Latest Odisha News

BREAKING NEWS

ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜମୁଛି ପର୍ଯ୍ୟଟକଙ୍କ ଗହଳି

ଭୁବନେଶ୍ୱର: ଆଜିଠାରୁ ପର୍ଯ୍ୟଟକଙ୍କ ଲାଗି ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ । ରାଜ୍ୟରେ ଦକ୍ଷିଣ – ପଶ୍ଚିମ ମୌସମୀ ପ୍ରଭାବରେ ହେଉଥିବା ବର୍ଷା ଯୋଗୁଁ କିଛିଦିନ ପାଇଁ ଏହି ଜାତୀୟ ଉଦ୍ୟାନକୁ ପର୍ଯ୍ୟଟକଙ୍କ ପ୍ରବେଶକୁ ନିଷେଧ କରାଯାଇଥିଲା ।

ଏନେଇ ସୂଚନା ଦେଇଛନ୍ତି ଫିଲ୍ଡ ନିର୍ଦ୍ଦେଶକ ଅମିତାଭ ବ୍ରହ୍ମା । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି “ଶୁକ୍ରବାରଠାରୁ ରାଜ୍ୟରେ ଶିମିଳିପାଳ ଜାତୀୟ ଉଦ୍ୟାନକୁ ପର୍ଯ୍ୟଟକ ଓ ସାଧାରଣଲୋକଙ୍କ ଉଦ୍ଦେଶ୍ୟରେ ଖୋଲି ଦିଆଯାଇଛି। ଏହାବ୍ୟତୀତ କାଳିଆଣି ଓ ପିଠାବାଟ ଭଳି ଦୁଇଟି ଚେକ୍ ପଏଣ୍ଟ ଦେଇ ଲୋକେ ଏହି ଜାତୀୟ ଉଦ୍ୟାନ ମଧ୍ୟକୁ ପ୍ରବେଶ କରିପାରିବେ ।

ଏହି ଦୁଇ ଚେକି ପଏଣ୍ଟରେ ଯଥାକ୍ରମେ ସର୍ବାଧିକ ୩୫ ଓ ୨୫ଟି ଯାତ୍ରୀବାହୀ ଯାନବାହାନ ଯାତାୟାତ କରିପାରିବ । ପ୍ରତ୍ୟହ ସକାଳ ୬ଟାରୁ ୯ ପର୍ଯ୍ୟନ୍ତ ଏଣ୍ଟ୍ରି ପର୍ମିଟ୍ ଉପଲବ୍ଧ ହେବ । ଅନ୍ୟପକ୍ଷରେ ଏହି ଜାତୀୟ ଉଦ୍ୟାନ ସର୍ବାଧିକ ସନ୍ଧ୍ୟା ୫ଟା ପର‌୍ୟ୍ୟନ୍ତ ଖୋଲା ରହିବ ।

ଯାତ୍ରୀମାନଙ୍କର ମନୋରଞ୍ଜନ ଓ ଯାତ୍ରାକୁ ଉପଭୋଗ୍ୟ କରିବା ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ମଧ୍ୟରେ ରାତ୍ରୀଯାପନର ବ୍ୟବସ୍ଥା ମଧ୍ୟ ରହିଛି ବୋଲି ଶ୍ରୀ ବ୍ରହ୍ମା ପ୍ରକାଶ କରିଛନ୍ତି । କୁମାରୀ, ଗଡୁଗୁଡିଆ, ରାମତୀର୍ଥ, ବରେହିପାଣି ଓ ଜମୁଆଣି ଭଳି ସ୍ଥାନରେ ଯାତ୍ରୀମାନେ ରାତ୍ରୀଯାପନ କରିବାର ସମସ୍ତ ବ୍ୟବସ୍ଥା କରାଯାଇଛି ।

ଉଲ୍ଲେଖଯୋଗ୍ୟ, ପ୍ରାକୃତିକ ପରିବେଶ, ଝରଣା ଓ ବ୍ୟାଘ୍ର ଉଦ୍ୟାନ ଶିମିଳିପାଳକୁ ସାରା ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ଗତବର୍ଷ ଶିମିଳିପାଳର ମନୋରମ ଦୃଶ୍ୟକୁ ଉପଭୋଗ କରିବା ପାଇଁ ସାରା ଦେଶରୁ ପାଖାପାଖି ୩୦,୦୯୨ ଜଣ ଯାତ୍ରୀ ଶିମିଳିପାଳ ଭ୍ରମଣରେ ଆସିଥିଲେ । ଖାସକରି ବ୍ଲାକ୍ ଓ ବେଙ୍ଗଲ ଟାଇଗର ଦେଖିବା ପାଇଁ ଅଧିକ ଗହଳି ହୋଇଥାଏ ।

Leave A Reply

Your email address will not be published.