ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ବିଭାଗ ଗୁରୁବାର ଦିନ କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକର ବରିଷ୍ଠ ରାଜସ୍ୱ ସହାୟକ (SRA) ଶଶିକାନ୍ତ ରାଣାଙ୍କୁ ଗିରଫ କରିଛି। ସେ ୩.୦୩ କୋଟି ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ୍ କରିବା ଅଭିଯୋଗରେ ଫେରାର ଥିଲେ।
ଏହି ଅର୍ଥ ହେରଫେର ଘଟଣା ସାମ୍ନାକୁ ଆସିବା ପରେ ରାଣା ଦୀର୍ଘ ଦିନ ଧରି ଫେରାର ଥିଲେ। ଡିଜିଟାଲ୍ ଟ୍ରାକିଂ ମାଧ୍ୟମରେ ତାଙ୍କର ଅବସ୍ଥିତି ଅନୁଗୋଳରେ ଥିବା ଜଣାପଡ଼ିବା ପରେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି।
ଭିଜିଲାନ୍ସ ପକ୍ଷରୁ ଜାରି ଏକ ବିବୃତ୍ତି ଅନୁଯାୟୀ, ରାଣା କ୍ରମାଗତ ଭାବେ ଦୁଇଟି କାର୍ଯ୍ୟସ୍ଥାନରେ ନିୟୋଜିତ ଥିବା ସମୟରେ ସୁଚିନ୍ତିତ ଭାବେ ସରକାରୀ ପାଣ୍ଠି ହଡ଼ପ କରିଥିଲେ। ସେ ଏହି ସମୟରେ ‘ଏଷ୍ଟାବ୍ଲିଶମେଣ୍ଟ ସେକ୍ସନ୍’ (ପ୍ରତିଷ୍ଠାନ ବିଭାଗ)ର ଦାୟିତ୍ୱରେ ଥିଲେ ଯେଉଁଠାରେ କର୍ମଚାରୀଙ୍କ ଦରମା, ବକେୟା ରାଶି ଏବଂ ପେନସନ୍ ସମ୍ବନ୍ଧୀୟ କାର୍ଯ୍ୟ ପରିଚାଳନା କରାଯାଏ।
୩୦ ଅଗଷ୍ଟ ୨୦୨୩ ରୁ ୪ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ରାଜକନିକା ବ୍ଲକରେ କାର୍ଯ୍ୟ କରିବା ସମୟରେ ସେ ୧,୪୬,୬୮,୧୧୮ ଟଙ୍କା ଏବଂ ୭ ଜାନୁଆରୀ ୨୦୨୫ ରୁ ୧୩ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଡେରାବିଶ ବ୍ଲକରେ କାର୍ଯ୍ୟ କରିବା ସମୟରେ ୧,୫୬,୯୭,୭୨୫ ଟଙ୍କା ଆତ୍ମସାତ୍ କରିଥିଲେ। ମୋଟ ଉପରେ ସେ ୩,୦୩,୬୫,୮୪୩ ଟଙ୍କା ହଡ଼ପ କରିଛନ୍ତି।
ଅଭିଯୁକ୍ତ ଜଣକ ‘ଏଚ୍ଆର୍ଏମ୍ଏସ୍’ (HRMS) ପୋର୍ଟାଲରେ ଅବସରପ୍ରାପ୍ତ ଏବଂ ମୃତ କର୍ମଚାରୀଙ୍କ ନାମରେ ଦରମା, ବକେୟା ରାଶି, ଗ୍ରାଚୁଇଟି, ବ୍ୟବହାର ହୋଇନଥିବା ଛୁଟି ଏବଂ ପେନସନ୍ ପାଇଁ ଜାଲ୍ ଦାବି ଦାଖଲ କରି ହିତାଧିକାରୀଙ୍କୁ ଦିଆଯାଉଥିବା ଅର୍ଥରାଶିର ରେକର୍ଡରେ ହେରଫେର କରିଥିଲେ।
ପ୍ରକୃତ ହିତାଧିକାରୀଙ୍କୁ ଅର୍ଥରାଶି ପ୍ରଦାନ କରିବା ପରିବର୍ତ୍ତେ, ସେ ସେମାନଙ୍କ ବ୍ୟାଙ୍କ ଖାତା ବିବରଣୀ ବଦଳାଇ ନିଜର ଏବଂ ନିଜ ପରିବାର ସଦସ୍ୟଙ୍କ (ଯଥା- ପତ୍ନୀ, ପିତା, ଭାଇ ଏବଂ ଜଣେ ସମ୍ପର୍କୀୟ) ବ୍ୟକ୍ତିଗତ ବ୍ୟାଙ୍କ ଖାତା (SBI, ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଇଣ୍ଡିଆନ୍ ବ୍ୟାଙ୍କ, କେନ୍ଦ୍ରାପଡ଼ା ଶାଖା) ସେଥିରେ ଯୋଡ଼ି ଦେଇଥିଲେ ଏବଂ NEFT ମାଧ୍ୟମରେ ଅର୍ଥ ହସ୍ତାନ୍ତର କରିଥିଲେ।
ଏହି ଘଟଣାରେ ରାଣାଙ୍କ ବିରୋଧରେ PC (Prevention of Corruption) ସଂଶୋଧନ ଆଇନ, ୨୦୧୮ର ଧାରା ୧୩(୨) ସହ ପଠନୀୟ ଧାରା ୧୩(୧)(a) ଏବଂ BNS (ଭାରତୀୟ ନ୍ୟାୟ ସଂହିତା)ର ଧାରା ୩୧୬(୫)/୩୧୮(୪)/୩୩୬(୩)/୩୪୪/୬୧(୨) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ତାଙ୍କୁ କଟକ ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଅଦାଲତକୁ ହାଜର କରାଯାଇଥିବା ବେଲେଲ ଏ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।
