ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର”
ସ୍ଥୂଳ ବର୍ଣ୍ଣନା :-
ଶ୍ରୀଜଗନ୍ନାଥ ମନ୍ଦିରର ବିମାନ ବା ଗର୍ଭଗୃହ ପଞ୍ଚରଥ ଶୈଳୀରେ ନିର୍ମିତ ଏକ ରେଖ ଦେଉଳ । ପୂର୍ବ ବର୍ଣ୍ଣିତ ଉଚ୍ଚତା ବିଶିଷ୍ଟ ଉକ୍ତ ମନ୍ଦିର ଶିଳ୍ପଶାସ୍ତ୍ରରେ ଉଲ୍ଲିଖିତ ନିୟମ ଅନୁସାରେ ନିମ୍ନରୁ ଶୀର୍ଷ ପର୍ଯ୍ୟନ୍ତ ଉଲମ୍ବ ଭାବରେ ପୀଷ୍ଟ ବା ପୀଠ, ବାଡ଼, ଗଣ୍ଡି ଓ ମସ୍ତକ ଏହି ଭଳି ଚାରିଭାଗରେ ବିଭକ୍ତ । ପୁନଶ୍ଚ ଏହି ଭାଗଗୁଡ଼ିକ ମଧ୍ୟ ଶାସ୍ତ୍ରୀୟ ଭିତ୍ତିରେ ବିିଭିନ୍ନ ଉପଭାଗରେ ବିଭାଜିତ ହୋଇଥାଏ । ବିମାନକୁ ଚତୁଃପାଶ୍ୱର୍କୁ ପଞ୍ଚରଥ ନିୟମରେ ପାଞ୍ଚ ଭାଗରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ପାଶ୍ୱର୍ର ମଧ୍ୟାଂଶକୁ ରାହା ପଗ ବା ଭଦ୍ର, ରାହାର ଦୁଇ ପାଶ୍ୱର୍କୁ ଲାଗି ଅନୁରଥ ପଗ ଏବଂ ଉଭୟ ପାଶ୍ୱର୍ର ଅନୁରଥ ପଗକୁ ସଂଲଗ୍ନ ହୋଇ ଅର୍ଥାତ୍ ପ୍ରତ୍ୟେକ ପାଶ୍ୱର୍ର ବାମ ଓ ଦକ୍ଷିଣ କୋଣରେ କୋଣିକ ବା କନିକ ପଗ ଅବସ୍ଥିିତ । ଏହି ବିଭାଜନ ପ୍ରଣାଳୀ ବିମାନର ସ୍କନ୍ଧ ପର୍ଯ୍ୟନ୍ତ ଦୃଶୀଭୂତ ହୁଏ ।
ବିମାନର ନିର୍ମାଣରେ ମୁଖ୍ୟତଃ ବଉଳମାଳିଆ ବା ଖୋଣ୍ଡଲାଇଟ୍ ପଥର ବ୍ୟବହାର ହୋଇଥିବା ବେଳେ ଏହାର ମୂଳଦୁଆ ମାଙ୍କଡ଼ା ପଥର ବା ଲାଟରାଇଟ୍ରେ ନିର୍ମିିତ ହେଇଥିବା ଜଣାଯାଏ । ସୁକ୍ଷ୍ମ କାରୁକାର୍ଯ୍ୟ ପାଇଁ ବଉଳମାଳିଆ ପଥର ଅତ୍ୟନ୍ତ ଉପଯୋଗୀ । ବିମାନର ତିନି ପାଶ୍ୱର୍ରେ ଯଥା ଦକ୍ଷିଣ, ପଶ୍ଚିମ ଓ ଉତ୍ତର ପାଶ୍ୱର୍ରେ ରହିଥିବା ପାଶ୍ୱର୍ ଦେବତାମାନଙ୍କ ବିଗ୍ରହ କେବଳ କଳା ମୁଗୁନି ପଥରରେ ହୋଇଥିବା ବ୍ୟତିତ ଆମୂଳଚୂଳ ସମସ୍ତ କାରୁକାର୍ଯ୍ୟ ଉପରୋକ୍ତ ବଉଳମାଳିଆ ପଥରରେ ସମ୍ପନ୍ନ ହୋଇଅଛି । ପ୍ରକାଶ୍ୟଯୋଗ୍ୟ ଯେ ଶ୍ରୀମନ୍ଦିର ନିର୍ମାଣ କାଳରେ ସିମେଣ୍ଟର ଉଦ୍ଭାବନ ହୋଇନଥିଲା । ଏହି ବିଶାଳ ମନ୍ଦିର ନିର୍ମାଣରେ ଶିଳ୍ପୀମାନେ ପଥର ଯୋଡ଼େଇ ନିମନ୍ତେ ମୁଖ୍ୟତଃ ପାରମ୍ପରିକ ଜ୍ଞାନକୌଶଳର ପ୍ରୟୋଗ କରିଛନ୍ତି । ପଥର ଖଣ୍ଡକୁ ଭଲ ଭାବେ ସୁଆଁଶ କରି ଗୋଟିକ ଉପରେ ଆଉ ଏକ ପଥର ଖଣ୍ଡକୁ ଖଞ୍ôଚବାରେ କେବଳ ପଥର- ଚାବି, ଲୌହ କ୍ଲାମ୍ପ ଓ କଣ୍ଟା ଇତ୍ୟାଦି ବ୍ୟବହାର କରାଯାଇଛି । ପଥର ସନ୍ଧିମାନଙ୍କରେ କୌଣସି ପ୍ରକାର ଶୂନ୍ୟ ସ୍ଥାନ ନରହିବା ପାଇଁ ଏହିଭଳି ବ୍ୟବସ୍ଥା କରାଯାଇଛି । ଶିଳ୍ପୀ ଭାଷାରେ ଏହି କ୍ଳାମ୍ପ ବା କଣ୍ଟାକୁ କିଳା ବା ଖିଲ ବୋଲି କୁହାଯାଏ । ପଥର ଫାଙ୍କ ଭିତରେ ବର୍ଷା ଜଳ ଅଥବା ସାମୁଦ୍ରିକ ପବନ ପଶି କ୍ଷତି ନକରାଇବା ପାଇଁ ଶିଳ୍ପୀମାନେ ଯଥେଷ୍ଟ ସଚେତନ ଥିଲେ । ସ୍ଥଳବିଶେଷରେ ମନ୍ଦିର ଦେହରେ ଉଦ୍ଗତ ଅଂଶ ଯଥା ଗଣ୍ଡିର ନିମ୍ନାଂଶ ଓ ଅଁଳା ବେଢ଼ା କ୍ଷେତ୍ରରେ ପଥର ଯୋଡ଼େଇ ନିମନ୍ତେ ସ୍ୱହସ୍ତ ପ୍ରସ୍ତୁତ କରାଳର ବ୍ୟବହାର କରାଯାଇଛି । ମନ୍ଦିର ବିଭିନ୍ନ ଅଂଶ ପାଇଁ ଉପଯୁକ୍ତ ଆକାରର ପଥର ଖଣ୍ଡ ବ୍ୟବହାର କରାଯାଇଛି । ବାଡ଼ରେ ଥିବା ପ୍ରାୟ ଛଅ ଫୁଟ ଉଚ୍ଚତା ବିଶିଷ୍ଟ ନାୟିକା ଓ ବିଡ଼ାଳ ଇତ୍ୟାଦି ମୂର୍ତ୍ତିର ନିର୍ମାଣ ଏକକ ପଥରମାନଙ୍କରେ ଖୋଦିତ ହୋଇଥିବାର ଦେଖାଯାଏ । ମନ୍ଦିରର ମସ୍ତକ ଅଂଶ ନିର୍ମାଣ କ୍ଷେତ୍ରରେ ଶିଳ୍ପୀମାନେ କେଉଁଭଳି କୌଶଳ ଆପଣେଇଥିବେ ସେ ବିଷୟ ଚିନ୍ତା କଲେ ଆଜିର କଂପ୍ୟୁଟର ଯୁଗରେ ସ୍ଥପତିମାନେ ଆଶ୍ଚର୍ଯ୍ୟାନ୍ୱିତ ହୁଅନ୍ତି । ବିଶେଷ କରି ଅଁଳା ବେଢ଼ାର ସଂଯୋଜନା ତହିଁ ଉପରେ ଦଧିନଉତି ତଥା କଳସ ଓ ତା’ର କେନ୍ଦ୍ରରେ ସଳଖ ଭାବରେ ନୀଳଚକ୍ର ସ୍ଥାପନ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ସେ ଯୁଗରେ କୌଣସି ପ୍ରକାର ଯାନ୍ତ୍ରିକ ଉପକରଣ ବିନା ଏହି କୌଶଳପୂର୍ଣ୍ଣ କାର୍ଯ୍ୟର ସଫଳ ସମ୍ପାଦନ ତତ୍କାଳୀନ ଶିଳ୍ପୀକୂଳର ବଳି ଶିଳ୍ପଜ୍ଞାନର ପରିଚୟ ଦିଏ । କିମ୍ବଦନ୍ତୀ କୁହେ ମନ୍ଦିରର ମସ୍ତକ ନିର୍ମାଣ ବେଳେ ନରେନ୍ଦ୍ର ପୁଷ୍କରିଣୀ ରାସ୍ତା ପାଶ୍ୱର୍ସ୍ଥ ଗଣେଶ ବୁରୁଜଠାରୁ ବନ୍ଧା ଯାଇଥିବା ଚାରର ଆରମ୍ଭ ହୋଇଥିଲା । ଏଣୁ ସେଠାରେ ପୂଜିତ ଗଣେଶଙ୍କୁ ଚାର ଗଣେଶ କୁହାଯାଏ । ଏହି ସୁଦୀର୍ଘ ଚାର ସାହାଯ୍ୟରେ ପଥର ଖଣ୍ଡ ସବୁକୁ କୌଶଳ କ୍ରମେ ମନ୍ଦିରର ଶୀର୍ଷଦେଶ ପର୍ଯ୍ୟନ୍ତ ପହଞ୍ଚାଯାଉଥିଲା ।
ଶ୍ରୀମନ୍ଦିରର ବିମାନର ଭୂନକ୍ସାକୁ ଅବଲୋକନ କଲେ ଏହାର ପୀଠ କେବଳ ଚତୁଃଷ୍କୋଣ ନୁହେଁ । ପ୍ରତ୍ୟେକ କୋଣରେ ଏକାଧିକ ଉପକୋଣମାନ ସୃଷ୍ଟି ହୋଇ ଏହା ଏକ ବୃତ୍ତ ମଧ୍ୟରେ ରହିଥିବା ତାରା ଭଳି ଅଭିନବ ଆକୃତି ସୃଷ୍ଟି କରେ । ବାଡ଼ ଓ ଗଣ୍ଡି ନିର୍ମାଣରେ ପଞ୍ଚରଥ ଶୈଳୀର ଉପଯୋଗ ସକାଶେ ଶୀର୍ଷରେ ରହିଥିବା ବେକି ନିମ୍ନରେ ଅର୍ଥାତ୍ ସ୍କନ୍ଧଦେଶରେ ସଂପୂର୍ଣ୍ଣ ଗୋଲାକାର କ୍ଷେତ୍ରରେ ବିଲୟ ହେଇଛି । ଏହି ଶୈଳ୍ପିକ ଚାତୁର୍ଯ୍ୟ ଶ୍ରୀବତ୍ସ ଖଣ୍ଡଶାଳର ବୈଶିଷ୍ଟ୍ୟ ଅଟେ । ନିମ୍ନଦେଶରେ ଚତୁଃଷ୍କୋଣର ସାଦୃଶ୍ୟ ରହିଥିବା ଏହି ସ୍ଥାପତ୍ୟର ଶୀର୍ଷ ଗୋଲାକାରରେ ପରିଣତ ହେବା ତତ୍କାଳୀନ ଶିଳ୍ପୀବର୍ଗଙ୍କ କାଳଜୟୀ ପାରଦର୍ଶିତା ପ୍ରତିପାଦିତ ହୁଏ ।
ମୂଳ ମନ୍ଦିର ନିର୍ମାଣ କାଳରେ ଏବେ ଦୃଶୀଭୂତ ହେଉଥିବା ପାଶ୍ୱର୍ ମନ୍ଦିରଗୁଡ଼ିକ ନଥିଲା । ତିନି ପାଶ୍ୱର୍ର ରାହାପାଗରେ ବୃହତ୍ ଖୋପମାନଙ୍କରେ ପାଶ୍ୱର୍ଦେବତାମାନଙ୍କର ବିଗ୍ରହ ସ୍ଥାପନ ହେଇଥିଲା । ପରବର୍ତ୍ତୀ କାଳରେ ଏହି ପାଶ୍ୱର୍ଦେବତାମାନଙ୍କର ନିୟମିତ ପୂଜାର୍ଚ୍ଚନାରେ ସୁବିଧା ସକାଶେ କ୍ଷୁଦ୍ର ଗୁମୁଟରୂପୀ ଦ୍ୱିତଳ ବିଶିଷ୍ଟ ମନ୍ଦିରମାନ ନିର୍ମାଣ କରାଯାଇଛି । ଏହା ନିଶ୍ଚିତ ଭାବେ ବିମାନର ଶୋଭାବର୍ଦ୍ଧନ କରୁଅଛି । ଏହି ପାଶ୍ୱର୍ ମନ୍ଦିର ସଂଲଗ୍ନ ସଂକୀର୍ଣ୍ଣ ପାବଚ୍ଛ ଶ୍ରେଣୀ ଦେଇ ଭକ୍ତମାନେ ଉପରକୁ ଯାଇ ଦର୍ଶନ କରିପାରୁଛନ୍ତି । ଅନ୍ୟ ପକ୍ଷରେ ଏହି ପାଶ୍ୱର୍ ମନ୍ଦିରଗୁଡ଼ିକ ପୀଠ ଓ ବାଡ଼ରେ ଥିବା ସଂପୃକ୍ତ ଅଂଶର କାରୁକାର୍ଯ୍ୟକୁ ଘୋଡ଼ାଇ ଦେଉଥିବାବେଳେ ବିମାନକୁ କିଛିକାଂଶରେ ଦୃଢ଼ତା ଯୋଗାଉଥିବା ଭଳି ମନେହୁଏ । ଏହି ପାଶ୍ୱର ମନ୍ଦିର ଉପର ସ୍ତରରେ ଦକ୍ଷିଣ ପାଶ୍ୱର୍ରେ ବରାହ, ପଶ୍ଚିମ ପାଶ୍ୱର୍ରେ ବିଦାରଣ ନୃସିଂହ ଓ ଉତ୍ତର ପାଶ୍ୱର୍ରେ ତ୍ରିବିକ୍ରିମଙ୍କ ବିଗ୍ରହମାନ ଶୋଭା ପାଉଛନ୍ତି ଏବଂ ନିମ୍ନ ସ୍ତରମାନଙ୍କରେ ଅନ୍ୟାନ୍ୟ ମୂର୍ତ୍ତିସବୁ ଦେଖିବାକୁ ମିଳିଥାଏ ।
କ୍ରମଶଃ…….
କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ: ୯୪୩୭୧୬୬୩୬୯
Comments are closed.