ପୁନେ: ପ୍ରସିଦ୍ଧ କଣ୍ଠଶିଳ୍ପୀ ଅଭିଜିତ୍ ଭଟ୍ଟାଚାର୍ଯ୍ୟ ବିବାଦୀୟ ବୟାନ ଯୋଗୁଁ ଅଡୁଆ ପଡିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ ମହାତ୍ମା ଗାନ୍ଧୀଙ୍କୁ ‘ପାକିସ୍ତାନର ଜାତିର ପିତା’ ବୋଲି କହିଥିଲେ। ଏହି କାରଣରୁ ତାଙ୍କୁ ଏକ ଆଇନଗତ ନୋଟିସ ମିଳିଛି। ଅଭିଜିତ୍ କହିଥିଲେ ଯେ ମହାତ୍ମା ଗାନ୍ଧୀ ଭାରତରୁ ନୁହେଁ ବରଂ ପାକିସ୍ତାନର। ତେବେ ଏହି ବାୟନ ଯୋଗୁଁ ତାଙ୍କ ବିରୋଧରେ ପୁନେର ଜଣେ ଓକିଲ ଏକ ଲିଗାଲ ନୋଟିସ ଜାରି କରିଛନ୍ତି।
ଅଭିଜିତ୍ ଭଟ୍ଟାଚାର୍ଯ୍ୟ ନିକଟରେ ସୁଭାଙ୍କର ମିଶ୍ରାଙ୍କ ପୋଡକାଷ୍ଟରେ କହିଥିଲେ, ‘ସଂଗୀତ ରଚନା ଆରଡି ବର୍ମନ ମହାତ୍ମା ଗାନ୍ଧୀଙ୍କଠାରୁ ମହାନ୍ ଥିଲେ। ଯେପରି ମହାତ୍ମା ଗାନ୍ଧୀ ଜାତିର ପିତା ଥିଲେ, ସେହିପରି ଆରଡି ବର୍ମନ ସଙ୍ଗୀତ ଜଗତରେ ଜାତିର ପିତା ଥିଲେ।
ସେ ଆହୁରି ମଧ୍ୟ କହିଥିଲେ, ‘ମହାତ୍ମା ଗାନ୍ଧୀ ଭାରତ ନୁହେଁ, ପାକିସ୍ତାନର ଜାତିର ପିତା ଥିଲେ। ଭାରତ ପୂର୍ବରୁ ଭାରତ ଥିଲା, କିନ୍ତୁ ପାକିସ୍ତାନ ପରେ ଗଠନ ହେଇଥିଲା। ମହାତ୍ମା ଗାନ୍ଧୀଙ୍କୁ ଭୁଲରେ ଏଠାରେ ଜାତିର ପିତା (ଭାରତ) ଭାବରେ ବର୍ଣ୍ଣନା କରାଯାଇଥିଲା। ଜନ୍ମଦାତା ତ ସେ ଥଲେ, ପିତା ସେ ଥିଲେ, ଦାଦା ଥିଲେ ସବୁକିଛି ସେ ହିଁ ଥିଲେ।’
‘ଇଣ୍ଡିଆ ଟୁଡେ’ର ରିପୋର୍ଟ ଅନୁଯାୟୀ, ଏହାକୁ ନେଇ ବିବାଦ ଦେଖାଦେଇଥିଲା ଏବଂ ପୁନେ ଓକିଲ ଅସୀମ ସରୋଦେ ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କୁ ଏକ ଆଇନଗତ ନୋଟିସ ପଠାଇ କ୍ଷମା ମାଗିବାକୁ କହିଥିଲେ। ଅସୀମ ସରୋଦେ କହିଛନ୍ତି ଯେ ଅଭିଜିତ୍ ଭଟ୍ଟାଚାର୍ଯ୍ୟ ତାଙ୍କ ବିବୃତ୍ତି ପାଇଁ ଏକ ଲିଖିତ କ୍ଷମା ପ୍ରାର୍ଥନା କରିବା ଉଚିତ୍। ଯଦି ଏପରି ନକରନ୍ତି ତେବେ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହେବ।