Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୧୩୮: ଜଣେ ପ୍ରସନ୍ନ ଚିତ୍ତ ହେଲେ ହିଁ ସର୍ବଦା ସମୁଦ୍ର ପରି ଢେଉ ତୋଳି ନାଚି ପାରିବ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ବର୍ଣ୍ଣିତ ଏହି ପ୍ରସଙ୍ଗଟି ଅତ୍ୟନ୍ତ ରୋଚକ କାରଣ ମହାତ୍ମା ଅବଧୂତ କାହାର କେଉଁ ଗୁଣକୁ ଲକ୍ଷ୍ୟ କରି ସଂସାର ଭିତରେ ଚବିଶି ଗୁରୁ ବାଛିଲେ ତାହା ପ୍ରତ୍ୟେକ ମଣିଷ ପ୍ରବଳ ଭାବରେ ଅନୁଧ୍ୟାନ କରିବା କଥା। ଅଜଗର ପରେ ଅବଧୁତଙ୍କ ଗୁରୁ ତାଲିକାରେ ଯୋଡି ହେଲେ

10.ସମୁଦ୍ର :- ସର୍ବଦା ଘୁ ଘୁ ଗର୍ଜନ କରି ବେଳାଭୂମିରେ ଢେଉ ପିଟୁଥିବା ସମୁଦ୍ର ଭିତରେ କିନ୍ତୁ ଅବଧୂତ ଲକ୍ଷ୍ୟ କଲେ ସର୍ବଦା ପ୍ରସନ୍ନ ରହିବା, ପ୍ରଶାନ୍ତ ରହିବା, ବିକ୍ଷୁବ୍ଧ ନହୋଇ ଗମ୍ଭୀର ରହିବା ଗୁଣ ମାନ, ଅର୍ଥାତ ଜଣେ ପ୍ରସନ୍ନ ଚିତ୍ତ ହେଲେ ହିଁ ସର୍ବଦା ସମୁଦ୍ର
ପରି ଢେଉ ତୋଳି ନାଚି ପାରିବ। କଥାରେ ଅଛି ସାତ ଲହଡି ପାରି ହୋଇ ଗଲେ ସମୁଦ୍ର ଦିଶେ ପ୍ରଶାନ୍ତ ଓ ଗମ୍ଭୀର, ଅର୍ଥାତ ଗଭୀର ସମୁଦ୍ରର ସ୍ଵଭାଵରେ ଅବଧୂତ ଅଭିଭୂତ ତାଙ୍କୁ ଲାଗିଲା ସମୁଦ୍ରଙ୍କ ବିଶାଳ ହୃଦୟ ଅଛି। ସେ ଅହଂକାର ଶୂନ୍ୟ, ନଦୀ ମାନଙ୍କ ପରି ତାଙ୍କର କଳେବରରେ କ୍ଷୟ ଓ ବୃଦ୍ଧି ଘଟେ ନାହିଁ। ସେ ଗ୍ରୀଷ୍ମରେ ଯେମିତି, ବର୍ଷାରେ ମଧ୍ୟ ସେମିତି। ଅର୍ଥାତ ସର୍ବଦା ସମାନ କଳେବର
ଶ୍ରୀଜଗନ୍ନାଥ ଦାସଙ୍କ ଭାଷାରେ
ସେ ରୂପେ ଜାଣ ମୁଁହି ମନେ।
ହାନି ବୃଦ୍ଧି ଭାବ ନ ଘେନେ।।
ତେଣୁ ମୁଁ ନାରାୟଣ ପର।
ନାହିଁ ବିଷୟ ଆଶା ମୋର।।
ସମୁଦ୍ରଙ୍କୁ ନିଜ ଗୁରୁ ରୂପେ ସ୍ୱୀକାର କରିବା ପରେ ଅବଧୂତ ବାଛିଲେ

11.ପତଙ୍ଗ :- ପତଙ୍ଗ ମାନଙ୍କ ଏକ ବିଶେଷ ଗୁଣ ହେଲା ଅନଳର ଉଜ୍ବଳତାରେ ଆକୃଷ୍ଟ ହୋଇ ସେଥିରେ ଝାସ ଦେବା ଓ ମୃତ୍ୟୁ ଲାଭ କରିବା। ଏହି ଅବଗୁଣଟିର ପରିଣାମକୁ ଲକ୍ଷ୍ୟ କରି ଅବଧୂତ ଏହାକୁ ମନୁଷ୍ୟ ମଧ୍ୟରେ ଥିବା ନାରୀ ରୂପ ପ୍ରତି କାମନା ବା ଲାଳସା ସହ ତୁଳନା କରିଛନ୍ତି। ତାଙ୍କର ଉପଦେଶ ହେଲା ଅନଳର ଉଜ୍ବଳତା ଓ ନାରୀର ରୂପ ସମ୍ଭାର ଉଭୟ ସମାନ ଆଉ ଏଥିରେ ଥରେ ଝାସ ଦେଲେ ବିନାଶ ସୁନିଶ୍ଚିତ। ତେଣୁ ନିଜ ଦର୍ଶନ ଇନ୍ଦ୍ରିୟକୁ ସଂଯତ କରିବା ଦ୍ଵାରା ଆମେ ନିଜକୁ ନାରୀର ମାୟାବୀ ଆବ ଭାବଠାରୁ ବଞ୍ଚେଇ ପରିବା ଏହି ମହାନ ଶିକ୍ଷା ପାଇଁ ପତଙ୍ଗ ମଧ୍ୟ ଗୁରୁ।

ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-137-instead-of-wasting-time-in-the-pursuit-of-tasty-food-one-should-invest-time-in-the-contemplation-of-god/

ଶ୍ରୀଜଗନ୍ନାଥ ଦାସ ଓଡ଼ିଆ ଭାଗବତରେ ଏହାର ଆଲୋଚନା ଖୁବ ସୁନ୍ଦର ଭାବେ ପରିପ୍ରକାଶ କରିଛନ୍ତି ଯଥା
ତା ରୂପେ ନ କରିବ ସଙ୍ଗ।
ଅନଳେ ଯେସନେ ପତଙ୍ଗ।।
ସଂଯୋଗେ କରେ ପ୍ରାଣ ନାଶ।
ଏଣୁ ନୋହିବ ତା ବିଶ୍ୱାସ।।
ସ୍ତ୍ରୀ ସଙ୍ଗମ କରି ଦୂର।
ନିଶ୍ଚନ୍ତେ ଭ୍ରମଇ ସଂସାର।।
ଏହାକୁ କହନ୍ତି ଅନ୍ତ୍ରଦୃଷ୍ଟି ଅର୍ଥାତ କୌଣସି ସାଧାରଣ ଜୀବର ଗୁଣ ବା ଅଵଗୁଣକୁ ଗଭୀର ଅନୁଧ୍ୟାନ କରି ତା ମଧ୍ୟରୁ ମାନବ ହିତ ପାଇଁ ଏକ ବାର୍ତ୍ତା ଖୋଜିବା କେବଳ ମହାତ୍ମା ମାନଙ୍କ ନିକଟରେ ସମ୍ଭବ। ଏହି କ୍ରମରେ ଆଗାମୀ ଅଧ୍ୟାୟରେ ଜାଣିବା ଅବଧୂତ ମହାତ୍ମା ମଧୁକର ଓ ଗଜ ଅର୍ଥାତ ମହୁମାଛି ଓ ହାତୀଙ୍କୁ କାହିଁକି ଗୁରୁ କଲେ। ବର୍ତ୍ତମାନ ପଦଟି
ଶ୍ରଦ୍ଧା ନ ଥାଇ ଅନ୍ତର୍ଗତେ।
ମୁଁ ତାହା ଛୁଇଁବି କେମନ୍ତେ।।
ସକଳ ତୀର୍ଥ ତୋ ଚରଣେ।
ବଦ୍ରିକା ଯିବି କି କାରଣେ।।

ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)

Comments are closed.