ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣ୍ଣିତ ଯୋଗ ଵିଧି ଆଲୋଚନା ପ୍ରସଙ୍ଗରେ ଆମେ ଆଜି ଜାଣିବା ଷଢ଼ ଚକ୍ର ବିବରଣୀ। ଶରୀର ମଧ୍ୟରେ ତିନି ଗୋଟି ମୂଖ୍ୟ ନାଡୀ ମଧ୍ୟରୁ ସୁଷୁମ୍ନା ନାଡୀ ଦେହରେ ଛଅ ଗୋଟି ଚକ୍ର ବିଦ୍ୟମାନ ଯଥା-
1.ମୂଳାଧାର
2.ସ୍ୱାଧିଷ୍ଠାନ
3.ମଣିପୁର
4.ଅନାହତ
5.ବିଶୁଦ୍ଧ
6.ଆଜ୍ଞାଚକ୍ର
ଏଥି ମଧ୍ୟରେ ଥିବା ମୂଳାଧାର ଚକ୍ର ନିକଟରେ ଥାଏ କୁଣ୍ଡଳିନୀ ଶକ୍ତି। ସାଧକ ଏହି ଶକ୍ତିକୁ ଜାଗ୍ରତ କରାଇ ସୁଷୁମ୍ନା ନାଡୀ ମଧ୍ୟ ଦେଇ ଗତି କରାଇ ଷଢ଼ ଚକ୍ର ଭେଦ କରିଥାଏ। କାରଣ ସୁଷୁମ୍ନା ନାଡୀ ମୂଳାଧାରରୁ ବାହାରି ମେରୁଦଣ୍ଡ ମଧ୍ୟରେ ଗତି କରି ମସ୍ତିଷ୍କ ପର୍ଯ୍ୟନ୍ତ ଯାଇଛି ଓ ଏହା ସତ୍ୱପ୍ରଧାନ, ପ୍ରକାଶ ମୟ ଓ ଅତ୍ୟନ୍ତ ଶକ୍ତିଶାଳୀ ଅଟେ। ଉପରୋକ୍ତ ଛଅଗୋଟି ଚକ୍ର ବ୍ୟତୀତ ମସ୍ତିଷ୍କରେ ସହସ୍ର ଦଳକମଳ ସଦୃଶ୍ୟ ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ଚକ୍ର ସହସ୍ରାର ଚକ୍ର ବିରାଜମାନ। ତେଣୁ ପରମ ଯୋଗୀ ମାନେ ଏହି ଚକ୍ରରେ ପରମ ପୁରୁଷଙ୍କ ଉପସ୍ଥିତିକୁ ଅନୁଭବ କରିଥାନ୍ତି। ଏହି ଯୋଗ କ୍ରିୟା ଅତ୍ୟନ୍ତ କଠିନ ଓ ସମୟ ସାପେକ୍ଷ ତଥାପି ଶ୍ରୀମଦଭାଗବତରେ ଶ୍ରୀ ଜଗନ୍ନାଥ ଦାସ ଏହି ଷଢ଼ ଚକ୍ର ସାଧନା ବିଷୟରେ ଏପରି କହିଛନ୍ତି
ପ୍ରଥମ ଚକ୍ରେ ସୁକ୍ଷ୍ମ ରୂପ।
ଦ୍ଵିତୀୟେ ପ୍ରକାଶେ ଅଳପ।।
ତହୁଁ ଅଧିକ ମଣିପୁରେ।
ପ୍ରକାଶେ ଅନାହତ ଦ୍ୱାରେ।।
ମୃଣାଳ ସୂତ୍ର ମାର୍ଗେ ଜ୍ୟୋତି।
ଧ୍ୟାନ ଅଭ୍ୟାସେ ଯାହା ଚିନ୍ତି।।
ଚକ୍ର ପବନ ମହାବଳୀ।
ମନ ପବନ ସଙ୍ଗେ ତୋଳି।।
ବିଶୁଦ୍ଧ ଚକ୍ର ରନ୍ଧ୍ର ଦେଶେ।
ଆସନ ଦୃଢ଼ ବନ୍ଧ ପାଶେ।।
ପ୍ରାଣ କୁ ବ୍ରହ୍ମ ର6ନ୍ଦ୍ର ଥୋଇ।
ନିଶ୍ଚଳ ଧ୍ୟାନେ ମନ ଦେଇ।।
ତେବେ ତୁ ଦେଖିବୁ ସାକ୍ଷାତେ।
ଆତ୍ମା ର ରୂପ ଦୃଷ୍ଟି ମାତ୍ରେ।।
ଏହାର ସମ୍ପୂର୍ଣ ତର୍ଜମା କରିବା ସମ୍ଭବ ନୁହେଁ, କାରଣ ଏହାକୁ ସାଧନା କରିବାର କ୍ରିୟା ଗୁଡିକ ଅତ୍ୟନ୍ତ କଷ୍ଟ ଅଟେ ତେବେ ଶ୍ରୀଜଗନ୍ନାଥ ଦାସ ଏହାର ଏକ ସହଜ କ୍ରିୟା ବିଧାନ ମଧ୍ୟ ସେହି ଭାଗବତରେ କହିଛନ୍ତି
ମୋ ରୂପ ବ୍ରହ୍ମମୟଧ୍ୟାନେ।
ଦୃଢ଼ ବସିବ ଯୋଗାସନେ।।
ପ୍ରାଣ ତୋଳିବ ଯୋଗ ବଳେ।
ସ୍ଥାପିବ ହୃଦୟ କମଳେ।।
ପୁଣି ତୋଳିବ ଦୃଢ଼େ ଉର୍ଦ୍ଧୋ
ନେଇ ସ୍ଥାପିବ ବ୍ରହ୍ମ ରନ୍ଦ୍ରେ।।
ସେହି ବ୍ରହ୍ମରନ୍ଦ୍ର ଭେଦି ବଳେ।
ପରମ ବ୍ର6ହ୍ମ ଆତ୍ମା ମିଳେ।।
ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-58-shrimad-bhagwat-teaches-us-the-yoga-of-knowledge-and-the-method-of-pranayama/
ଜ୍ଞାନ ଯୋଗ, କର୍ମ ଯୋଗ, ଭକ୍ତି ଯୋଗ ଆଦି ମଧ୍ୟରେ ଏହି କ୍ରିୟା ଯୋଗ ଅତ୍ୟନ୍ତ ଶକ୍ତିଶାଳୀ ଓ ସାଧନା ସାପେକ୍ଷ, କେବଳ ଜଣେ ଗୁରୁ କୃପା ପ୍ରାପ୍ତ ଉତ୍ତମ ସାଧକ ଏହି ସାଧନା କରି ପରମ ସନ୍ତୋଷ ଲାଭ କରିଥାନ୍ତି ଆମେ କିନ୍ତୁ ଏ ଜଟିଳ ସାଧନାକୁ ଛାଡି କେବଳ ଭକ୍ତି ସହିତ ଭାଗବତଙ୍କୁ ଆଧାର କରି ସେହି ସନ୍ତୋଷ ପାଇବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)
Comments are closed.