Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୧୯: ଶ୍ରୀମଦ ଭାଗବତର ଶରଣ ନେବା, ସଂସାର ମାୟା ଭୁଲେଇବା

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥର ପ୍ରତ୍ୟେକ ସ୍କନ୍ଦ ଭଗବାନଙ୍କ ଭିନ୍ନ ଭିନ୍ନ ଅଙ୍ଗ ରୂପେ ପରିକଳ୍ପିତ ହୋଇଛନ୍ତି। ସେହି ଅନୁସାରେ ଶ୍ରୀମଦ ଭାଗବତ ଗ୍ରନ୍ଥ ଏ କଳି ଯୁଗରେ ସ୍ୱୟଂ ଭଗବତ ସ୍ୱରୂପ ଧାରଣ କରି ଜୀବମାନଙ୍କ ଉଦ୍ଧାର ପାଇଁ ଅବତରିଛନ୍ତି। ଶ୍ରୀମଦ ଭାଗବତଙ୍କ ଏହି ଅବତାରିତ ହେବା ବା ଉପକ୍ରମ ହେବା କଥା ଚିନ୍ତା କଲେ ମନେ ପଡନ୍ତି ବ୍ୟାସଦେବ ଓ ରାଜା ପରୀକ୍ଷିତ।

ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-18-the-srimad-bhagwat-is-the-true-god-himself/

ପ୍ରଥମେ ମହାମୁନି ବ୍ୟାସ ସମସ୍ତ ଶାସ୍ତ୍ର ପୁରାଣ ସୃଷ୍ଟି କରି ମଧ୍ୟ ସନ୍ତୁଷ୍ଟ ନହେବା ଓ ଦ୍ଵିତୀୟରେ କଳିର ପ୍ରଭାଵରେ ପଥଭ୍ରଷ୍ଟ ରାଜା ପରୀକ୍ଷିତ ବ୍ରହ୍ମଶାପ ପାଇବା ଏହା ଶ୍ରୀମଦ ଭାଗବତଙ୍କ ଭଗବତ ସ୍ୱରୂପକୁ ଅତ୍ୟନ୍ତ ଭାବ ଉଦୀପକ କରିଛି। ଯେତେବେଳେ ରାଜା ପରୀକ୍ଷିତ କଳି ପ୍ରଭାଵରେ ବୁଦ୍ଧିଭ୍ରଷ୍ଟ ହୋଇ ବ୍ରହ୍ମଶାପ ପାଇଲେ ଯେ ତକ୍ଷକ ସର୍ପ ଦଂଶନରେ ସାତ ଦିନ ମଧ୍ୟରେ ତାଙ୍କର ମୃତ୍ୟୁ ହେବ (ପ୍ରସଙ୍ଗଟି ବିଷୟ ଆଲୋଚନା ସମୟରେ ଆଲୋଚିତ ହେବ) ସେତେବେଳେ ସେ ପରମେଶ୍ୱରଙ୍କ କଥା ଶ୍ରବଣ କରି ସେହି ସାତ ଦିନ କଟାଇବାକୁ ଚାହିଁଲେ ଓ ସଙ୍ଗେ ସଙ୍ଗେ ପବିତ୍ର ଗଙ୍ଗା ନଦୀ କୂଳକୁ ଯାଇ ସେଠାରେ ସତସଙ୍ଗ ଆୟୋଜନ କଲେ।

କାରଣ-
ଲବେ ନିମିଷେ ଦଣ୍ଡେ ଭବେ ।
ଯେ ଜନ ମିଶେ ସାଧୁ ସଙ୍ଗେ ।।
ତାହାର ମୃତ୍ୟୁ ଭୟ ନାହିଁ ।
ମରଣ ହେବ ତାର କାହିଁ ।।
ମହାରାଜଙ୍କ ଏହି ମହାନ ଉଦ୍ଦେଶ୍ୟର ସନ୍ଧାନ ପାଇ ଅଠାଅଶୀ ହଜାର ସାଧୁ ମହାତ୍ମା ସେଠାରେ ଉପସ୍ଥିତ ହେଲେ। ଏଠାରେ ଗୋଟିଏ ଶ୍ଳୋକ ଭଗବତ ଗୀତାରୁ ଉଦ୍ଧାର କରୁଛି-
“ଯେ ଯଥା ମାଂ ପ୍ରପଦ୍ୟନ୍ତେ,
ତାଂ ସ୍ତଥେଇଵ ଭଜାମ୍ୟହମ “
ଅର୍ଥାତ ଭଗବାନଙ୍କ ପାଖରେ ଯିଏ ଯେଉଁ ଭାବରେ ଶରଣ ନିଏ ସେ ତାଙ୍କୁ ସେହିପରି ଆଶ୍ରୟ ପ୍ରଦାନ କରନ୍ତି। ଏଠାରେ ରାଜା ଶେଷ ସାତ ଦିନ ଭାଗବତ କଥା ଶ୍ରବଣ କରି ମୃତ୍ୟୁ ଭୟ ଦୁରେଇବାକୁ ଚାହିଁଲେ, ତେଣୁ ଭଗବାନ ସଙ୍ଗେ ସଙ୍ଗେ ଶୁକ ମହାତ୍ମଙ୍କୁ ସେଠାରେ ଉପସ୍ଥିତ କରାଇଲେ, କାରଣ ବ୍ରହ୍ମବେତ୍ତା ଶୁକ ମୁନି ଶ୍ରୀମଦ ଭାଗବତ ଗ୍ରନ୍ଥର ଅନର୍ଗଳ ବକ୍ତା। ଏଠାରେ ପ୍ରଶ୍ନ ଉଠେ ଅଠାଅଶୀ ହଜାର ମୁନି ଋଷି କଣ ଶ୍ରୀମଦ ଭାଗବତଙ୍କୁ ବ୍ୟାଖ୍ୟା କରିପାରି ନଥାନ୍ତେ? ହଁ ପାରିଥାନ୍ତେ କିନ୍ତୁ ଶ୍ରୀମଦ ଭାଗବତ ଯେଉଁ ବ୍ରହ୍ମ ଚେତନାରେ ପରିପୂର୍ଣ୍ଣ ତାହା ବୁଝାଇବାର ଶକ୍ତି କାହାର ବା ଅଛି ମହାତ୍ମା ଶୁକଙ୍କ ପରି। ଶ୍ରୀ ଜଗନ୍ନାଥ ଦାସ ଓଡ଼ିଆ ଭାଗବତରେ ସୁନ୍ଦର ଉପସ୍ଥାପନା କରି କହିଛନ୍ତି
ଏ ଘୋର ସଂସାର ସାଗରେ ।
ମରଣୁ କିବା କରି ଡରେ ।।
ଏମନ୍ତ ପୁଛୁ ରାଜ ଋଷି ।
ଶୁକ ମିଳିଲେ ବେଗେ ଆସି ।।

ସବୁଠି ଶ୍ରୀକୃଷ୍ଣ ନାମ, ଆନନ୍ଦମୟ ପରିବେଶରେ ମଜ୍ଜି ରାଜା ପରୀକ୍ଷିତ ଶ୍ରୀମଦ ଭାଗବତର ତାତ୍ୱିକ ବାଣୀ ଶୁକ ମୁଖରୁ ଶ୍ରବଣ କରି ମୃତ୍ୟୁ ଭୟ ତ୍ୟାଗ କଲେ। ଆସନ୍ତୁ ତେବେ ସେହି ଶ୍ରୀମଦ ଭାଗବତର ଶରଣ ନେବା ସଂସାର ମାୟା ଭୁଲେଇବା।

ଜୟ ଜଗନ୍ନାଥ (ଦ. ତ୍ରି. ଉଵାଚ )

Comments are closed.