ଗଞ୍ଜାମ: ଆରମ୍ଭ ହେଲା ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା । ଆଜି ଗଞ୍ଜାମ ଜିଲ୍ଲା ଛତ୍ରପୁରଠାରେ ଏହାର ଶୁଭାରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ ଶୁକ୍ରବାର ନବରଙ୍ଗପୁରରୁ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଛତ୍ରପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଦୁଇଟି ବସ୍ ରେ ୭୪ ଜଣ ଶ୍ରଦ୍ଧାଳୁ ପୁରୀ ଯାଇଛନ୍ତି । ଏହି ଯୋଜନାରେ ୬୦ରୁ ୭୫ ବର୍ଷ ବୟସ୍କ ବ୍ୟକ୍ତି ଓ ବିଧବା ମହିଳା ଏହି ଯୋଜନାରେ ସାମିଲ କରାଯାଇଛି ।
ଶ୍ରଦ୍ଧାଳୁମାନେ ପୁରୀରେ ପହଞ୍ଚିବା ପରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ରହଣି ବ୍ୟବସ୍ଥା ଓ ମହାପ୍ରସାଦ ବ୍ୟବସ୍ଥା ରହିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଟିମ୍ ମଧ୍ୟ ସେମାନଙ୍କ ସହ ଯିବେ । ଶ୍ରଦ୍ଧାଳୁ ଯେପରି ଶ୍ରଦ୍ଧା ଓ ଶୃଙ୍ଖଳାର ସହ ଦର୍ଶନ କରି ଫେରିବେ ସେହିପରି ବ୍ୟବସ୍ଥା କରାଯାଇଛି । ଏଠାରୁ ଯିବା ପୂର୍ବରୁ ଶ୍ରଦ୍ଧାଳୁମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଉଛି । ଶ୍ରଦ୍ଧାଳୁମାନେ ପୁରୀରେ ପହଞ୍ଚିବା ପରେ ପୁରୀ ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ସୁବ୍ୟବସ୍ଥା କରାଯିବ ।
ଏହି ସମୟରେ ଓଡ଼ିଶା ସରକାରଙ୍କ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ବିଭାଗୀୟ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ, ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି, ନୋଡାଲ ଅଫିସର ତଥା ଓଏସ୍ଆର୍ଟିସି ଜିଏମ୍ ସଞ୍ଜୟ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.