ଶ୍ରୀ ଭାଗବତ ସାର ୪୫: ଶ୍ରୀକୃଷ୍ଣଙ୍କ ନିକଟରେ ଆତ୍ମ ସମର୍ପଣ ଯେଉଁ ମଧୁରାରତି ରସର ଅସ୍ୱାଦନ କରାଏ ତାହାହିଁ ନିତ୍ୟରାସର ପ୍ରକୃତ ଆତ୍ମିକ ସ୍ୱରୂପ
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣିତ ରାସର ଆଲୋଚନା ପ୍ରସଙ୍ଗରେ ଆମେ ପ୍ରଥମେ ଜାଣିଲେ ରାସର ଆଙ୍ଗିକ ସ୍ୱରୂପ ବିଷୟରେ। ଏଵେ ଦ୍ଵିତୀୟ
ଆତ୍ମିକ ସ୍ୱରୂପ:- ନିତ୍ୟ ରାସ ପୀଠ ବୃନ୍ଦାବନରେ କୃଷ୍ଣବଲ୍ଳଭା ଗୋପୀ ମାନଙ୍କ ସହିତ ରାସବିହାରି ଶ୍ରୀକୃଷ୍ଣଙ୍କ ଆଙ୍ଗିକ ନୃତ୍ୟ ପଦର୍ଶନ କାଳରେ ଆଉ ଏକ ଆତ୍ମିକ ଭାବ ସୃଷ୍ଟି ହୁଏ। ଅର୍ଥାତ ରାସପୀଠରେ ଉପସ୍ଥିତ ସମସ୍ତ ଗୋପାଙ୍ଗନା ନିଜ ଆତ୍ମାରେ ଲୀଳାମୟ କୃଷ୍ଣଙ୍କୁ ଏପରି ସ୍ଥାପନ କରନ୍ତି ଯେ ସମସ୍ତ ଗୋପୀ ମାନେ ଶ୍ରୀକୃଷ୍ଣଙ୍କ ହସ୍ତଧରି ନୃତ୍ୟ କରୁଥିବାର ଅନୁଭବ କରନ୍ତି। ଅବଶ୍ୟ ଏହାକୁ ଶ୍ରୀମଦ ଭାଗବତ ଟିକିଏ ଅନ୍ୟ ରୂପରେ ଉପସ୍ଥାପନା କରିଛି
ଯୋଗ ମାୟାର ବଳେ ହରି।
ଷୋଳ ସହସ୍ର ରୂପ ଧରି।।
ହୋଇଲେ ବେନି ବେନି ଜନ।
ଗୋପୀ ରମିଲେ ଭଗବାନ।।
ଅର୍ଥାତ ରାସ ପୀଠରେ ଶ୍ରୀକୃଷ୍ଣଙ୍କ ଷୋଳସହସ୍ର ରୂପର ଅଭ୍ୟୁଦୟ ହୋଇ ପ୍ରତ୍ୟେକ ଗୋପୀ ମାନଙ୍କ ସହ ରାସରେ ମିଳିତ ହୁଅନ୍ତି। ଗୋପୀ ମାନେ ମଧ୍ୟ ଅତ୍ୟନ୍ତ ପ୍ରେମୋମତ୍ତ ଅବସ୍ଥାରେ ଅନୁଭବ କରନ୍ତି ଯେ ସେମାନେ ପ୍ରତ୍ୟେକ ଜଣେ ଜଣେ ଶ୍ରୀକୃଷ୍ଣଙ୍କ ସହ ନୃତ୍ୟ କରୁଛନ୍ତି। ପରମପୁରୁଷ ଶ୍ରୀକୃଷ୍ଣଙ୍କୁ ଏପରି ଏକକ ଭାବରେ ଅନୁଭବ କରିବା ଅତ୍ୟନ୍ତ ସୌଭାଗ୍ୟର କଥା। କିନ୍ତୁ ଗୋପୀ ମାନେ ଏହି ଆତ୍ମିକ ଅନୁଭବକୁ ଭଗବାନଙ୍କ କରୁଣା ନଭାବି ଯେତେବେଳେ ନିଜ ନିଜର ସୁକୃତ ଜନିତ ସୌଭାଗ୍ୟ ବୋଲି ବିବେଚନା କରି ଗର୍ବ ଅନୁଭବ କରନ୍ତି। ଠିକ ସେତିକି ବେଳେ ଗର୍ବ ଗଞ୍ଜନ ପ୍ରଭୁ ରାସ ପୀଠରୁ ଅନ୍ତର୍ଧ୍ୟାନ ହୁଅନ୍ତି। ତାପରେ ବିରହବିଧୁରା ଗୋପୀ ମାନଙ୍କ ଶ୍ରୀକୃଷ୍ଣଙ୍କ ଅନ୍ୱେଷଣ, ହତାଶ ଭାବ ଓ ଶେଷରେ ଶ୍ରୀକୃଷ୍ଣଙ୍କ ନିକଟରେ ଆତ୍ମ ସମର୍ପଣ ଯେଉଁ ମଧୁରାରତି ରସର ଅସ୍ୱାଦନ କରାଏ ତାହାହିଁ ନିତ୍ୟରାସର ପ୍ରକୃତ ଆତ୍ମିକ ସ୍ୱରୂପ।
ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-44-without-god-we-have-no-other-path/
ଏହି ଆତ୍ମିକ ସ୍ୱରୂପ ରାସରେ ଗୋପୀମାନଙ୍କୁ ଯେଉଁ ଦିବ୍ୟ ଆନନ୍ଦ ଲାଭ ହୋଇଥାଏ ତାହା ସାଧାରଣ ଭକ୍ତ ପାଇଁ ଦୁର୍ଲ୍ଲଭ ହୋଇଥାଏ। କାରଣ ଗୋପୀ ମାନଙ୍କ ଶ୍ରୀକୃଷ୍ଣ ପ୍ରାଣତା ସାଧାରଣ ଜୀବଙ୍କ ପାଖରେ ନଥାଏ। କେହି କେହି ଗୋପୀ ମାନଙ୍କର ଏହି ଶ୍ରୀକୃଷ୍ଣପ୍ରାଣତାକୁ ଗୋପୀ ମାନଙ୍କ କାନ୍ତାଭାବମୟୀ ଅବସ୍ଥା ବୋଲି ଉଲ୍ଲେଖ କରିଛନ୍ତି। ଯେଉଁଥିରେ କାମବୃତ୍ତି ଉଦ୍ରେକ ହେବାର ଅବକାଶ ରହେ ବୋଲି ମଧ୍ୟ ଧାରଣା ଅଛି, କିନ୍ତୁ ଆତ୍ମିକ ରାସ ସ୍ୱରୂପରେ ସମ୍ଭୋଗ ଭାବନାର ପରିପ୍ରକାଶ ହୁଏ ନାହିଁ। ଏହା ନିଜ ଭିତରେ ସଂଗୁପ୍ତ ହୋଇ ରହିଥାଏ।
ଶ୍ରୀଲ ରୂପଗୋସ୍ୱାମୀପାଦଙ୍କ ମତ “ସା କାମରୁପା ସମ୍ଭୋଗତୃଷ୍ଣା ଯା ନିୟତି ସ୍ୱତାମ”। ତେଣୁ ଏହି ରାସର ଆତ୍ମିକ ସ୍ୱରୂପ ନିଶ୍ଚିତ ଭାବେ ଅବ୍ୟକ୍ତ, କିନ୍ତୁ ଏହାକୁ ଶାବ୍ଦିକ ରୂପରେ ଜଗତ ଆଗରେ ପରଷି ଦେବା ଶ୍ରୀମଦ ଭାଗବତ ଗ୍ରନ୍ଥର ଶ୍ରେଷ୍ଠ ଉପଲବ୍ଧି, ତେଣୁ ଏହି ଗ୍ରନ୍ଥ ପ୍ରତ୍ୟେହ ଶ୍ରୋତବ୍ୟ, ପଠିତବ୍ୟ ଓ ଲୀଳାସ୍ମତ୍ତ୍ରବ୍ୟ ଅଟେ।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )
Comments are closed.