ଶ୍ରୀ ଭାଗବତ ସାର ୭୫: ଶ୍ରୀମଦ ଭାଗବତଙ୍କ ପରି ମହାନ ଗ୍ରନ୍ଥର ଧ୍ୱନିରେ ପ୍ରତ୍ୟେକ ମଣିଷଙ୍କ ଅନ୍ତର ଭକ୍ତି ରସରେ ପ୍ଲାବିତ ହୁଏ
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ, ମୂଳ ସଂସ୍କୃତ ଭାଗବତଙ୍କର ଆକ୍ଷରିକ ଅନୁବାଦ ନୁହେଁ ଏହା ଥିଲା ଭାବାନୁବାଦ। କିନ୍ତୁ ଅଷ୍ଟାଦଶ ଶତାବ୍ଦୀରେ ଆଉ ଜଣେ ଓଡ଼ିଆଙ୍କ ଦ୍ୱାରା ସଂସ୍କୃତ ଭାଗବତର ଓଡ଼ିଆ ଅନୁବାଦ ହୋଇଥିଲା। ସେ ଥିଲେ ପଣ୍ଡିତ ଦୀନବନ୍ଧୁ ଖାଡ଼ଙ୍ଗା। ଯେଭଳି ଶ୍ରୀଜଗନ୍ନାଥ ଦାସ ନିଜ ମାଆଙ୍କ (ଜନନୀ )ଙ୍କ ଅନୁରୋଧ ରକ୍ଷା କରି ଓଡ଼ିଆରେ ଭାଗବତ ରଚନା କରିଥିଲେ, ସେହିପରି ପଣ୍ଡିତ ଦୀନବନ୍ଧୁ ଖାଡ଼ଙ୍ଗା ନିଜ ଗୁରୁ ପରମ ବୈଷ୍ଣବ ଜୟରାମ ଦାସଙ୍କ ଆଦେଶରେ ଏହି କାର୍ଯ୍ୟ ସମ୍ପାଦନା କରିଥିଲେ।
ପରେ ପରେ ଦୁଇଟି ଯାକ ଅନୁବାଦ ଗ୍ରନ୍ଥର ତାତ୍ୱିକ ଆଲୋଚନା କରି ପଣ୍ଡିତ ନୀଳମଣି ମିଶ୍ର ଲେଖିଲେ ଶ୍ରୀଜଗନ୍ନାଥ ଦାସ ଏକ ଐଶ୍ୱରୀୟ ପ୍ରତିଭାର ପରିଚୟ ନିଜ ଅନୁବାଦରେ ଦେଖାଇଛନ୍ତି। କିନ୍ତୁ ପଣ୍ଡିତ ଦୀନବନ୍ଧୁ ଖାଡ଼ଙ୍ଗା ଜଣେ ସଂସ୍କୃତ ପଣ୍ଡିତ ହିସାବରେ ଭାଗବତଙ୍କୁ ଆକ୍ଷରିକ ପଦ୍ୟାନୁବାଦ କରିଛନ୍ତି। ତାଙ୍କର ରଚନା ଶୈଳୀ ଓ ଭାଷା ଆଦୌ ଶ୍ରୀଜଗନ୍ନାଥ ଦାସଙ୍କ ରଚନା ଶୈଳୀ ଓ ଉନ୍ନତ ଭାଷା ସହିତ ସମକକ୍ଷ ନଥିଲା। ଶ୍ରୀଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତର ଭାଷା, ପଦଲାଳିତ୍ୟ ଓ ବର୍ଣ୍ଣନା ପରିପାଟୀ ଆଜି ଏହି ଗ୍ରନ୍ଥଟିକୁ ଓଡ଼ିଆଙ୍କ ହୃଦୟ ଜିତିବାରେ ସକ୍ଷମ ହୋଇଛି। ଆଦି କବି ସାରଳା ଦାସ ଓ ଭକ୍ତ ବଳରାମ ଦାସଙ୍କ ରଚନାରେ ଦୃଷ୍ଟି ଗୋଚର ହେଉଥିବା ଭାଷା ଓ ପଦଲାଳିତ୍ୟକୁ ମଧ୍ୟ ଶ୍ରୀଜଗନ୍ନାଥ ଦାସ ଆହୁରି ଶକ୍ତି ଓ ସାମର୍ଥ୍ୟ ଯୁକ୍ତ କରିଛନ୍ତି।
ଏହାମଧ୍ୟ ପଢନ୍ତୁhttps://odishasambad.in/shrimad-bhagwat-katha-74-following-whom-did-shri-jagannath-das-compose-the-odia-bhagwat/
ନିଜର ପ୍ରତିଭା, ପାଣ୍ଡିତ୍ୟ ଓ ନିଷ୍ଠାପର ସାଧନା ଯୋଗୁଁ ଶ୍ରୀମଦ ଭାଗବତ ପରି ଏକ ମହାନ ଗ୍ରନ୍ଥ ଭେଟି ଦେଇ ଶ୍ରୀଜଗନ୍ନାଥ ଦାସ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି। ଏହି ପବିତ୍ର ମହାପୁରାଣର ଧ୍ୱନିରେ ପ୍ରତ୍ୟେକ ମଣିଷଙ୍କ ଅନ୍ତର ଭକ୍ତି ରସରେ ପ୍ଲାବିତ ହେଉ ଏହାହିଁ ଶ୍ରୀଜଗନ୍ନାଥ ଦାସଙ୍କ ପ୍ରକୃତ ଉଦେଶ୍ୟ ଥିଲା। ସେଥିପାଇଁ ଆଜି ଘରେ ଘରେ ଗ୍ରାମେ ଗ୍ରାମେ ଶ୍ରୀମଦ ଭାଗବତଙ୍କ ପୂଜା ଅର୍ଚନା ଚାଲିଛି ସେହି ଭାଗବତ କହେ
ଭକତି ଯୋଗ ସାଧ୍ୟ କରି।
ଭବୁ ଭକତେ ଯାନ୍ତି ତରି।।
ଯୋଗୀଏ ଯୋଗ ମାର୍ଗେ ଭ୍ରମି।
ଫୁଟି ହୁଅନ୍ତି ପଥ ଶ୍ରମୀ।।
ଓଡିଶାର ପୁରପଲ୍ଲୀରେ କେବଳ ଭାଗବତ ଟୁଙ୍ଗୀ ପ୍ରତିଷ୍ଠିତ ହୋଇନି ଏଠାରେ ଭାଗବତ ସପ୍ତାହର ଆୟୋଜନ ମଧ୍ୟ ହୁଏ। ଫାଲଗୁନ, ଚୈତ୍ର ମାସରେ ଭାଗବତ ମେଳଣ ମଧ୍ୟ ଆୟୋଜିତ ହୋଇଥାଏ। ଓଡ଼ିଆ ଭାଗବତ ନିଜର ସରସ ସୁନ୍ଦର ଓ ସରଳ ଭାଷା, ନବାକ୍ଷର ବୃତ୍ତ, ଗାୟନରେ ଯତିପାତ, ଅପୂର୍ବ ବର୍ଣନା ଶୈଳୀ ଓ ବ୍ୟାଖ୍ୟାର ଉତ୍କୃଷ୍ଟ ପ୍ରୟୋଗ ତଥା କୃଷ୍ଣ ଭକ୍ତିର ପ୍ରେରଣା ଏହାକୁ କାଳଯୟୀ କରିପାରିଛି। ମହାପୁରୁଷ ଶ୍ରୀଜଗନ୍ନାଥ ଦାସ ଏହି ଅନନ୍ୟ ଗ୍ରନ୍ଥକୁ ରଚନା କରିବା ସହିତ ପ୍ରତିଦିନ ସୁଲଳିତ କଣ୍ଠରେ ଶ୍ରୀମନ୍ଦିର ମଧ୍ୟରେ ଗାନ କରୁଥିଲେ ଯାହା ଶ୍ରୀଜଗନ୍ନାଥଙ୍କ ମନକୁ ମଧ୍ୟ ମୋହୁଥିଲା। ଆସନ୍ତୁ ତେବେ ଆମେ ନିୟମିତ ପାଠ କରି ନିଜେ ପବିତ୍ର ହେବା ସହିତ ଜଗତକୁ ପବିତ୍ର କରିବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)
Comments are closed.