Latest Odisha News

BREAKING NEWS

ଖୋଲିଲା ଶିମିଳିପାଳ ଅଭୟାରଣ୍ୟ, ପ୍ରଥମ ଦିନରେ ପର୍ଯ୍ୟଟକଙ୍କ ଭିଡ଼

ବାରିପଦା: ପ୍ରାକୃତିକ ନୈସର୍ଗିକତାରେ ଭରପୁର ଶିମିଳିପାଳ ଅଭୟାରଣ୍ୟ ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କ ଲାଗି ଖୋଲାଯାଇଛି । ଜାତୀୟ ଅଭୟାରଣ୍ୟ କୁ ବୁଲିବା ପାଇଁ ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ । ଦୀର୍ଘ ଚାରିମାସ ପରେ ପ୍ରଥମଥର ଅଭୟାରଣ୍ୟ ପରିଦର୍ଶକଙ୍କ ଲାଗି ଖୋଲିଥିବାରୁ ପ୍ରଥମ ଦିନରେ ପ୍ରାୟ ସମସ୍ତ ପର୍ଯ୍ୟଟକମାନଙ୍କୁ ବିଭିନ୍ନ ପ୍ରକାର ସୁଗନ୍ଧିତ ଫୁଲ ଦେଇ ସ୍ୱାଗତ କରିଛନ୍ତି ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ ।

ଆଜି ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନଙ୍କର ଆନନ୍ଦ କହିଲେ ନ’ସରେ । ସବୁଜ ବନାନୀରେ ଭରା ଶିମିଳିପାଳ ଅଭୟାରଣ୍ୟକୁ ଆଗନ୍ତୁକ ପର୍ଯ୍ୟଟକମାନେ କିପରି ସ୍ୱଚ୍ଛନ୍ଦରେ ବୁଲାବୁଲି କରି ରାତ୍ରୀ ରହଣୀ କରିବେ ସେ ନେଇ ବ୍ୟାପକ ବ୍ୟବସ୍ଥା ହୋଇଛି ଶିମିଳିପାଳର ଅରଣ୍ୟ ଅଭୟାରଣ୍ୟ ମଧ୍ୟରେ । ଏଥିସହିତ ପର୍ଯ୍ୟଟକମାନଙ୍କ ଅହରହ ଭିଡ଼ ଜମିବା ପରେ ଏଠାକାର ଶାନ୍ତ ପରିବେଶରେ କିପରି ସ୍ୱଚ୍ଛତା ବଜାୟ ରହିବା ସହିତ ବନ୍ୟପ୍ରାଣୀମାନଙ୍କ ଲାଗି ସମସ୍ତ ପ୍ରକାର ସୁରକ୍ଷା ବିଷୟରେ ପର୍ଯ୍ୟଟକମାନଙ୍କୁ ଅବଗତ କରିବା ଲାଗି ସ୍ଥାନୀୟ କର୍ତ୍ତୃପକ୍ଷ ଏଥର କିନ୍ତୁ ବେଶ୍ ଯତ୍ନବାନ ହୋଇଛନ୍ତି ।

ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ପର୍ଯ୍ୟଟକମାନଙ୍କ ଲାଗି କୌଣସି ପ୍ରକାରର ମାଦକଦ୍ରଦ୍ୟ, ପ୍ଲାଷ୍ଟିକ, ପଲିଥିନ ସହ ବଣଭୋଜିର ଆୟୋଜନ ଲାଗି ସଂପୂର୍ଣ୍ଣ ଭାବେ ନିଷେଧାଦେଶ ରହିଛି । ଅବଶ୍ୟ ଦୂରଦୂରାନ୍ତରରୁ ଆସିଥିବା ପରିଦର୍ଶକମାନେ ରନ୍ଧା ଓ ଶୁଖିଲା ଖାଦ୍ୟ ସାଙ୍ଗରେ ନେଇକି ଯାଇପାରିବେ । ଅଭୟାରଣ୍ୟରେ ରାତ୍ରୀ ଯାପନ କରିବା ଲାଗି କେବଳ ଅନଲାଇନ୍ ବୁକିଙ୍ଗ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି ।

ପ୍ରାକୃତିକ ଐଶ୍ୱର୍ଯ୍ୟରେ ଭରପୁର ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟରେ ରହିଛି ବରେହୀପାଣି, ଜରନ୍ଦା ପରି ସୁଉଚ୍ଚ ଜଳ ପ୍ରପାତ ତଥା ସୀତାକୁଣ୍ଡ ଝରଣା ପରି ଅପୂର୍ବ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ।

ସବୁଜ ବନାନୀରେ ଆଛାଦିତ ଶିମିଳିପାଳ ଅଭୟାରଣ୍ୟର ଆକର୍ଷଣ ସାଙ୍ଗକୁ କଳକଳ ନାଦ କରୁଥିବା ପଳପଳା ନଦୀରେ ଚିକଚିକ୍ କରୁଥିବା ସୂର୍ଯ୍ୟଙ୍କ ସୁନେଲୀ କିରଣ ଏଠାକାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିପାରୁଛି ।

ଶାନ୍ତ ପରିବେଶର ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ରହିଛି ୧୦୭୬ ପ୍ରକାରର ବୃକ୍ଷ ଏବଂ ୯୬ ପ୍ରକାରର ଲତା ସମୂହ ।

ମହାବଳ ବାଘଙ୍କ ଆଶ୍ରୟସ୍ଥଳୀ ପାଲଟିଥିବା ଶିମିଳିପାଳର ୪୨ ପ୍ରକାରର ସ୍ତନ୍ୟପାୟୀ ପ୍ରାଣୀ, ୨୪୨ ପ୍ରକାର ପକ୍ଷୀ ଏବଂ ୩୦ ପ୍ରଜାତିର ସରୀସୃପଙ୍କ ବାସସ୍ଥଳୀକୁ ଏବେ ୟୁନେସ୍କୋ ଜାତୀୟ ଐତିହ୍ୟ ରୂପେ ଆଖ୍ୟା ଦେଇଛନ୍ତି ।

ତେଣୁକରି ଦେଶ ବିଦେଶର ପର୍ଯ୍ୟଟକ ଠାରୁ ଆରମ୍ଭ କରି ପ୍ରାଣୀ ଓ ଉଦ୍ଭିଦ ବିଜ୍ଞାନୀ ଛାତ୍ରଛାତ୍ରୀଙ୍କୁ ଏହି ଅଭୟାରଣ୍ୟ ଆକୃଷ୍ଟ କରିପାରୁଛି ।

ଆଜି ଅଭୟାରଣ୍ୟ ଖୋଲିବା ପରେ ବାରିପଦାର ପିଠାବଟା ଗେଟ୍ ଓ ଯଶିପୁରର କାଳିଆଣି ଗେଟ୍ ଦେଇ ସମୁଦାୟ ୧୪ ଟି ଗାଡିରେ ୧୦୦ ଜଣ ପର୍ଯ୍ୟଟକ ପ୍ରବେଶ କରିଥିବା ବେଳେ ଅଭ୍ୟୟାରଣ୍ୟରେ ରାତ୍ରୀ ରହଣୀ ପାଇଁ ଗୁଡୁଗୁଡିଆ, ଜାମୁଆଣି, ରାମତୀଥ ଓ କୁମାରୀ ଆଦି ସ୍ଥାନ ମାନଙ୍କରେ ବିଭିନ୍ନ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.