Latest Odisha News

BREAKING NEWS

ବିଶ୍ୱ ବ୍ୟାଡମିଣ୍ଟନ୍ ଚାମ୍ପିଅନ୍‌ସିପ୍ : ଦ୍ୱିତୀୟ ରାଉଣ୍ଡରେ ସିନ୍ଧୁ

ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ବିଶ୍ୱ ବ୍ୟାଡମିଣ୍ଟନ୍ ଚାମ୍ପିଅନ୍‌ସିପ୍‌ରେ ଦୁଇଥରର ଅଲିମ୍ପିକ୍ ପଦକ ବିଜେତା ପି.ଭି. ସିନ୍ଧୁ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛନ୍ତି। ମହିଳା ସିଙ୍ଗଲ୍ସର ପ୍ରଥମ ରାଉଣ୍ଡରେ ସେ ଆୟରଲ୍ୟାଣ୍ଡର ସୋଫିଆ ନୋବେଲଙ୍କୁ ସିଧାସଳଖ ୨୧-୭, ୨୧-୧୧ ଗେମ୍‌ରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏହି ମ୍ୟାଚ୍‌କୁ ଜିତିବା ପାଇଁ ସିନ୍ଧୁଙ୍କୁ ମାତ୍ର ୨୯ ମିନିଟ୍ ସମୟ ଲାଗିଥିଲା । ନବମ ସିଡ୍ ପ୍ରାପ୍ତ ସିନ୍ଧୁ ପ୍ରଥମ ଗେମ୍‌ରୁ ହିଁ ପ୍ରତିପକ୍ଷଙ୍କ ଉପରେ ଚାପ ସୃଷ୍ଟି କରି ୧୧-୨ରେ ଆଗୁଆ ରହିବା ସହ ସହଜରେ ବିଜୟୀ ହୋଇଥିଲେ । ଦ୍ୱିତୀୟ ଗେମ୍‌ରେ ସୋଫିଆ କିଛିଟା କଡ଼ା ଟକ୍କର ଦେଇଥିଲେ ସୁଦ୍ଧା ସିନ୍ଧୁ ନିଜ ଅଭିଜ୍ଞତା ଓ ଚମତ୍କାର ଡ୍ରପ୍ ଶଟ୍ ବଳରେ ମ୍ୟାଚ୍ ନିଜ ନାମରେ କରିଥିଲେ । ଦ୍ୱିତୀୟ ରାଉଣ୍ଡରେ ସିନ୍ଧୁ କାନାଡାର ୱେନ୍ ୟୁ ଝାଙ୍ଗଙ୍କୁ ଭେଟିବେ । ସିନ୍ଧୁ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ପୂର୍ବରୁ ୫ଟି ପଦକ (୧ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ, ୨ଟି କାଂସ୍ୟ) ଜିତିସାରିଛନ୍ତି ।

ଚଳିତ ଚାମ୍ପିଅନ୍‌ସିପ୍‌ରେ ସେମିଫାଇନାଲରେ ପହଞ୍ଚିଲେ ସିନ୍ଧୁ ଅନ୍ତତଃ ପକ୍ଷେ କାଂସ୍ୟ ପଦକ ନିଶ୍ଚିତ କରିବେ । ଏହା ସହ ବିଶ୍ୱ ଚାମ୍ପିଅନ୍‌ସିପ୍ ଇତିହାସରେ ୬ଟି ପଦକ ଜିତିବାରେ ସେ ବିଶ୍ୱର ପ୍ରଥମ ଖେଳାଳି ହେବାର ଗୌରବ ହାସଲ କରିବେ । ବର୍ତ୍ତମାନ ସୁଦ୍ଧା ଚୀନ୍‌ର ଲିନ୍ ଡାନ୍ ଓ ଜାଓ ୟୁନ୍‌ଲେଇ ୫ଟି ଲେଖାଏଁ ପଦକ ଜିତି ସିନ୍ଧୁଙ୍କ ସହ ସମକକ୍ଷ ଅଛନ୍ତି । ମହିଳା ଡବଲ୍ସରେ ଟ୍ରିସା ଜୋଲି ଓ ଗାୟତ୍ରୀ ଗୋପୀଚାନ୍ଦ ଯୋଡ଼ି ସ୍ପେନ୍‌ର ପୋଲା ଲୋପେଜ୍ ଓ ଲୁସିଆ ରୋଡ୍ରିଗ୍ରେଜ୍‌ଙ୍କୁ ୨୧-୯, ୨୧-୧୩ ଗେମ୍‌ରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ପୁରୁଷ ଡବଲ୍ସରେ ହରିହରନ୍ ଅମସାକରୁଣନ୍ ଓ ଏମ୍.ଆର୍. ଅର୍ଜୁନ ଯୋଡ଼ି  ଦ୍ୱିତୀୟ ରାଉଣ୍ଡରେ ସ୍ଥାନ ପକ୍କା କରିଛନ୍ତି। ଭାରତର ତାରକା ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀଙ୍କୁ ପ୍ରଥମ ରାଉଣ୍ଡରେ ବାଏ  ମିଳିଛି । ଦ୍ୱିତୀୟ ରାଉଣ୍ଡରେ ସେମାନେ ସ୍କଟଲ୍ୟାଣ୍ଡର ଆଲେକ୍ସଜାଣ୍ଡାର୍ ଡନ୍ ଓ ଆଡାମ୍ ପ୍ରିଙ୍ଗଲ୍‌ଙ୍କୁ ଭେଟିବେ ।

Leave A Reply

Your email address will not be published.