Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୧୮: ଭଗବାନଙ୍କ ନିକଟରେ ଯିଏ ଶରଣାପନ୍ନ ହୁଅନ୍ତି ସେହି ପ୍ରକାରେ ପ୍ରଭୁଙ୍କର କୃପା ପ୍ରାପ୍ତ ହୁଅନ୍ତି

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥ ଯେ ନିଜେ ସତ ସ୍ୱରୂପ ପରମେଶ୍ୱର ଏଥିରେ ଆଉ ସନ୍ଦେହ ନାହିଁ। ଏବେ ଆମେ ଚିନ୍ତା କରିବା କାହିଁକି ଏ ମଣିଷ ସର୍ବଦା ଶ୍ରୀମଦ ଭାଗବତଙ୍କ ସାଙ୍ଗରେ ରହିବ, ଅବା ଅନ୍ୟ ଅର୍ଥରେ କହିଲେ ସତସଙ୍ଗ କରିବ? ଏହି କଥା ଶ୍ରୀମଦ ଭାଗବତରେ ହିଁ ପ୍ରାଞ୍ଜଳ ଭାବରେ ବୁଝାଇ ଦିଆଯାଇଛି।

ପ୍ରଥମ ସ୍କନ୍ଦ ଅଷ୍ଟାଦଶ ଅଧ୍ୟାୟରେ ପରୀକ୍ଷିତ ମହାରାଜ ବ୍ରହ୍ମଶାପ ପାଇ ସାତ ଦିନ ମଧ୍ୟରେ ନିଜର ମୃତ୍ୟୁ ନିଶ୍ଚିତ ଜାଣି ଶେଷ ସମୟରେ ହରିଙ୍କ ପାଦରେ ନିଜକୁ ଅର୍ପଣ ପୂର୍ବକ ପବିତ୍ର ଗଙ୍ଗା ନଦୀ କୂଳରେ ଋଷି ମାନଙ୍କ ଗହଣରେ ଉପଵେଶନ କଲେ। ପରମେଶ୍ୱରଙ୍କ କୃପାରୁ ଏଠାରେ ଅଠାଅଶି ହଜାର ଋଷି ଏକତ୍ରିତ ହେଲେ।

ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-17-to-develop-devotion-towards-shrimad-bhagwat-one-has-to-make-oneself-bhagwat/

ତେଣୁ ଏହା ଏକ ମହାନ ସତସଙ୍ଗ ସ୍ଥଳି ପାଲଟିଗଲା। ରାଜା ପରୀକ୍ଷିତ ମନରେ ବିଚାର କଲେ ମୁଁ ମୋ ନିଜ ଦୋଷରୁ ଆଜି ବ୍ରହ୍ମ ଅଭିଶାପ ଲାଭ କଲି (ପ୍ରସଙ୍ଗ କ୍ରମେ ଆମେ ପରୀକ୍ଷିତଙ୍କ ଦୋଷ କଣ ସେ କଥା ଜାଣିବା )ଏଵେ ବ୍ରହ୍ମ ଅଭିଶାପରୁ ମୁକ୍ତିର ଉପାୟ କରିବି ଏହା ଚିନ୍ତା କରି ଗଙ୍ଗା କୂଳରେ ସତସଙ୍ଘ ଆୟୋଜନ କରି କୃଷ୍ଣ କଥାରେ ପୂର୍ଣ୍ଣ ଶ୍ରୀମଦ ଭାଗବତ ଶୁଣିବାର ଇଚ୍ଛା ପ୍ରକଟ କଲେ। ଅତି ସୁନ୍ଦର ଭବରେ ଶ୍ରୀଜଗନ୍ନାଥ ଦାସ ଲେଖିଲେ ଯେ
ଏଣୁ ଯେ କରେ ସାଧୁ ସଙ୍ଗ ।
ତରଇ ଏ ଭବ ତରଙ୍ଗ ।।
ମରଣେ ନଡରି ରାଜନ ।
ଚିତ୍ତେ ଚିନ୍ତିଲେ ଭଗବାନ ।।
ଶାସ୍ତ୍ରରେ ଅଛି ଭଗବାନଙ୍କ ନିକଟରେ ଯିଏ ଯେଉଁ ଭାବରେ ଶରଣାପନ୍ନ ହୁଅନ୍ତି ସେହି ପ୍ରକାରେ ପ୍ରଭୁଙ୍କର କୃପା ପ୍ରାପ୍ତ ହୁଅନ୍ତି। ଗୀତରେ ସେଥିପାଇଁ ଶ୍ରୀକୃଷ୍ଣ କହିଛନ୍ତି “ଯେ ଯଥା ମାଂ ପ୍ରପଦ୍ୟନ୍ତେ, ତାଂ ସ୍ତଥେଵ ଭଜାମ୍ୟହମ୍ “। ଏଠାରେ ରାଜା ପରିକ୍ଷିତ ଭଗବାନଙ୍କ ସଙ୍ଗ ଅନ୍ତିମ ସମୟରେ ଚାହିଁଛନ୍ତି ତେଣୁ ପ୍ରଭୁ ନିଜ ସ୍ୱରୂପ ଶ୍ରୀମଦ ଭାଗବତଙ୍କୁ ଶ୍ରବଣ କରିବାର ବ୍ୟବସ୍ଥା କରିଛନ୍ତି ଓ ଶୁଣେଇବା ପାଇଁ ଶ୍ରୀ ଶୁକ ମହାମୁନିଙ୍କ ଆଗମନ ଘଟିଛି।

ଆସନ୍ତୁ ଆମେମାନେ ମଧ୍ୟ ସତସଙ୍ଗ କରିବା ଓ ଶ୍ରୀଭାଗବତ କଥା ଶ୍ରବଣ କରିବା ।

ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )

Comments are closed.