Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୧୨୯: ଶ୍ରୀମଦ ଭାଗବତରେ ବର୍ଣ୍ଣିତ ଗୋପୀ ମାନଙ୍କ ଭକ୍ତି ହେଉଛି ଜ୍ଞାନଶୂନ୍ୟ ଭକ୍ତି ବା ଶୁଦ୍ଧାଭକ୍ତି

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣ୍ଣିତ ଗୋପୀ ମାନଙ୍କ ଭକ୍ତି ହେଉଛି ଜ୍ଞାନଶୂନ୍ୟ ଭକ୍ତି ବା ଶୁଦ୍ଧାଭକ୍ତି। ଏହି ଭକ୍ତିର ମୂଖ୍ୟ ଉପାଦାନ ହେଉଛି ଅନୁରାଗ, ସେଥିପାଇଁ ଏହା ପ୍ରେମ ଭକ୍ତି ରୂପେ ବିବେଚିତ ହୋଇଥାଏ। ଏଥିରେ ଜୀବ (ଗୋପୀ ଗଣ )ପରମ ଅର୍ଥାତ କୃଷ୍ଣ ଉଭୟଙ୍କର ଲୀଳାର ସେଛୁ ଚିତ୍ତର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଶ୍ରୀକୃଷ୍ଣଙ୍କ ଲାବଣ୍ୟମୟ ରୂପ, ତଥା ଶ୍ରୀରାଧାକୃଷ୍ଣଙ୍କ ଯୁଗଳ ବିଗ୍ରହର କଳ୍ପନା ଏହି ପ୍ରେମଭକ୍ତିର ପ୍ରକୃତ ବୈଶିଷ୍ଟ୍ୟ।

ଶାସ୍ତ୍ର କହେ ରାଧା କୃଷ୍ଣ ଦୁଇ ରୂପ ହୋଇ ମଧ୍ୟ ଏକ ଓ ଅଭିନ୍ନ ଅଟନ୍ତି। ତେଣୁ ତାଙ୍କ ପ୍ରେମ ଲୀଳା ଆସ୍ଵାଦନ କରିବା ସହଜ ନୁହେଁ, ତଥାପି ଗୋପୀ ମାନେ ଜ୍ଞାନ ଶୂନ୍ୟ ଭାବରେ କେବଳ ଶୁଦ୍ଧ ଭକ୍ତି ଯୋଗୁ ଏହି ଲୀଳା ଆସ୍ଵାଦନ କରନ୍ତି ଓ ଏଥିରେ ନିଜକୁ ହଜେଇ ଦିଅନ୍ତି ଯଦି ଭକ୍ତ ଓ ଭଗବାନଙ୍କ କଥା ଚିନ୍ତା କରାଯାଏ, ଏଠାରେ ଭଗବାନ ହେଲେ ଶ୍ରୀରାଧାକୃଷ୍ଣଙ୍କ ମିଳିତ ବିଗ୍ରହ ଓ ଭକ୍ତ ହେଲେ ସମସ୍ତ ଗୋପୀଗଣ ଅର୍ଥାତ ଏଠାରେ ପରମ ଅଧେ ରାଧା ଓ ଅଧେ କୃଷ୍ଣ (ପୁରୁଷ ସ୍ୱରୂପ) ଗୋପୀ ଗଣ (ସ୍ତ୍ରୀ ସ୍ୱରୂପ )।

ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-128-the-gopis-do-not-hesitate-to-go-to-hell-offering-the-dust-of-their-feet-to-cure-the-sick-krishna/

ତେଣୁ ଏଠାରେ ହେହଜ ପ୍ରେମ ଆସିବ କେଉଁଠୁ, ଶୁନ୍ୟ ସଂହିତା ରେ ପରମ ସାଧକ ଅଚ୍ୟୁତାନନ୍ଦ କହନ୍ତି
ଜୀବ ଆତ୍ମା ରାଧେ ବୋଲି ପରମ ମୁରାରୀ।
ଏଣୁ କରି ପରମାତ୍ମା ବୋଲାବନ୍ତି ହରି।।
ଅଧେ ରାଧା ଅଧେ କୃଷ୍ଣ ଅର୍ଦ୍ଧ ଆତ୍ମା ଏକ।
ଅର୍ଦ୍ଧ ଅର୍ଦ୍ଧ ଯୁଗ ରୂପ ଜାଣନ୍ତି ବିବେକ।।

ଏହା ଏତେ ରହସ୍ୟ ଯୁକ୍ତ ଯେ ସାଧାରଣ ମଣିଷ ଏହାକୁ କଳ୍ପନା କରିପାରେନା, ତେଣୁ ଶ୍ରୀରାଧା କୃଷ୍ଣ ପ୍ରେମ ଲୀଳାକୁ ଦେହଜ ପ୍ରେମ ଆଖ୍ୟା ଦେଇଥାଏ, କିନ୍ତୁ ଆମେ ରାସ ବର୍ଣନା ସମୟରେ ଜାଣିଲେ ଶ୍ରୀକୃଷ୍ଣ ବ୍ରହ୍ମ ସ୍ୱରୂପ ଧାରଣ କରି ପ୍ରତ୍ୟେକ ଗୋପୀଙ୍କ ପାଖରେ ଉପସ୍ଥିତ ରହନ୍ତି କିନ୍ତୁ ମୂଳ ପରମବ୍ରହ୍ମ ସ୍ୱରୂପ ଶ୍ରୀରାଧାଙ୍କ ସହିତ ଯୁକ୍ତ ହୋଇ ଅପୂର୍ବ ଲୀଳା ରଚୁଥାନ୍ତି, ଆଉ ଜଣେ ପରମ ସାଧକ ଯଶୋବନ୍ତ ଦାସ “ପ୍ରେମ ଭକ୍ତି ବ୍ରହ୍ମଗୀତା “ରେ ବର୍ଣନା କଲେ
ପ୍ରେମ ଭକ୍ତିରୁ ଭକ୍ତି ନାହିଁ।
ପ୍ରେମ ନିକଟେ ଥାଏ ମୁଁହି।।
ସେ ରାଧା ମୋର ନିଜ ଦେହୀ।
ତା ସମ ଆନ ନୁହେଁ କେହି।।
ପ୍ରେମର ମହିମା ଅପାର।
ପ୍ରେମ ଲକ୍ଷଣ ମୋ ଶରୀର।।
ପଞ୍ଚ ସଖାଙ୍କ ମଧ୍ୟରେ ବରିଷ୍ଠ ତଥା ଶ୍ରେଷ୍ଠ ଭାବରେ ଜଡିତ ବଳରାମ ଦାସ “ବେଦାନ୍ତ ସାର ଗୁପ୍ତ ଗୀତା” ରେ ପ୍ରେମଭକ୍ତି ର ସୁନ୍ଦର ବ୍ୟାଖ୍ୟା
ଆତ୍ମା କୁ ସ୍ତିରୀ ବେଶ କରି।
ଶ୍ରୀରାଧା ଅଙ୍ଗରେ ବିହରୀ।।
କୃ6ଷ୍ଣ ଅସ୍ୱାଦ ରସ ଦେଇ।
ଏହାକୁ ପ୍ରେମ ଭକ୍ତି କହି।।
ତେବେ ପାଇବୁ ଭାବଗ୍ରାହୀ।
ନୋହିଲେ ପଶି ନ ପାରଇ।।
ପୁରୁଷ ଅଙ୍ଗେ ନ ଲଭନ୍ତି।
ଏମନ୍ତେ ବେଦ ତତ୍ୱ ସ୍ଥିତି।।
ଯେ ତାହାକୁ ପ୍ରେମଭକ୍ତି କରେ।
ଶରୀର ବହି ଏ ସଂସାରେ।।
ପ୍ରେମ ଭକତି ଯେ କରଇ।
ସେ ପ୍ରାଣୀ ନିତ୍ୟରେ ବସଇ।।
ଏହି ଆଲୋଚନାରୁ ଆମେ ଏତିକି ଜାଣିଲେ ପ୍ରେମ ଭକ୍ତି ଠାରୁ ବଳି ଭକ୍ତି ନାହିଁ, ଏହି ଦିବ୍ୟ ଆତ୍ମିକ ପ୍ରେମ ଗୋପୀ ମାନଙ୍କ ପାଖରେ କେବଳ ସମ୍ଭବ ହୋଇଥାଏ, ତେଣୁ ସାଧାରଣ ଭକ୍ତ ଗୋପୀ ଭାବ ବିନା ଏହା ଆସ୍ଵାଦନ କରିବା ଦୁରୂହ ବ୍ୟାପାର ଆଗକୁ ଏହାର ଆହୁରି ଅଧିକ ଚର୍ଚ୍ଚା କରିବା ପରମାତ୍ମା ସ୍ୱରୂପ ଉଭୟ ଶ୍ରୀରାଧାକୃଷ୍ଣଙ୍କୁ ଅନ୍ତରରେ ଧ୍ୟାନ କରିବା।
ଜୟ ଜଗନ୍ନାଥ
(ଡ଼. ତ୍ରି ଉଵାଚ)

Comments are closed.