ଭୁବନେଶ୍ୱର: ନିଜେ ବିଛେଇଥିବା ଜାଲରେ ଦିନକୁ ଦିନ ଫଶିବାରେ ଲାଗିଛି ବହୁଚର୍ଚ୍ଚିତ ଶୁଭମିତ୍ରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତ । ଆଜି ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁ ହତ୍ୟାକାଣ୍ଡକୁ ନେଇ ବିଜେଡ଼ି ଦେଇଥିବା ମୁଲତବୀ ପ୍ରସ୍ତାବର ଉତ୍ତର ରଖି ବଡ଼ ଖୁଲାସା କରିଛନ୍ତି ଆଇନ ମନ୍ତ୍ରୀ ।
ଆଇନ ମନ୍ତ୍ରୀ କହିଛନ୍ତି ଯେ ୨୦୧୮ ମସିହାରେ ଅଭିଯୁକ୍ତ ଦୀପକ ରାଉତ ନିଜ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ । ୨୦୨୨ ମସିହାରେ ବୀମା ଟଙ୍କା ହଡ଼ପ କରିବାକୁ ପ୍ରଥମ ପତ୍ନୀଙ୍କ ହତ୍ୟାକୁ କରିଥିଲା ଦୀପକ ରାଉତ । ସେତେବେଳେ ତଦନ୍ତ ସମୟରେ ବିଜେଡ଼ି ସରକାର ଥିଲା ।
ତଦନ୍ତ ସମୟରେ ଟ୍ରକ୍ ଧକ୍କାରେ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା । କିନ୍ତୁ ଦୁର୍ଘଟଣା ଘଟାଇଥିବା ଟ୍ରକଟି ଘଟଣା ଦିନ ରାଉରକେଲାରେ ଥିବା ଜଣାପଡିଥିଲା । ତେଣୁ ଅପର୍ଣ୍ଣାଙ୍କ ହତ୍ୟା କାହିଁକି ହୋଇଥିଲା ଏବଂ କାହା ସ୍ୱାର୍ଥରେ ହତ୍ୟାକୁ ଲୁଚାଇ ଦିଆଯାଇଥିଲା ତାହା ସ୍ପଷ୍ଟ ହେବା ଦରକାର ବୋଲି କହି ପୂର୍ବ ବିଜେଡ଼ି ସରକାରକୁ ଟାର୍ଗେଟ କରିଥିଲେ ପୃଥ୍ୱୀରାଜ ।
ସୂଚନାଯୋଗ୍ୟ, ମାଟ୍ରିମୋନିଆଲ୍ ସାଇଟ୍ରୁ ଅପର୍ଣ୍ଣା ଓ ଦୀପକଙ୍କ ବିବାହ ୨୦୧୮ ମସିହା ଏପ୍ରିଲ୍ ୨୫ ତାରିଖରେ ହୋଇଥିଲା । ୨୦୨୨ ମାର୍ଚ୍ଚ ୧୭ ତାରିଖ ରାତି ପ୍ରାୟ ୮ଟାରେ ଖୁଣ୍ଟୁଣୀ ନିକଟରେ ଅପର୍ଣ୍ଣା ଦୁର୍ଘଟଣାର ଶିକାର ହୋଇଥିବା ନେଇ ଦୀପକ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲା। ଘର ଲୋକେ ଢେଙ୍କାନାଳରୁ ବାହାରିବା ସମୟରେ ପ୍ରଥମେ ସେ କଟକ ବଡ଼ଡାକ୍ତରଖାନାକୁ ଓ ପରେ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲ୍କୁ ନେଉଥିବା କହିଥିଲା। ହେଲେ ଡାକ୍ତରଖାନାରେ ପହଞ୍ଚବା ବେଳକୁ ଅପର୍ଣ୍ଣାଙ୍କର ମୃତ୍ୟୁ ହୋଇସାରିଥିଲା। ଦୀପକର କହିବାନୁସାରେ, କାର୍ର ଚକା ଲିକ୍ ହୋଇଯାଇଥିଲା। ସେ ଚକା ବଦଳାଉଥିବା ସମୟରେ ଅପର୍ଣ୍ଣା ମୋବାଇଲ୍ ଟର୍ଚ୍ଚ ଦେଖାଉଥିଲେ। ସେହି ସମୟରେ ଓଡି-୦୨-ଏସ୍-୩୪୮୬ ନମ୍ବର ଟ୍ରକ୍ ତାଙ୍କୁ ଧକ୍କା ଦେଇଥିବା କହିବା ପରେ ଖୁଣ୍ଟୁଣି ଥାନାରେ କେସ ନମ୍ବର ୭୨/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା । ଆଉ ଦୀପକ ଚାଲାକି କରି ଅପର୍ଣ୍ଣାଙ୍କ ନାମରେ ଥିବା ବୀମା ଟଙ୍କା ହାତେଇ ନେଇଥିଲା ।
ସେପଟେ, ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ହତ୍ୟାକାଣ୍ଡ ପଛରେ ଆଉ ଏକ ନୂଆ ଖବର ସାମ୍ନାକୁ ଆସିଛି । ଅଭିଯୁକ୍ତ ଦୀପକ ରାଉତ ଓ ଶୁଭମିତ୍ରାଙ୍କ ବିବାହ ପରେ ଦୀପକର ଆକାଉଣ୍ଟ ଉପରେ ଥିଲା ଶୁଭମିତ୍ରାଙ୍କ ଆଖି । ପ୍ରଥମ ପତ୍ନୀଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଇନସ୍ୟୁରାନ୍ସ ବାବଦକୁ ପ୍ରାୟ ୧ କୋଟି ୨୫ ଲକ୍ଷ ଟଙ୍କା ପାଇଥିଲା ଦୀପକ । ଶୁଭମିତ୍ରା ସେହି ଟଙ୍କାରୁ ୨୦ ଲକ୍ଷ ମାଗୁଥିଲେ । ଟଙ୍କା ନ ଦେବାରୁ ଘରକୁ ଡାକି ଶୁଭମିତ୍ରା ଓ ତାଙ୍କ ମାଆ, ଦୀପକଙ୍କ ତଣ୍ଟିରେ ଛୁରୀ ଲଗାଇ ଧମକ ବି ଦେଇଥିଲେ । ହତ୍ୟାକାଣ୍ଡ ଦିନ ବି ସେହି ସମାନ ଘଟଣାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ, ଯୁକ୍ତିତର୍କରୁ ହାତାହାତି ପର୍ଯନ୍ତ କଥା ଯାଇଥିଲା । ଶୁଭମିତ୍ରା, ଦୀପକକୁ ଗୋଇଠା ମାରିବାରୁ, ସେ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିବା ପଲିଗ୍ରାଫ ଟେଷ୍ଟ ବେଳେ ଜଣାପଡ଼ିଛି ।
Comments are closed.