Latest Odisha News

ଶେଷ ପର୍ଯ୍ୟାୟରେ ଶାରଦୀୟ ପୂଜା, ସିନ୍ଦୁର ଖେଳରେ ବିଦାୟ ନେଲେ ମା’

ଭୁବନେଶ୍ୱର: ଶେଷ ପର୍ଯ୍ୟାୟରେ ମାଆଙ୍କ ଶାରଦୀୟ ଦୁର୍ଗାପୂଜା । ଆସନ୍ତାକାଲି ମେଲାଣି ନେବେ ମାଆ ଦଶଭୁଜା । ପୁଣି ଆଉ ଏକ ବର୍ଷର ଅପେକ୍ଷା ।

ଓଡ଼ିଆ ପରମ୍ପରା ଅନୁଯାୟୀ ଆସନ୍ତାକାଲି ଦେବୀଙ୍କୁ ମେଲାଣି ଦିଆଯିବ। କିନ୍ତୁ ବଙ୍ଗୀୟ ପରମ୍ପରା ଅନୁସାରେ ଦେବୀଙ୍କୁ ଆଜି ବିଦାୟ ଦିଆଯାଇଥାଏ। ତେବେ ମେଲାଣି ପୂର୍ବରୁ ସିନ୍ଦୁର ଖେଳର ଏକ ନିଆରା ପରମ୍ପରା ରହିଥାଏ।

ସିନ୍ଦୁର ଖେଳି ମାଆଙ୍କୁ ମେଲାଣି ଦିଅନ୍ତି ସାଧବା ମାନେ । କିଏ ପାନ ବରଣୀ କରି ଦିଏ ଆଉ କିଏ ଧୂପଦୀପରେ ବନ୍ଦେଇ ଦିଏ।

ବିଶେଷ କରି ଏହା କଲିକତାରେ ପାଳନ ହେଉଥିବା ବେଳେ ମହିଳାମାନେ ପରସ୍ପର ମୁହଁରେ ସିନ୍ଦୁର ଲଗେଇ ଦଶହରା ଉତ୍ସବର ଶେଷ ପର୍ବକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରିନ୍ତି ।

ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବଙ୍ଗୀୟ ପରମ୍ପରାରେ ଦେବୀଙ୍କ ପୂଜା ଅନୁଷ୍ଠିତ ହୋଇଥାଏ। ବିଶେଷ କରି ବାଲେଶ୍ବର, ଭଦ୍ରକ ଏବଂ କଟକରେ କିଛି ସ୍ଥାନରେ ବଙ୍ଗୀୟ ପରମ୍ପରାରେ ଦେବୀଙ୍କ ଆରାଧନା କରାଯାଇଛି। ବାପଘରକୁ ଝିଅ ଆସିଲେ ତାକୁ ଅଳତା ସିନ୍ଦୁର ଲଗାଇ ବିଦାୟ ଦିଆଯାଏ। ସେହିପରି ଦେବୀ ଧରାପୃଷ୍ଠରୁ ବିଦାୟ ନେବା ବେଳେ ଏମିତି କିଛି କଲେ ମହିଳାମାନେ ସୌଭାଗ୍ୟ ବତୀ ହୋଇଥାନ୍ତି ବୋଲି ବିଶ୍ବାସ ରହିଛି।

ଶାସ୍ତ୍ରବିଧି ଅନୁସାରେ ସକାଳେ ଦେବୀ ଦୁର୍ଗାଙ୍କ ବିସର୍ଜ୍ଜନ ହେବା ପରେ ମହିଳାମାନଙ୍କ ମଧ୍ୟରେ ମଣ୍ଡପରେ ହୋଇଥାଏ ସିନ୍ଦୂର ଖେଳ। ଏହାପରେ ମଣ୍ଡପରୁ ମାଆଙ୍କ ବିଦାୟ ବେଳେ ଦୃଶ୍ୟ ଥାଏ ଅତ୍ୟନ୍ତ ହୃଦୟ ବିଦାରକ। ଭକ୍ତଜନ ଛଳଛଳ ନୟନରେ ମେଲାଣି ଦେଇଥାନ୍ତି ମାଆଙ୍କୁ।

Comments are closed.