Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୪୪: ଶ୍ରୀକୃଷ୍ଣ ଓ ନିତ୍ୟସିଦ୍ଧା ବ୍ରଜାଙ୍ଗନାଙ୍କ ମଧ୍ୟରେ ସଂଗଠିତ ସମବ୍ୟବହାର ଲୀଳା ହିଁ ନିତ୍ୟରାସର ଆଙ୍ଗିକ ସ୍ୱରୂପ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣ୍ଣିତ ନିତ୍ୟରାସ ପ୍ରସଙ୍ଗ ଆଲୋଚନା ଅବସରରେ ଆମେ ଶ୍ରୀରାଧା ତତ୍ୱ ଓ ନିତ୍ୟରାସର ସ୍ୱରୂପ ବିଷୟରେ ସମ୍ୟକ ଆଲୋଚନା ଜାରି ରଖିଛେ। ଏଵେ ଜାଣିବା ପ୍ରଥମ ସ୍ୱରୂପ ଅବା
ଆଙ୍ଗିକ ସ୍ୱସ୍ତୁପ:- ସାଧାରଣତଃ ରାସର ଏହା ବହିଃରଙ୍ଗ ରୂପକୁ ବୁଝାଏ
ଯମୁନା ତଟ ବୃନ୍ଦାବନରେ ଶ୍ରୀକୃଷ୍ଣ ଓ ନିତ୍ୟସିଦ୍ଧା ବ୍ରଜାଙ୍ଗନା ମାନଙ୍କ ମଧ୍ୟରେ ସଂଗଠିତ ସମଭିବ୍ୟବହାର ଲୀଳାକୁ ନିତ୍ୟରାସର ଆଙ୍ଗିକ ସ୍ୱରୂପ କୁହାଯାଏ।

ଏଠାରେ ଶ୍ରୀ ଗୋଲକ ଧାମରେ ସଂଗଠିତ ହେଉଥିବା ନିତ୍ରାସର ଏକ ପ୍ରତିରୂପ ଦେଖିବାକୁ ମିଳିଥାଏ। କାରଣ ଗୋଲକ ଧାମ ପରି ଏଠାରେ ମଧ୍ୟ କେବଳ ଜଣେ ପୁରୁଷ ଯେକି ଲୀଳାବତାର ଶ୍ରୀକୃଷ୍ଣଙ୍କ ବ୍ୟତୀତ ଅନ୍ୟ ପୁରୁଷଙ୍କ ପ୍ରବେଶ ନିଷିଦ୍ଧ ଥାଏ। କୁହାଯାଏ ଏହି ନିତ୍ୟ ରାସର ନାୟକ ଚିର କିଶୋର ନଟନାଗାର ଶ୍ରୀକୃଷ୍ଣ ଓ ନାୟିକା ଚିର କିଶୋରୀ ଶ୍ରୀରାଧା। ଏହି ଦୁଇ ନାୟକ ନାୟିକାଙ୍କ ସହ ଲୀଳାସଙ୍ଗିନୀ ବ୍ରଜବାଳାମାନଙ୍କ ରାସ ଉପକରଣ ବାଦ୍ୟଯନ୍ତ୍ର ଆଦିର ପ୍ରୟୋଗ ଦ୍ୱାରା ଯେଉଁ ଆଙ୍ଗିକ ନୃତ୍ୟ ପ୍ରଦର୍ଶିତ ହୋଇଥାଏ ତାହାହିଁ ନିତ୍ୟ ରାସର ଆଙ୍ଗିକ ସ୍ୱରୂପ।

ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-43-sri-radha-krishna-has-a-unique-deity/

ଏଥିରେ ମୁଖ୍ୟତଃ ଲଳିତା, ବିଶାଖା, ଚିତ୍ରା, ଚମ୍ପକଲତା, ତୁଙ୍ଗ ବିଦ୍ୟା, ରଙ୍ଗ ଦେବୀ, ସୁଦେଵୀ, ଭଦ୍ରିକା, ତାରା, ବିଚିତ୍ରା, ଶେଫାଳି, ଧନିଷ୍ଠା ଆଦି ସମସ୍ତ ବ୍ରଜବାଳାଙ୍କ ସହଯୋଗରେ ସଂଗଠିତ ରାସ ହିଁ ଆଙ୍ଗିକ ରାସ ସ୍ୱରୂପ ଭାବରେ ଉପସ୍ଥାପିତ ହୋଇଥାଏ। ସମୟ ସମୟରେ ଚନ୍ଦ୍ରାବଳି ନାମକ ଉପ ନାୟିକାଙ୍କର ଅବ୍ରିଭାଵ ଘଟି ରାସକୁ ଆହୁରି ରସୋ୍ତୀର୍ଣ କରିଥାଏ। କାରଣ ଚନ୍ଦ୍ରାବଳି ଏଠାରେ ନାୟିକା ଶ୍ରୀରାଧାଙ୍କ ପ୍ରତିପକ୍ଷାସଖି ରୂପେ ନାୟକ ଶ୍ରୀକୃଷ୍ଣଙ୍କୁ ଆକର୍ଷିତ କରନ୍ତି।
ଏହି ସବୁ ଆଙ୍ଗିକ କ୍ରିୟା ଏଠାରେ ସଂଗଠିତ ହେଉଥିଲେ ମଧ୍ୟ ଗୋପୀ ମାନେ ତାଙ୍କ ପ୍ରିୟ ଲୀଳାବତାର ଶ୍ରୀକୃଷ୍ଣଙ୍କୁ ଠିକ ଚିହ୍ନି ପାରିଛନ୍ତି। ସେଥିପାଇଁ ଶ୍ରୀଜଗନ୍ନାଥଦାସଙ୍କ ଭାଷାରେ- ଗୋପୀ ମାନଙ୍କ ଉକ୍ତି
ଛାଡିଲୁ ବିଷୟା ବିଷାଦ।
ପାଇ ତୋହର ପଦ୍ମ ପାଦ।।
ଆମକୁ ତେଜୁ କାହିଁ ପାଇଁ।
ତୋ ବିନୁ ଅନ୍ୟ ଗତି ନାହିଁ।।
ତୁ ନୋହୁଁ ଯଶୋଦା ନନ୍ଦନ।
ଅନାଦି ପ୍ରଭୁ ନିରଞ୍ଜନ।
ଲୀଳା ପୁରୁଷ ଶ୍ରୀକୃଷ୍ଣଙ୍କ ପ୍ରକୃତ ସ୍ୱରୂପ ଅବଗତ ହେଲା ପରେ ଆଉ କଣ ଆଙ୍ଗିକ ରାସ ରହିବ, ତାହା ବଦଳିଯିବ ଆତ୍ମିକ ରାସ ସ୍ୱରୂପରେ। ଆଗାମୀ ଆଲୋଚନା କରିବା କଣ ସେ ଆତ୍ମିକ ସ୍ୱରୂପ ଏଵେ କିନ୍ତୁ ଆତ୍ମାରେ ଧରି ନେବା ଶ୍ରୀମଦ ଭାଗବତଙ୍କୁ।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)

 

Comments are closed.