ଭୁବନେଶ୍ୱର: କଂଗ୍ରେସର ଦୁଇଜଣ ବିଧାୟକଙ୍କୁ ଜାରି ହୋଇଛି କାରଣ ଦର୍ଶାଅ ନୋଟିସ୍ । ଦଳୀୟ ଶୃଙ୍ଖଳା ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଶୋର ପଟେଲ ଏହି ନୋଟିସ୍ ଜାରି କରିଛନ୍ତି। ଏହି ଦୁଇ ବିଧାୟକ ହେଲେ ବିଧାୟକ ମହମ୍ମଦ ମୋକିମ ଓ ସୁରେଶ ରାଉତରାୟ ।
ମୋକିମ ଓ ସୁର ରାଉତରାୟଙ୍କ ବିରୋଧରେ ଦଳୀୟ ଶୃଙ୍ଖଳା ଓ ଅନୁଶାସନ ଭଙ୍ଗ ଅଭିଯୋଗ ଆସିଥିଲା । ଅଭିଯୋଗକୁ ଭିତ୍ତିକରି ଏହି ନୋଟିସ୍ କରାଯାଇଛି। ୭ ଦିନ ଭିତରେ ନୋଟିସ୍ର ଉତ୍ତର ରଖିବାକୁ ସୁର ରାଉତରାୟ ଓ ମୋକିମଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପଦ୍ମପୁରରେ ଭୋଟ୍ ବିକ୍ରି ନେଇ ଗଣମାଧ୍ୟମରେ ୨ ବିଧାୟକ ଆକ୍ଷେପ କରିଥିଲେ। ଏନେଇ ଦୁଇ ବିଧାୟକଙ୍କୁ ନୋଟିସ ଜାରି କରାଯାଇଥିଲା ।
ଏ ନେଇ ସୁର ରାଉତରାୟ କହିଛନ୍ତି, ମୁଁ କଂଗ୍ରେସର ସଚ୍ଚୋଟ, ବିଶ୍ୱସ୍ତ କର୍ମୀ । କଂଗ୍ରେସର କ୍ଷତି ହେଲା ପରି କୌଣସି ମତାମତ ଦିଏ ନାହିଁ । କଂଗ୍ରେସ ହେଉଛି ମୋର ମନ୍ଦିର । ସୋନିଆ ଏବଂ ରାହୁଲ ମୋର ଦେବୀଦେବ । ମୋ ପାଟିରୁ ସତ କଥା ବାହାରେ। ଯଦି ମୋ ବିରୋଧରେ ଏପରି ଅଭିଯୋଗ ଆସିଛି ମୁଁ ତାର ଉତ୍ତର ଦେବି । ଯାହା ଦଣ୍ଡଦେବେ ହସି ହସି ଗ୍ରହଣ କରିବି । ମୁଁ କଂଗ୍ରେସର କିଛି ଭୁଲ କରିନି, କରିବିନି । କଂଗ୍ରେସରୁ ବାହାରିଲେ ବି ମୁଁ କଂଗ୍ରେସର ରହିବି ।
ସେହିପରି ମହମ୍ମଦ ମୋକିମ କହିଛନ୍ତି, ସେ କିଛି ଭୁଲ କହିନାହାନ୍ତି । ଯାହା କହିଛତି ସତ କତା । ତେବେ ସେ ଏ ବିଷୟରେ ଦଳ ପକ୍ଷରୁ କୌଣସି ନୋଟିସ ପାଇନି । ପାଇଲେ ନିଶ୍ଚୟ ଜଣାଇବେ ବୋଲି କହିଛନ୍ତି ।
ଏଠି କହିରଖିବୁ, ପଦ୍ମପୁର ଉପନିର୍ବାଚନରେ କଂଗ୍ରେସ ହାରିବା ପରେ ବିଜେପି ନେତା ଜୟନାରାୟଣ ମିଶ୍ର ଅଭିଯୋଗ କରିଥିଲେ ଯେ, ବିଜେଡି ଓ କଂଗ୍ରେସ ମଧ୍ୟରେ ଡିଲ୍ ହୋଇଥିଲା । ଏହି ଅଭିଯୋଗକୁ ସତ ବୋଲି କଂଗ୍ରେସ ନେତା ସୁର ରାଉତରାୟ କହିଥିଲେ । କଂଗ୍ରେସର ଭୋଟ କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଥିଲେ ।
Comments are closed.