Latest Odisha News

BREAKING NEWS

ଭାରତକୁ ମିଳିଲା ଶକ୍ତିଶାଳୀ ଲଢ଼ୁଆ ବିମାନ ‘ରାଫେଲ’, ଶସ୍ତ୍ର ପୂଜା କଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ସର୍ବାଧୁନିକ ଓ ସର୍ବପ୍ରଥମ ଲଢୁଆ ବିମାନ ରାଫେଲକୁ ମଙ୍ଗଳବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଫ୍ରାନ୍ସଠାରେ ଗ୍ରହଣ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ରାଫେଲ ଗ୍ରହଣ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବାୟୁସେନାର ଉପ ପ୍ରମୁଖ ହରଜିତ ସିଂହ ଅରୋରା ଫ୍ରାନ୍ସର ବୋର୍ଡକ୍ସ ସ୍ଥିତ ଏୟାରବେସ୍ ଠାରେ ପହଞ୍ଚିଥିଲେ । ସେଠାରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ରାଫେଲ ବିମାନ ଗ୍ରହଣ କରିଥିଲେ। ବୋର୍ଡକ୍ସ ପହଞ୍ଚିବା ପରେ ତାଙ୍କୁ ସେଠାରେ ରାଫେଲ ନିର୍ମାଣକାରୀ କମ୍ପାନୀ ଦ୍ୱାରା ସ୍ଵାଗତ ଜଣାଇଥିଲା।

ରାଫେଲ ଗ୍ରହଣ କରିବା ପରେ ଏୟାରବେସ ଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିଦ୍ଧିବଦ୍ଧ ଭାବେ ବିମାନର ଶସ୍ତ୍ର ପୂଜା କରାଇଛନ୍ତି। ହିନ୍ଦୁଘରର ରୀତି ଅନୁଯାୟୀ ସେ ବିମାନରେ ନାଲି ସାଲୁକନା ଓ ଶ୍ରୀଫଳ ବାନ୍ଧିବା ସହ ବିମାନର ଚାରିଚକ ତଳେ ୪ଟି ଲେମ୍ବୁକୁ ସିନ୍ଦୂର ଲଗାଇ ଥୋଇ ତା’ ଉପରେ ବିମାନ ଚଢ଼ାଇଛନ୍ତି। ଲେମ୍ବୁ ଉପରେ ରାଫେଲ ଚଢ଼ିବା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ବିମାନ ସମ୍ମୁଖରେ ନଡ଼ିଆ ପିଟି ଭାଙ୍ଗିବା ସହ ନଡ଼ିଆ ପାଣିକୁ ରାଫେଲ ବିମାନ ଉପରେ ଛିଞ୍ଚିଛନ୍ତି।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବୋଧିତ କରି ରାଜନାଥ କହିଛନ୍ତି ଯେ, “ଭାରତ ପାଇଁ ଆଜି ଏକ ଐତିହାସିକ ଦିନ । ଆଜି ଭାରତରେ ଦଶହରା ପର୍ବ ପାଳନ କରାଯାଉଛି। ଯାହାକୁ ଆମେ ଅନ୍ୟାୟ ଉପରେ ନ୍ୟାୟର ବିଜୟ ଭାବେ ପାଳନ କରିଥାଉ। ସବୁଠୁ ବଡ଼ କଥା ଆଜି ବାୟୁସେନା ଦିବସ। ଆଜିର ଦିନଟି ଅନେକ ଦୃଷ୍ଟିରୁ ଆମ ପାଇଁ ସ୍ମରଣୀୟ। ରାଫେଲ ବିମାନ ଭାରତୀୟ ବାୟୁସେନାକୁ ବଳଶାଳୀ କରିବ।ବାୟୁସେନାର ଦକ୍ଷତା ବୃଦ୍ଧି କରିବା ଆମର ଲକ୍ଷ୍ୟ”।

ସୂଚନାଯୋଗ୍ୟ, ୩୬ଟି ରାଫେଲ ଲଢୁଆ ବିମାନ ପାଇଁ ୨୦୧୬ ସେପ୍ଟେମ୍ବରରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ରାଜିନାମା ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫୯ ହଜାର କୋଟି ଟଙ୍କା । ଆଜି ଭାରତକୁ ପ୍ରଥମ ବିମାନ ହସ୍ତାନ୍ତର କରିଛି ଫ୍ରାନ୍ସ । ସମସ୍ତ ୩୬ଟି ବିମାନ ୨୦୨୨ ସେପ୍ଟେମ୍ବର ସୁଦ୍ଧା ଭାରତରେ ପହଞ୍ଚିବାର ସମ୍ଭାବନା ରହିଛି।

Leave A Reply

Your email address will not be published.