Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୧୩୭: କେବଳ ସ୍ୱାଦ ଯୁକ୍ତ ଖାଦ୍ୟ ଅନ୍ୱେଷଣରେ ସମୟ ନଷ୍ଟ ନକରି ଭଗବତ ଚିନ୍ତନରେ ସମୟ ନିବେଶ କରିବା ଆବଶ୍ୟକ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଏକାଦଶ ସ୍କନ୍ଦ ବର୍ଣ୍ଣିତ ଅବଧୂତଙ୍କ ଚବିଶି ଗୁରୁ ପ୍ରସଙ୍ଗ ଆଲୋଚନା ମାଧ୍ୟମରେ ଆମେ ଆଠ ଜଣ ଗୁରୁଙ୍କୁ ଜାଣିସାରିଲେଣି। ଯେଉଁଥିରେ ପ୍ରତୀୟ ମାନ ହୁଏ ଗୋଟିଏ ଗୋଟିଏ ନିର୍ଦ୍ଧିଷ୍ଟ ଗୁଣକୁ ଆଧାର କରି ଅବଧୂତ ଗୁରୁ ବରଣ କରିଛନ୍ତି ସେଥିପାଇଁ କୌଣସି ବିଶେଷ ଜ୍ଞାନୀ ଅବା ଶକ୍ତିଶାଳୀ ବ୍ୟକ୍ତିତ୍ୱଙ୍କ ଆବଶ୍ୟକତା ପଡିନି, ଆଜି ଅବଧୂତଙ୍କ ଅଜଗର ଓ ସମୁଦ୍ରଙ୍କୁ ଗୁରୁ ରୂପେ ବରଣ କରିବାର କାରଣ ଜାଣିବା।

9.ଅଜଗର :-ଏକ ପରମ ଅଳସୁଆ ପ୍ରାଣୀ ଭାବେ ଖ୍ୟାତ ଅଜଗର ସର୍ପ ଆମେ କଥାରେ କଥାରେ କହିଥାଉ କାହିଁକି “ଖାଲି ଖାଉଥା ଅଜଗର ପରି ଶୋଇଥା “। କିନ୍ତୁ ଏହି ଉକ୍ତିର କଣ ସତ୍ୟତା ଅଛି ଜଣାନଥିଲେ ମଧ୍ୟ ଅବଧୂତ ଜାଣିପାରିଲେ ସ୍ୱାଦଯୁକ୍ତ ହେଉ ଅବା ସ୍ୱାଦହୀନ ହେଉ, ଅଧିକ ହେଉ ଅବା ଅଳପ ହେଉ ବିନା ଚେଷ୍ଟାରେ ଯାହା କିଛି ମିଳିଲା ଅବା ଦୈବୀ କୃପାରୁ ପ୍ରାପ୍ତ ହେଲା ତାହା ଅତି ଆଦରରେ ଭକ୍ଷଣ କରିବା ହିଁ ଅଜଗର ଲକ୍ଷଣ। ଜଣେ ପ୍ରକୃତ ଯୋଗୀ ପୁରୁଷ ନିଶ୍ଚିତ ଭାବରେ ଅଜଗର ଠାରୁ ଏହି ଗୁଣଟି ଶିକ୍ଷା କରିବା ଉଚିତ। ଅର୍ଥାତ ଶରୀର ପୋଷଣ ପାଇଁ କୌଣସି ବିଶେଷ ଚେଷ୍ଟା ନକରି, ଇନ୍ଦ୍ରିୟ ବଳ ପ୍ରୟୋଗ ନକରି, ଦୈବୀ କୃପାରୁ ଯାହା ମିଳେ ତାହା ଗ୍ରହଣ କରିବା ଉଚିତ, ବିଶେଷ ଭାବରେ ଯଦି ଅଜଗରଙ୍କୁ କିଛି ଆହାର ନମିଳେ ତେବେ ସେ ଉପବାସ ମଧ୍ୟ ରହି ନିର୍ବିକାର ଭାବେ ପଡି ରହିଥାଏ। ଜଗନ୍ନାଥ ଦାସ କହନ୍ତି
ଆହାରେ ଭଲ ମନ୍ଦ ନାହିଁ।
ଯେ ସ୍ଥାନେ ଯେପରି ମିଳଇ।।
ସନ୍ତୋଷେ କରଇ ଆହାର।
ଏଣେ ବିଚାର ନାହିଁ ମୋର।।
ଅଳପ ବହୁତେ ସନ୍ତୋଷ।
ନ ମିଳେ କରେ ଉପବାସ।।
କର୍ମ କଷଣ ଦେହ ସହେ।
ଅରଣ୍ୟେ ଅଜଗର ପ୍ରାୟେ।।
ସମ ମଣଇ ଦୁଃଖ ସୁଖ।
ଅଳ୍ପରେ ନୁହଁଇ ବିମୁଖ।।
ଦେହ ଇନ୍ଦ୍ରିୟ ବଳ ଥାଇ।
ଉଦ୍ୟମ କିଛି ନକରଇ।।
ଏ ଧର୍ମ ଅଜଗର ଚାହିଁ।
ଶିଖିଲି ଗୁରୁ ଶିକ୍ଷା ପାଇ।।

ଶ୍ରୀ ଜଗନ୍ନାଥ ଦାସଙ୍କ ପ୍ରଦତ୍ତ ଉକ୍ତି “ଆହାରେ ଭଲ ମନ୍ଦ ନାହିଁ ” କୁ କେତେକ ଅଜ୍ଞାନୀ ଜିହ୍ୱା ଲାଳସା ଚରିତାର୍ଥ କରିବା ପାଇଁ ନିଜ ଇଚ୍ଛା ଅନୁରୂପ ପ୍ରୟୋଗ କରି ମଦ୍ୟ ମାଂସ ଆଦି ଭକ୍ଷଣ ପାଇଁ ବାରଣ ନାହିଁ ବୋଲି ଯୁକ୍ତି ବାଢିଥାନ୍ତି। କିନ୍ତୁ ଏହା ଅତ୍ୟନ୍ତ ଭ୍ରମାନ୍ତକ ଚିନ୍ତା। ଭାଗବତ ଏହି ଶିକ୍ଷା ଦିଏ ଯେ କେବଳ ସ୍ୱାଦ ଯୁକ୍ତ ଖାଦ୍ୟ ଅନ୍ୱେଷଣରେ ଚିତ୍ତ ବୃତ୍ତି ନଲଗାଇ, ଦଇବ କୃପାରୁ ପ୍ରାପ୍ତ ସାଧାରଣ ଭୋଜନରେ ଉଦର ଶାନ୍ତି କରି, ଅବଶିଷ୍ଟ ସମୟ ଭଗବତ ଚିନ୍ତନରେ ନିବେଶ କରିବା ଆବଶ୍ୟକ। କିନ୍ତୁ ସାମ୍ପ୍ରତିକ ସମୟରେ ମଣିଷର ଅଧିକାଂଶ ସମୟ କେବଳ ଉଦର ଚିନ୍ତାରେ କଟାଉଛି, କିନ୍ତୁ ଅଜଗର ପରି ପାରବ୍ଧ ଦ୍ଵାରା ଉପଲବ୍ଧ ଖାଦ୍ୟ ଖାଇ ସଂତୁଷ୍ଟରେ ରହିବା ହିଁ ପ୍ରକୃତ ଶିକ୍ଷା।

ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-136-a-healthy-life-is-not-possible-without-fire/

ଯଦି କୌଣସି ଦିନ ଆହାର ଉପଲବ୍ଧ ନହୁଏ, ତେବେ ବିଚଳିତ ନହୋଇ ଉପବାସରେ ରହିବା ଅଜଗରର ମୂଳ ନିୟମ, ଅବଧୂତ ତେଣୁ ଅଜଗର ଠାରୁ ଏହି ମହାନ ଶିକ୍ଷା ପାଇ ତାଙ୍କୁ ଗୁରୁ ରୂପେ ଗ୍ରହଣ କଲେ ଅବଧୂତ। ଆଗକୁ ଏପରି ଭାବରେ ଆଉ ୧୫ ଗୁରୁଙ୍କ ଵିଷୟରେ ଆଲୋଚନା କରିବା। ବର୍ତ୍ତମାନ ନେବା ସେହି ପରମ ପୁରୁଷଙ୍କ ଶରଣ।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )

Comments are closed.