ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’
ବସୁଧୈବ କୁଟମ୍ବୁ କମ୍, ଶୃଣ୍ୱନ୍ତୁ ସର୍ବେ ଅମୃତସ୍ୟ ପୁତ୍ରାଃ ଆଦି ଉଦଘୋଷଣା କରିଆସୁଥିବା ସଂସ୍କୃତି ଓ ଐତିହ୍ୟ ସମ୍ପନ୍ନ ଭାରତ ବର୍ଷ ଏବେ କେଉଁଠି? ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ଭିତରେ ରାସ୍ତାଘାଟଠାରୁ ଆରମ୍ଭ କରି ଗାଡି ମୋଟର, ଅସ୍ତ୍ରଶସ୍ତ୍ର, କୋଠାବାଡି, ଗବେଷଣା ଆଦି ବିଭିନ୍ନ କ୍ଷେତ୍ରରେ ଆମେ ପ୍ରଗତି କରିଛୁ । ଆମ ବୈଜ୍ଞାନିକମାନେ ଚନ୍ଦ୍ରକୁ ଛୁଇଁ ସାରିଛନ୍ତି ।
ଦେଶ ବିଦେଶରେ ଭାରତୀୟ ବୈଜ୍ଞାନକି , ଡାକ୍ତର, ଶିକ୍ଷାବିତ୍ ଓ ବୈଷୟିକ ବିଶେଷଜ୍ଞମାନେ ବେଶ୍ ଖ୍ୟାତି ଅର୍ଜନ କରିଛନ୍ତି । ଆମର ଖାଦ୍ୟଶସ୍ୟ ଉତ୍ପାଦନ ବଢ଼ିଛି । ଶିକ୍ଷାନୁଷ୍ଠାନ ଓ ଡାକ୍ତରଖାନା ଆଦିର ସଂଖ୍ୟା ବି ବଢ଼ିଛି । ୭୫ବର୍ଷ ତଳେ ଆମ ଦେଶରେ ମଣିଷର ହାରାହାରି ପରମାୟୁ ଯାହାଥିଲା, ଏବେ ତାହା ଢ଼େର ଅଧିକ ହୋଇଛି । ପ୍ରଗତିର ଏସବୁ ଗୋଲାପୀ ନକ୍ସା ଭିତରେ କିନ୍ତୁ ଦେଖିବାକୁ ମିଳୁଛି ଅନେକ କଳାଦାଗ । ୧୯୪୭ ଅଗଷ୍ଟ ୧୫ ବେଳକୁ ଗୋଟିଏ ଟଙ୍କାର ବିନିମୟ ମୂଲ୍ୟ ଗୋଟିଏ ଡଲାର ସହ ସମାନ ଥିଲା । କିନ୍ତୁ ୭୫ବର୍ଷର ପ୍ରଗତି ଭିତରେ ଏବେ ଗୋଟିଏ ଡଲାରର ମୂଲ୍ୟ ୭୫ଟଙ୍କା ହେଲାଣି ।
ସ୍ୱାଧୀନତା ପ୍ରାପ୍ତି ବେଳକୁ ଆମର ବିଶେଷ ଋଣ ବୋଝ ନଥିଲା । ଦେଶର ଦେୟ ପରିମାଣ ପ୍ରାୟ ୨ ହଜାର କୋଟି ଟଙ୍କା ଥିବାବେଳେ ଏବେ ଦେଶର ଋଣ ବୋଝ ୧୨୦ ଲକ୍ଷ କୋଟି ଟଙ୍କାକୁ ଟପିଲାଣି । ସେହିଭଳି ବାଣିଜ୍ୟିକ ନିଅଣ୍ଟ ପରିମାଣ ବର୍ଷକୁ ୮ଲକ୍ଷରୁ ୧୨ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ହେଉଛି । ତ୍ରୁଟିପୂର୍ଣ୍ଣ ଯୋଜନା ଯୋଗୁଁ ବେକାରି, ବେରୋଜଗାରୀ, ନିଶା, ଅପରାଧ ଆଦି ବଢ଼ି ଚାଲିଛି । ବିଚାର ପ୍ରତୀକ୍ଷାରେ ଥିବା ମାମଲା ସଂଖ୍ୟାତ ୪ କୋଟିରୁ ଅଧିକ । ଧନୀ-ଦରିଦ୍ର ମଧ୍ୟରେ ତାରତମ୍ୟ ବଢ଼ିବାରେ ଲାଗିଛି । ସେତେବେଳେ ଇଂରେଜ ସରକାରଙ୍କ ଟିକସ ବୃଦ୍ଧି ବିରୋଧରେ ଆନ୍ଦୋଳନ ହେଉଥିଲା । ଏବେ ସ୍ୱଦେଶୀ ସରକାରରେ ସାଧାରଣ ଲୋକ ଟିକସ ଜାଲରେ ବାନ୍ଧିହୋଇ ପଡୁଥିବା ବେଳେ ଦରଦାମ ବୃଦ୍ଧି ଆକାଶଛୁଆଁ । ଆର୍ଥିକ, ସାମାଜକି ଓ ରାଜନୈତିକ ବିଶୃଙ୍ଖଳା ଯୋଗୁଁ ଆଇନ ଶଙ୍ଖୃ ଳା ବ୍ୟବସ୍ଥା ସାଙ୍ଘାତିକ ଭାବେ ବିପର୍ଯ୍ୟସ୍ତ ହୋଇ ସାଧାରଣ ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ବିନାଶର ଯୂପକାଠରେ ବିକାଶକୁ ବଳି ଚଢ଼ାଇ ସ୍ୱଦେଶୀ, ସ୍ୱାଭିମାନକୁ ଭୁଲି ବିଦେଶୀ ଭାଷା, ବିଦେଶୀ ନିଶା ଓ ବିଦେଶୀ ସାମଗ୍ରୀର ଆମେ ପ୍ରଚାର ପ୍ରସାର କରିବା ଫଳରେ ବ୍ୟବସ୍ଥା ଦୁର୍ବଳ ହେଉଛି । ବିଶ୍ୱ କ୍ଷୁଧା ସୂଚୀରେ ଭାରତର ସ୍ଥାନ ୧୦୧କୁ ଖସିବା ଆମ ସମସ୍ତଙ୍କ ପାଇଁ ସତର୍କ ଘଣ୍ଟି ।
ପ୍ରତିଦିନ ଗଣମାଧ୍ୟମ ପୃଷ୍ଠାରେ ଦୁର୍ନୀତି, ଭ୍ରଷ୍ଟାଚାର ଆଦିର ଯେଉଁ ଦୁଃଖଦ ବିବରଣୀ ପ୍ରକାଶ ପାଉଛି ସେଥିରୁ ସାରା ଦେଶରେ ରାଜକୋଷ ଲୁଟି ସହ ଗରିବ ଲୋକଙ୍କ ମୁହଁରୁ ଦାନା ଛଡାଇ ନେବା ପାଇଁ ସେବକମାନେ କିଭଳି ଜଘନ୍ୟ ଶୋଷକରେ ପରିଣତ ହୋଇଛନ୍ତି ତାହାର କରୁଣ ଚିତ୍ର ଜଳ ଜଳ ହୋଇ ଦିଶୁଛି । ବେଆଇନ ସମ୍ପତ୍ତି ଠୁଳ ଓ ଦୁର୍ନୀତି ମାମଲାରେ ଛନ୍ଦିହୋଇ ମହାରାଷ୍ଟ୍ରର ଜଣେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବେ ଜେଲ୍ରେ ଥିବାବେଳେ କିଛିବର୍ଷ ତଳେ ଅନ୍ୟ ଏକ ରାଜ୍ୟର ଜଣେ ଆଇଏଏସ୍ ଅଫିସରଙ୍କ ଘରେ ଚଢ଼ାଉ ବେଳେ ଏତେ କଳାଟଙ୍କା ମିଳିଲା ଯେ ତାହାକୁ ହାତରେ ଗଣିବା ସମ୍ଭବ ନ ହେବାରୁ ଏକାଧତ୍କ ଟଙ୍କାଗଣା ଯନ୍ତ୍ର ବ୍ୟବହାର କରିବାକୁ ପଡିଲା ।
ଓଡ଼ିଶାରେ ଏବେ ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଲ୍ରେ ପଶିଥିବା ଜଣେ ଯନ୍ତ୍ରୀ ତାଙ୍କ ପ୍ରକୃତ ଆୟର ୧୦୨୧ ଗୁଣ ସମ୍ପତ୍ତି କିଭଳି ଠୁଳ କଲେ ସେଥିଘେନି ଜୋରଦାର ଚର୍ଚ୍ଚା ଚାଲିଛି । ଆମ ରାଜ୍ୟରେ ବି ଦୁର୍ନୀତି ମାମଲାରେ ଅତୀତରେ କେତେକ ଆଇଏଏସ୍, ଆଇଏଫଏସ, ଆଇପିଏସ, ଓଏଏସ୍, ଓଏଫଏସ୍, ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ପିଅନ, କିରାଣି, ବ୍ୟକ୍ତିଗତ ସହାୟକଙ୍କ ପର୍ଯ୍ୟନ୍ତ ବହୁ ସରକାରୀ କର୍ମଚାରୀ ଜେଲ୍ ଯାଇଛନ୍ତି । ଦୁର୍ନୀତି ଅଭିଯୋଗରେ ଧରାପଡୁଥିବା ବ୍ୟକ୍ତିଙ୍କ ହାର ଧରାନପଡିଥିବା ଦୁର୍ନୀତିଗ୍ରସ୍ତଙ୍କର ଶତକଡା ୧ ପ୍ରତିଶତ ବି ହେବନାହିଁ । ବିକାଶର ପଥରେ ଯେ ଦୁର୍ନୀତି ଓ ଭ୍ରଷ୍ଟାଚାର ବଡ ବାଧକ ଏକଥା ସ୍ପଷ୍ଟ ହୋଇଯାଉଛି ।
ଥରେ ଏ ଦେଶର ଜଣେ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଥିଲେ ଯେ ସାଧାରଣ ଲୋକଙ୍କ ପାଇଁ ଖର୍ଚ୍ଚ ହେଉଥିବା ଅର୍ଥର ୮୫ ପ୍ରତିଶତ ବାଟମାରଣା ହେଉଛି । ନିକଟରେ ପଶ୍ଚିମବଙ୍ଗ ସମେତ ୫ଟି ରାଜ୍ୟ ବିଧାନସଭା ନିର୍ବାଚନ ବେଳେ ଯେତେ ନିଶା ସାମଗ୍ରୀ ଓ କଳାଟଙ୍କା ଜବତ ହେଲା ତାହାର ପରିମାଣ ହଜାରେ କୋଟି ଟଙ୍କାରୁ ଅଧିକ । ଏହା ଆମ ଭ୍ରଷ୍ଟ ବ୍ୟବସ୍ଥାର ନଗ୍ନ ଚିତ୍ରକୁ ପଦାରେ ପକାଉଛି । ଦେଶ ଏଭଳି ଗୁରୁତର ସମସ୍ୟା ଜାଲରେ ଛନ୍ଦି ହୋଇଯାଇଥିବା ବେଳେ ସେଥିରୁ ମୁକ୍ତି ପାଇବା ପାଇଁ ସର୍ବୋତ୍ତମ ବାଟ ହେଉଛି ବ୍ୟକ୍ତି ଓ ରାଷ୍ଟ୍ର ଜୀବନରେ ଗାନ୍ଧୀଜୀଙ୍କ ପ୍ରଦର୍ଶିତ ଏକାଦଶ ବ୍ରତର ନିଷ୍ଠାପର ଅନୁପାଳନ । ନମ୍ରତାର ସହ ପିଲାଦିନରୁ ଏକାଦଶ ବ୍ରତର ଅଭ୍ୟାସ କରାଇବା ପାଇଁ ଆମ ଶିକ୍ଷା, ସାମାଜିକ, ରାଜନୈତିକ ଓ ଆଧ୍ୟାତ୍ମିକ ବ୍ୟବସ୍ଥାର ମଙ୍ଗୁଆଳମାନେ ପ୍ରସ୍ତତୁ ହେଲେ ବହୁ ସମସ୍ୟାର ସରଳ ସମାଧାନ ହୋଇଯାଆନ୍ତା । ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନିତ କରିବା ପାଇଁ ଓଡ଼ିଶା ଦାବିକରି ଆସୁଛି । ଯେଉଁମାନେ ଦୁର୍ନୀତି, ଭ୍ରଷ୍ଟାଚାର, ଅପରାଧ, ଠକେଇ, ଆଳସ୍ୟ ଆଦିରେ ଲିପ୍ତ ସେମାନେ ସବୁ ହିଂସା, ନିଶା ଓ ମିଥ୍ୟାଚାରରେ ବୁଡି ରହିଛନ୍ତି । ଏହାର ତୃତୀୟ ପାହାଚରେ ଥିବା ଅସ୍ତେୟ ବା ଅଚୌର୍ଯ୍ୟକୁ ଆଖିବୁଜି ଦେଇ କିଏ କେଉଁଠୁ ସୁଯୋଗ ଉଣ୍ଡି କେତେ ଚୋରି କରିପାରିବ ସେଥିରେ ବ୍ୟସ୍ତ । ସଂଯମତାକୁ ଭୁଲି ବିଶୃଙ୍ଖଳ ଓ ଅସଂଯମ ଜୀବନ ଯାପନ କରିବାରେ ବ୍ୟସ୍ତ ବର୍ତ୍ତମାନର ଯୁବପିଢ଼ିଙ୍କ ଭବିଷ୍ୟତ ଅନ୍ଧକାଳମୟ । ଆବଶ୍ୟକତାଠାରୁ ଅଧିକ ସଂଗ୍ରହରେ ବ୍ୟସ୍ତ ଲୋକଟିଏ ଶାସ୍ତ୍ରରେ ବର୍ଣ୍ଣିତ ଅପରିଗ୍ରହ ନୀତିକୁ ଜଳାଞ୍ଜଳି ଦେଇ ଅନ୍ୟମାନଙ୍କ ଜୀବନ ବିନିମୟରେ ନିଜ ସମ୍ପତ୍ତି ଠୁଳ ପାଇଁ ଯେଉଁ ପାଗଳାମି କରେ ସେଥିରେ ସମାଜର ଅସୀମ କ୍ଷତି ଘଟେ । ସେହିପରି କମ୍ କିମ୍ବା ବିନା ପରିଶ୍ରମରେ ସମ୍ପତ୍ତି ଆହରଣ ଏବଂ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ନ ଦେଇ ସୁଆଦିଆ ଖାଦ୍ୟ ଖାଇବାର ଅଭ୍ୟାସ ବି ବଡ ବିପଦ । ସତ୍ୟ, ଅହିଂସା, ଅସ୍ତେୟ, ବ୍ରହ୍ମଚର୍ଯ୍ୟ, ଅସଂଗ୍ରହ, ଶରୀରର ଶ୍ରମ, ଅସ୍ୱାଦ ବ୍ରତଧାରୀ ନିର୍ଭିକ ହୋଇ ଶାନ୍ତିରେ ରୁହେ । କିନ୍ତୁ ଏହାର ବିପରୀତ ଦିଗରେ ଯାଉଥିବା ଲୋକେ ବାହାରକୁ ଯେତେ ଫୁଟାଣି ମାରିଲେ ବି ସର୍ବଦା ଭୟରେ ବୁଡି ରୁହନ୍ତି, ଏମିତିକି ରାତିରେ ନିଦ ହେଉନଥିବାରୁ ନିଶା ବଟିକା ଖାଆନ୍ତି । ନିର୍ଭିକ ଭାବରେ ନମ୍ରତାର ସହ ସରଳ ଜୀବନ ଓ ଉଚ୍ଚ ଚିନ୍ତନ ପାଇଁ ପିଲାମାନଙ୍କ ମୂଳଦୁଆ ଗଢ଼ାଗଲେ ସେମାନଙ୍କ ସ୍ୱଦେଶ ପ୍ରୀତି ବଢ଼ନ୍ତା ଏବଂ ସାଂପ୍ରଦାୟିକ ବିଭେଦ ଓ ଅସ୍ପୃଶ୍ୟତାର କଳଙ୍କିତ ଭାବନା ଚିନ୍ତା ରାଜ୍ୟକୁ ନଷ୍ଟ କରନ୍ତା ନାହିଁ ।
ଏହି ୧୧ଟି ବ୍ରତର ଅନୁପାଳନ ଯଦି ପ୍ରତ୍ୟେକ ବ୍ୟକ୍ତି କରିପାରନ୍ତେ ଏବଂ ରାଷ୍ଟ୍ର ସେଥିଲାଗି ସୁଯୋଗ ସୃଷ୍ଟି କରନ୍ତା ତା’ହେଲେ ସ୍ୱାଧୀନତା ସଂଗ୍ରାମ ସମୟର କଳ୍ପିତ ରାମରାଜ୍ୟ ଓ ଗ୍ରାମ ସ୍ୱରାଜ ସହଜରେ ସ୍ଥାପିତ ହୋଇପାରନ୍ତା ।
ଆମ ବ୍ୟବସ୍ଥାରେ ସବୁଠାରୁ ଉତ୍କଟ ବିଷ ହେଉଛି ନୀତି ବିହୀନ ରାଜନୀତି, ଚରିତ୍ର ବିହୀନ ଶିକ୍ଷା, ଶ୍ରମ ବିହୀନ ସମ୍ପଦ , ନୈତିକତା ବିହୀନ ବାଣିଜ୍ୟ ବ୍ୟବସାୟ, ବିବେକ ବିହୀନ ବିଳାସ, ମାନବିକତା ବିହୀନ ବିଜ୍ଞାନ ଓ ତ୍ୟାଗ ବିହୀନ ଉପାସନା ଭଳି ସାଂଘାତିକ ପାପ । ଏହି ପାପର ବନ୍ୟାରେ ସତେ ଯେମିତି ଆମ ବ୍ୟବସା୍ଥ ଭାସି ଯାଉଛି । ତାକୁ ସେଥିରୁ ରକ୍ଷା କରିବା ପାଇଁ ସମୟୋପଯୋଗୀ ପରିବର୍ତ୍ତନ ସହ ଗାନ୍ଧୀ ବିଚାରର ସକାରାତ୍ମକ ପ୍ରୟୋଗ ଲୋଡା । ଏହି ପ୍ରୟୋଗ ଯେଉଁମାନେ କରିବେ ସେମାନେ ଗାନ୍ଧିଜୀଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନତୋ’ର ପ୍ରତିଟି ଶବ୍ଦକୁ ବୁଝି ପ୍ରଥମେ ନିଜ ଜୀବନକୁ ଆଲୋକିତ କରିବା ଆବଶ୍ୟକ । ଈଶ୍ୱର ସେଇମାନଙ୍କୁ ଭଲ ପାଆନ୍ତି ଯେଉଁମାନେ ଅନ୍ୟ ପ୍ରାଣର ପୀଡାକୁ ଅନୁଭବ କରିବା ସହ ତାହାର ପ୍ରତିକାର ଲାଗି କାମ କରନ୍ତି । ସେହିଭଳି ବିଶ୍ୱକବି ରବିନ୍ଦ୍ରନାଥ ଠାକୁରଙ୍କ କାଳଜୟୀ ଆହ୍ୱାନ – ଯଦି ତୋର୍ ଡାକ୍ ଶୁନେ କେଉ ନ ଆସେ ତବେ ଏକ୍ଲା ଚଲୋରେ…କୁ ପାଥେୟ କରି ବ୍ୟବସ୍ଥାର ପରିବର୍ତ୍ତନ ଲାଗି ମୁଷ୍ଟିମେୟ କେତେଜଣସଂକଳ୍ପବଦ୍ଧ ସାଧକ ଯଦି ସେମାନଙ୍କ ଆଦର୍ଶରେ ଅବିଚଳିତ ବିଶ୍ୱାସ ରଖନ୍ତି, ତା’ହେଲେ ସେମାନେ ଇତିହାସର ମୋଡ ବଦଳାଇ ଦେଇପାରିବେ ବୋଲି ଗାନ୍ଧୀ ବାରମ୍ବାର କହିଛନ୍ତି । ଏକଥା ମଧ୍ୟ ସେ ଚେତାଇ ଦେଇଛନ୍ତି ଯେ ଜଣେ ଯେତେବେଳେ ସନ୍ଦେହରେ ପଡୁଛି ବା ନିଜ କଥା ତାକୁ ବେଶୀ ଘାରୁଛି ସେତେବେଳେ ସେ ନିଜ ଜୀବନରେ କେବେ ଦେଖିଥିବା ଦରିଦ୍ରତମ ଲୋକର ଚେହେରାକୁ ମନେ ପକାଉ ଏବଂ ଚିନ୍ତାକରୁ ଯେ ସେ ଯେଉଁ କାମ କରିବାକୁ ଯାଉଛି ତାହା ସେହି ଗରିବ ଲୋକମାନଙ୍କର ଭାଗ୍ୟ ଓ ଭବିଷ୍ୟତ ପରିବର୍ତ୍ତନରେ କେତେଦୂର ସହାୟକ ହେଉଛି । ଏହି ତାରକ ମନ୍ତ୍ରକୁ ଯଦି ମନ୍ତ୍ରୀ, ଯନ୍ତ୍ରୀ, ଅଧିକାରୀ, ଠିକାଦାର, ବ୍ୟବସାୟୀ ଓ ଲୋକ ପ୍ରତିନିଧି ଆଦି ଠିକଣା ଭାବେ ଅନୁପାଳନ କରନ୍ତେ ତେବେ ଅନେକ ସମସ୍ୟାର ସହଜ ସମାଧାନ ହୋଇପାରନ୍ତା ।
ହିମାଳୟରେ ଗଙ୍ଗୋତ୍ରୀକୁ ବିଷାକ୍ତ କରି ହରିଦ୍ୱାରରେ ଗଙ୍ଗା ଶୋଧନ କାର୍ଯ୍ୟ ଲାଗି କୋଟି କୋଟି ଟଙ୍କା ବରବାଦ କଲେ ଗଙ୍ଗା ଶୁଦ୍ଧ ହେବନାହିଁ । ସରକାର ଚଳାଇବା ଦାୟିତ୍ୱରେ ଯେଉଁମାନେ ରହିଛନ୍ତି ସେମାନେ ନିଜକୁ ସେବକ ନ ଭାବି ମାଲିକ ବୋଲି ଭାବିବା ଯୋଗୁଁ ବ୍ୟବଧାନ ଓ ବିଶୃଙ୍ଖଳା ବଢ଼ୁଛି । ଗରିବ ଲୋକଙ୍କ ରାଜକୋଷ ଓ ସେମାନଙ୍କ ମୁଣ୍ଡ ଉପରେ ଅଣାଯାଉଥିବା ଋଣ ଅର୍ଥର ପ୍ରତିଟି ପଇସା କିଭଳି ଠିକଣା ଭାବେ ବିନିଯୋଗ ହେବ ଏବଂ ଏହା ଭବିଷ୍ୟତ ପାଇଁ ସୁଯୋଗ ସୃଷ୍ଟି କରିବ ତାହା ଉପରେ ଗୁରୁତ୍ୱ ଦେବା ପରିବର୍ତ୍ତେ ଏହାର ସିଂହଭାଗ ଲୁଟିବା ପାଇଁ ବ୍ୟବସ୍ଥାରେ ଯେଉଁ ଗଳାବାଟ ଛାଡି ଦିଆଯାଇଛି , ତାହାକୁ ୧୮୬୦-୬୧ ମସିହାରେ ବ୍ରିଟିଶ ସରକାର ଅମଳରୁ ତିଆରି କରାଯାଇଥିବା ଦମନମୂଳକ ଲୋକ ବିରୋଧୀ ଆଇନ ବ୍ୟବସ୍ଥା ନିୟନ୍ତ୍ରଣ କରିବାରେ ବ୍ୟର୍ଥ ହେଉଛି । ଏ ପରିପ୍ରେକ୍ଷୀରେ ଗାନ୍ଧୀଜୀଙ୍କ ପ୍ରଦର୍ଶିତ ଅନ୍ତୋଦୟ, ସର୍ବୋଦୟ, ଟଷ୍ଟ୍ର ସ୍ୱଦେଶୀ, ସ୍ୱାଭିମାନ ସ୍ୱାବଲମ୍ବନ, ସଂଯମ, ଶଙ୍ଖୃ ଳା, ସଦଭ୍ ।ବନା, ସତକର୍ମ ସଦାଚାର, ସହନଶୀଳତା, ସଂକଳ୍ପ, ସ୍ୱଧ୍ୟାୟ, ସେବା, ସଂଗ୍ରାମ, ସମର୍ପଣ, ସତ୍ୟାଗ୍ରହ, ସଜୃ ନୀଶକ୍ତିର ବିକାଶ ସହିତ ଆତ୍ମଶୁଦ୍ଧି ଏବଂ ଆତ୍ମତ୍ୟାଗକୁ ଉଭୟ ବ୍ୟକ୍ତି ଓ ରାଷ୍ଟ୍ର ଜୀବନରେ ପ୍ରତିପାଳନ କରିବା ସହ ମିଥ୍ୟାଚାର, ଈର୍ଷା, ବିଷାଦ, କ୍ରୋଧ, ହିଂସା, ପରଶ୍ରୀକାତରତା, ପ୍ରତାରଣା, ବିଶା୍ୱ ସଘାତକତା, ଶଠତା ଓ ନକାରାତ୍ମକ ଚିନ୍ତାରୁ ଦୂରେଇ ରହିଲେ ଭାରତ ବିଶ୍ୱର ଶେଷ୍ଠ୍ର ରାଷ୍ଟ୍ର ସହିତ ମାର୍ଗଦର୍ଶକ ବି ହୋଇପାରିବ । ଏହି କାମ ସେଇମାନେ କରିପାରିବେ ଯେଉଁମାନଙ୍କ ଅନ୍ତରରେ ଅହରହ ପ୍ରତିଧ୍ୱନିତ ହେଉଥିବ ଆଶ୍ରମ ଭଜନାବଳୀର ଅମୃତ ପଂକ୍ତି – ‘ଯେଉଠଁ ।ରେ ଖାଲି ଲୁହ ପ୍ରଭୁ ହେ ସେହିଠାରେ ମୋତେ ନିଅ / ଆଜୀବନ ଯିଏ କାନ୍ଦୁଛି ଖାଲି ପୋଛିବି ତା’ଆଖି ଲୁହ ।’
E-mail: prahalladsinha@gmail.com
ଫୋନ ୯୪୩୭୦୧୭୩୯
Comments are closed.