ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ପୁଣି ସୋସିଆଲ ମିଡିଆରେ ବର୍ଷିଛନ୍ତି ନେତ୍ରୀ ଶ୍ରୀମୟୀ ମିଶ୍ର । ସେ ସିଧା ସଳଖ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । ଶ୍ରୀମୟୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ନୈତିକତା ହଜିଛି, ବିଶ୍ୱାସଘାତକତାର ନୂଆ ପରିଭାଷା ଲେଖାହେଉଛି! । ୨ ଜଣ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରି “ଅନୁଶାସନ”ର ପାଠ ପଢ଼ାଯାଉଛି । କୁହାଯାଉଛି ସେମାନେ ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତକ । କିନ୍ତୁ କିଏ କାହା ସହ ବିଶ୍ୱାସଘାତକତା କରିଛି ? ପ୍ରକୃତ ବିଶ୍ୱାସଘାତକ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଶ୍ରୀମୟୀ ମିଶ୍ର ଆହୁରି ଲେଖିଛନ୍ତି ଯେ, ମୁଁ ପଚାରିବାକୁ ଚାହୁଁଛି ଏଠି, କାହା ଅପାରଗତା ଓ କାହା ଅହଙ୍କାର ପାଇଁ ଦଳ କ୍ଷମତାରୁ ଗଲା, ଆଉ ବିଧାୟକ ସଂଖ୍ୟା ୫୧ ରେ ସୀମିତ ରହିଲା? କାହାର ବିଶ୍ବାସଘାତକତା ପାଇଁ ଲୋକସଭାରେ ଦଳ “ଶୂନ” ହୋଇଗଲା? ଯେତେବେଳେ ହୋର୍ଡିଂରୁ ନିଜ ବାପାଙ୍କ ଫଟୋ ହଟି ତାମିଲ୍ ଫଟୋ ରହିଲା, କୁଆଡ଼େ ଯାଇଥିଲା ସେ, ଜିରୋ ଟୋଲେରାନ୍ସ?
ଦଳ ନୂଆପଡ଼ା ଉପନିର୍ବାଚନରେ ଜିଲ୍ଲା ବାହାରର ପ୍ରାର୍ଥୀ ଦେଇ ତୃତୀୟ ସ୍ଥାନରେ ରହିଲା ଏଥିରେ କାହାର ଷଡଯନ୍ତ୍ର ଥିଲା । କିଏ ସେହି ବିଭୀଷଣ-ବିଶ୍ବାସଘାତକ, ଯିଏ କୋଟିଏ କର୍ମୀ-ନେତାଙ୍କ ପଛରେ ଛୁରୀମାଡ଼ କଲା ସତ୍ତ୍ୱେ ଦଳପତି ତାକୁ “ପ୍ରିୟପାତ୍ର” କରି ରଖିଛନ୍ତି ଓ କ’ଣ ବାଧ୍ୟବାଧକତା ରହିଛି?
ଶ୍ରୀମୟୀ ପୁଣି ‘ଅନୁଶାସନ’କୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ ପଚାରିଛନ୍ତି ଯେ, ଦଳର ଜଣେ ନେତ୍ରୀଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରାଗଲା ଏବଂ ଶଙ୍ଖଭବନର ବୈଠକର ଭିଡିଓକୁ ଭାଇରାଲ୍ କରିବାର ଧମକ ଦିଆଗଲା । ସେତବେଳେ କୁଆଡେ ଯାଇଥିଲା ଆପଣଙ୍କ ଅନୁଶାସନ । ଅତୀତରେ ଦଳକୁ ସବୁଠୁ ଅଧିକ ଗାଳି କରୁଥିବା ଲୋକଙ୍କୁ ସ୍ୱତନ୍ତ୍ର ସମ୍ମାନ ଦେଇ ଟିକେଟ୍ ବଣ୍ଟାଗଲା? କୁଆଡ଼େ ଗଲା ସେହି ‘ଜିରୋ ଟୋଲେରାନ୍ସ ଆଉ ‘ଡିସିପ୍ଲିନ’ ? ଜଣେ ଅଣଓଡ଼ିଆ ବ୍ୟକ୍ତି ହସ୍ପିଟାଲ ପରିସରରେ ଦଳର ନେତାମାନଙ୍କୁ “I am down but not out” କହି ଧମକାଉଥିଲେ । ସେତେବେଳେ ଆପଣଙ୍କ ‘ଅନୁଶାସନ’ କୁଆଡ଼େ ଯାଇଥିଲା ।
ଆଜି ଏମିତି ଏକ ପରିସ୍ଥିତି ସୃଷ୍ଟି ହୋଇଛି, ଯିଏ ସେହି ଭଣ୍ଡ ସନ୍ୟାସୀକୁ ନେତା ବୋଲି ନମାନିବ, ତାଙ୍କୁ ଅନୁଶାସନହୀନ ଓ ବିଶ୍ବାସଘାତକର ଆଖ୍ୟା ଦିଆଯିବ ! ଏବେ ଦଳପତି ନିଜେ ନିଜ ଜାଲରେ ଛନ୍ଦି ହୋଇଯାଇଛନ୍ତି ।
ସେହି ଦୁଇ ବିଧାୟକଙ୍କ ବିରୁଦ୍ଧରେ ତଥ୍ୟ ପ୍ରମାଣ ସାର୍ବଜନୀନ କରି ଦଳପତି ନିଜର ନିରପେକ୍ଷତା ପ୍ରମାଣିତ କରିବାରେ ଅସୁବିଧା କେଉଁଠି ? ଦଳର ବରିଷ୍ଠ ନେତାମାନେ କାହିଁକି ଚୁପ୍, କ’ଣ ଅନ୍ୟାୟ ଏବେ ସୀମା ଲଙ୍ଘିଲାଣି ବୋଲି ହୃଦବୋଧ ହଉଛି ନା ଆଜ୍ଞା ହଜୁରୀ ଅଭ୍ୟାସ ଯାଇନି?
ବୋଧହୁଏ ଓଡ଼ିଆଙ୍କ ସ୍ୱାଭିମାନକୁ ଦଳିଦେବା ପାଇଁ ଦଳପତି ଜାଣିଶୁଣି ଏହି *ତାମିଲ ଦମ୍ପତି* ଙ୍କୁ ଦାୟିତ୍ୱ ଟେକି ଦେଇଛନ୍ତି। ଏହା କୌଣସି ରାଜନୀତି ନୁହେଁ, ବରଂ ନିଜ ଲୋକଙ୍କୁ କଷ୍ଟ ଦେଇ “Sadistic Pleasure” ପାଇବାର ଏକ ହୀନ ପ୍ରୟାସ । ଶ୍ରୀମୟୀ ଚେତାବନୀ ଦେଇ କହିଛନ୍ତି ଯେ, ମନେରଖନ୍ତୁ, ଓଡ଼ିଶାର ମାଟି ବିଶ୍ୱାସଘାତକତାର ବ୍ରାଣ୍ଡ ଆମ୍ବାସଡ଼ରଙ୍କୁ କେବେ କ୍ଷମା ଦେବନାହିଁ ।