର ଭୁଲ୍‌କୁ ଘୋଡ଼ାଇବାର ପ୍ରୟାସ…’

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନୂଆ ପୁସ୍ତକକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ସୋନିଆଙ୍କ ଆତ୍ମଜୀବନୀ ‘ବିଲଙ୍ଗିଙ୍ଗ୍: ଏ ଜର୍ଣ୍ଣି ଅଫ୍ ଲଭ୍’ ପ୍ରକାଶ ପାଇବା ପରେ ଏହାକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ବାକ୍‌ଯୁଦ୍ଧ ତେଜିଛି। ବିଜେପି ଏହି ପୁସ୍ତକର ନାଁ ‘ବିଲଙ୍ଗିଙ୍ଗ୍’ ବଦଳରେ ‘ହ୍ବାଇଟଓ୍ବାସିଙ୍ଗ(ସତ୍ୟକୁ ଲୁଚାଇବା)’ ରଖିବା ଉଚିତ୍‌ ଥିଲା ବୋଲି କହି କଟାକ୍ଷ କରିଛି।

ବିଜେପିର ଜାତୀୟ ମୁଖପାତ୍ର ସିଆର୍‌ କେଶବନ୍‌ ଅଭିଯୋଗ କରିଛନ୍ତି ଯେ, ନେହରୁ-ଗାନ୍ଧୀ ପରିବାରର ଐତିହାସିକ ଭୁଲ୍‌ ଏବଂ କଂଗ୍ରେସ ସରକାରଙ୍କ ନିଷ୍ପତ୍ତିକୁ ଏହି ପୁସ୍ତକରେ ନରମ ଭାବରେ ଉପସ୍ଥାପନ କରିବାକୁ ଉଦ୍ୟମ ହୋଇଛି। ତାଙ୍କ ମତରେ, ଏହା ଇତିହାସର ଭୁଲ୍‌ଗୁଡ଼ିକୁ ଘୋଡ଼ାଇବା ଏବଂ ସେଗୁଡ଼ିକୁ ସାଧାରଣ ଘଟଣା ଭାବେ ଦେଖାଇବାର ଏକ ପ୍ରୟାସ।

ସୋନିଆଙ୍କ ପୁସ୍ତକରେ ୧୯୭୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଲାଗୁ କରିଥିବା ଜରୁରୀକାଳୀନ ପରିସ୍ଥିତି ବା ଏମର୍ଜେନ୍ସିକୁ ଏକ ଭୁଲ୍‌ ବୋଲି ବର୍ଣ୍ଣନା କରାଯାଇଛି। ସୋନିଆଙ୍କ ଲେଖା ଅନୁସାରେ, ତାଙ୍କ ଶାଶୂ ଇନ୍ଦିରା ଗାନ୍ଧୀ ମଧ୍ୟ ପରବର୍ତ୍ତୀ ସମୟରେ ଏହାକୁ ଭୁଲ୍‌ ବୋଲି ମନେ କରିଥିଲେ। ଏମର୍ଜେନ୍ସି ସମୟରେ ହୋଇଥିବା ଅନେକ କ୍ଷତିକୁ ରୋକାଯାଇ ପାରିଥାନ୍ତା, ଯଦି ଇନ୍ଦିରା ଗାନ୍ଧୀ ତାଙ୍କ ସାନ ପୁଅ ସଞ୍ଜୟ ଗାନ୍ଧୀଙ୍କ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ରଖିଥାନ୍ତେ ବୋଲି ମଧ୍ୟ ସେ ଲେଖିଛନ୍ତି। ତେବେ କେଶବନ୍‌ ଏହି ଆତ୍ମଜୀବନୀକୁ ଏମର୍ଜେନ୍ସିର ପ୍ରକୃତ ଘଟଣାକୁ ସାମ୍ନାକୁ ଆଣିବା ପରିବର୍ତ୍ତେ ତାହାକୁ ଯଥାର୍ଥ ବୋଲି ଦର୍ଶାଇବାର ପ୍ରୟାସ ବୋଲି କହିଛନ୍ତି। ଏମର୍ଜେନ୍ସି ସମୟରେ ମୌଳିକ ଅଧିକାର ସ୍ଥଗିତ ରହିବା, ଗଣମାଧ୍ୟମ ଉପରେ ସେନ୍ସରସିପ୍‌ ଏବଂ ଅନ୍ୟାନ୍ୟ କଟକଣା ପ୍ରସଙ୍ଗରେ ସୋନିଆଙ୍କ ଆଭିମୁଖ୍ୟକୁ ମଧ୍ୟ ସେ ପ୍ରଶ୍ନ କରିଛନ୍ତି।

ଏହା ସହ ବାବ୍ରି ମସଜିଦ୍‌ ଭଙ୍ଗା ଘଟଣାକୁ ନେଇ ସୋନିଆଙ୍କ ମତ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି ବିଜେପି। ସୋନିଆ ବାବ୍ରି ମସଜିଦ୍‌ ଘଟଣାରେ କାନ୍ଦିଥିବା ଉଲ୍ଲେଖ କରିଥିବା ବେଳେ, ୧୯୮୪ ମସିହାର ଶିଖ୍‌ ବିରୋଧୀ ଦଙ୍ଗାରେ ହଜାର ହଜାର ନିରୀହ ଲୋକଙ୍କ ମୃତ୍ୟୁ ନେଇ ସେ ସମାନ ଭାବେ ଦୁଃଖ ପ୍ରକାଶ କରିଥିଲେ କି ବୋଲି କେଶବନ୍‌ ପ୍ରଶ୍ନ କରିଛନ୍ତି। ୨୦୦୮ ମସିହାର ବାଟଲା ହାଉସ୍‌ ଏନ୍‌କାଉଣ୍ଟର ପ୍ରସଙ୍ଗ ଏବଂ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା CRPF ଯବାନଙ୍କ ପ୍ରତି ସୋନିଆଙ୍କ ଆଭିମୁଖ୍ୟକୁ ନେଇ ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ଏପରିକି ୨୦୦୮ ମୁମ୍ବାଇ ୨୬/୧୧ ଆତଙ୍କୀ ଆକ୍ରମଣ ସମୟରେ କଂଗ୍ରେସ ନେତୃତ୍ୱାଧୀନ UPA ସରକାର କାହିଁକି ପ୍ରତିଆକ୍ରମଣ କରିନଥିଲେ, ସେନେଇ ମଧ୍ୟ ପ୍ରଶ୍ନ ଉଠାଇଛି ବିଜେପି।

ଏହାବ୍ୟତୀତ କଂଗ୍ରେସର ପୂର୍ବତନ ବୈଦେଶିକ ମନ୍ତ୍ରୀ କେ. ନଟୱର ସିଂହଙ୍କ ୨୦୧୪ ମସିହାର ଆତ୍ମଜୀବନୀ ‘One Life Is Not Enough’କୁ ନେଇ ମଧ୍ୟ କେଶବନ୍‌ ପ୍ରଶ୍ନ ଉଠାଇଛନ୍ତି। ଏହି ପୁସ୍ତକ ପ୍ରକାଶ ପାଇବା ପୂର୍ବରୁ ସୋନିଆ ଓ ପ୍ରିୟଙ୍କା ଗାନ୍ଧୀ ତାଙ୍କୁ ଭେଟିଥିବା ଘଟଣାକୁ ଉଲ୍ଲେଖ କରି, ପ୍ରାୟ ସାଢ଼େ ଆଠ ବର୍ଷର ବ୍ୟବଧାନ ପରେ ଏହି ସାକ୍ଷାତର କାରଣ କ’ଣ ଥିଲା ବୋଲି ପଚାରିଛନ୍ତି। ୨୦୦୪ରେ ସୋନିଆ ଗାନ୍ଧୀ କାହିଁକି ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିନଥିଲେ, ସେ ସମୟର ଘଟଣା ସମ୍ପର୍କରେ ନଟୱର ସିଂହଙ୍କ ପୁସ୍ତକରେ କ’ଣ ଲେଖାଯିବ, ତାହାକୁ ନେଇ ସୋନିଆ ଚିନ୍ତିତ ଥିଲେ କି ବୋଲି କେଶବନ୍‌ ପ୍ରଶ୍ନ କରିଛନ୍ତି।

ଶେଷରେ କେଶବନ୍‌ କହିଛନ୍ତି, କେନ୍ଦ୍ରରେ ପ୍ରାୟ ୫୫ ବର୍ଷ ଧରି କଂଗ୍ରେସର ଶାସନ ଭାରତୀୟ ରାଜନୀତି ଓ ଗଣତନ୍ତ୍ର ଉପରେ ଗଭୀର କ୍ଷତ ସୃଷ୍ଟି କରିଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେହି ଐତିହାସିକ ଭୁଲ୍‌ଗୁଡ଼ିକୁ ସୁଧାରିବାର କାମ କରୁଛନ୍ତି ବୋଲି ସେ ଦାବି କରିଛନ୍ତି। ଯାହାକୁ ନେଇ ତେଜିଛି ଜାତୀୟ ରାଜନୀତି ।

Leave A Reply

Your email address will not be published.