Latest Odisha News

BREAKING NEWS

ଆସୁଛି ଓଲିଉଡ ଫିଲ୍ମ “ଧରମା ରେ” ବିଶୁ ମହାରଣା ଅବତାରରେ ସମ୍ବିତ ଆଚାର୍ଯ୍ୟ

ଭୁବନେଶ୍ୱର: ଆଧୁନିକତାର ଛାପ ଓ ନକଲ ଛାଡି ଓଡିଶାର ଐତିହ୍ୟ ଓ ପରମ୍ପରା ଉପରେ ମନୋନିବେଶ କରିଛି ଓଲିଉଡ ଜଗତ । ଆଗାମୀ ଦିନରେ ଖୁବଶୀଘ୍ର ଓଡିଶାର ପୁରାତନ କୋଣାର୍କ ମନ୍ଦିର ଉପରେ ଆଧାରିତ ଏକ ଐତିହାସିକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ଫିଲ୍ମର ଟାଇଟଲ ରହିଛି “ଧରମା ରେ” ।

ଏଥିରେ ଧରମା ଓରଫ ବିଶୁ ମହାରଣା କିର୍ଦାରରେ ନଜର ଆସିବେ ଅଭିନେତା ସମ୍ବିତ ଆଚାର୍ଯ୍ୟ । ନିକଟରେ ଏହି ଫିଲ୍ମର ଶୁଭ ମହରୁତ ଭୁବନେଶ୍ୱରଠାରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଫିଲ୍ମର ସମସ୍ତ ଷ୍ଟାରକାଷ୍ଟଙ୍କ ସମେତ ପ୍ରଯୋଜକ, ନିର୍ଦ୍ଦେଶକ ଓ ଅନ୍ୟ କ୍ରିଉ ମେମ୍ବର ଉପସ୍ଥିତ ଥିଲେ ।

ବାସୁଦେବ କ୍ରିଏସନ୍ସ ବ୍ୟାନର ତଳେ ନିର୍ମିତ ହେବାକୁ ଏହି ଫିଲ୍ମର ପ୍ରଯୋଜନା ଭାର ପ୍ରଦୀପ ଖୁଣ୍ଟିଆ ସମ୍ଭାଳିଛନ୍ତି । ଅନ୍ୟପଟେ ଦେବୀ ପ୍ରସାଦ ତ୍ରିପାଠୀ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି । ଫିଲ୍ମରେ ସମ୍ବିତଙ୍କ ବିପକ୍ଷରେ ନବାଗତା ରେଶ୍ମାଂଜଳୀଙ୍କୁ ଦେଖିବାକୁ ମିଳିବ । ସେହିଭଳି ଲାଙ୍ଗୁଳା ନରସିଂହ ଦେବଙ୍କ ଭୂମିକାରେ ରାଇ ମୋହନ ମହାପାତ୍ର ଓ ସିବେଇ ସାଆନ୍ତ ଭାବେ ଦେବୁ ବ୍ରହ୍ମାଙ୍କୁ ଦର୍ଶକ ଦେଖିବାକୁ ପାଇବେ । ଅନ୍ୟପଟେ ସଙ୍ଗୀତ ନିର୍ଦ୍ଦେଶନା ଭାର ସମ୍ଭାଳିବେ ବସନ୍ତ ରାଜ ସାମଲ ।

ଫିଲ୍ମରେ ଅନ୍ୟାନ୍ୟ ପ୍ରମୁଖ ଭୂମିକାରେ ପ୍ରଯୋଜକ ପ୍ରଦୀପ ଖୁଣ୍ଟିଆ, ନମିତା ଓ ଥିନଙ୍କୁ ଦେଖିବାକୁ ମିଳିବ । ତେବେ ସବୁଠୁ ମଜାଦାର କଥା ହେଉଛି ଓଡିଶାର ଜଣାଶୁଣା ଟିଭି କାର୍ଯ୍ୟକ୍ରମ ଦ ଗ୍ରେଟ ଓଡିଶା ପଲିଟିକାଲ ସର୍କସର କଳାକାରମାନେ ଫିଲ୍ମରେ ବଢେଇ ରୂପେ ନଜର ଆସିବେ ।

Leave A Reply

Your email address will not be published.