Latest Odisha News

ହ୍ୟୁମାନ ସାଗର ବିବାଦରେ ମନୋଜ ମିଶ୍ର ଟୁଇଷ୍ଟ

ଭୁବନେଶ୍ବର: ହ୍ୟୁମାନ ସାଗର ବିବାଦରେ ନୂଆ ଟୁଇଷ୍ଟ। ଜଗନ୍ନାଥ ଭଜନକୁ ପରିହାସ କରି ଗାଇବାକୁ ନେଇ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । ସୋସିଆଲ୍ ମିଡିଆରେ ବି ଉଭୟ କଣ୍ଠଶିଳ୍ପୀଙ୍କୁ ସମାଲୋଚନା କରିଛନ୍ତି ଲୋକେ । ଏପରିକି ସେମାନଙ୍କୁ ବୟକଟ୍ ଓ ଅନଫଲୋ କରିବାକୁ ବି ଆହ୍ବାନ ଦିଆଯାଇଥିଲା । ତେବେ ବିବାଦ ନିଆଁରେ ଘିଅ ଢାଳିଛନ୍ତି ଅଭିନେତା ମନୋଜ ମିଶ୍ର । ଯୋଡିଛନ୍ତି ଉପକୂଳ-ପଶ୍ଚିମ ଆଙ୍ଗଲ। ପଶ୍ଚିମ ଓଡିଶାକୁ ଜାଣିଶୁଣି ଟାର୍ଗେଟ୍ କରାଯାଉଥିବା ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ।

ବିବାଦରେ ପଶ୍ଚିମ ଓଡିଶା ଛୁଙ୍କ !

ଜଗନ୍ନାଥ ଭଜନକୁ ପରିହାସ କରି ଗାଇବାକୁ ନେଇ ବିବାଦ ଘେରକୁ ଆସିଥିଲେ ହ୍ୟୁମାନ ସାଗର ଓ ରୁକୁ ସୁନା । ତେବେ ବିବାଦରେ ପଶ୍ଚିମ ଓଡିଶା ଛୁଙ୍କ ଦେଇ ପୁଣି ତେଜିଛନ୍ତି ଅଭିନେତା ମନୋଜ ମିଶ୍ର । ପଶ୍ଚିମ ଓଡିଶାର ହୋଇଥିବାରୁ ଟାର୍ଗେଟ୍ କରାଯାଉଥିବା ନେଇ ସେ ପୋଷ୍ଟ କରିଛନ୍ତି । ପପୁ ପମପମ ଓ କୁନା ତ୍ରିପାଠୀଙ୍କର ଦୁଇଟି ଭିଡିଓ ପୋଷ୍ଟ କରିଛନ୍ତି ମନୋଜ । ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ ବହୁ ପରିଚିତ ଭଜନ ଶୈଳୀରେ ପପୁ ପମପମ ଏକ କମେଡି ଗୀତ ଗାଉଥିବା ଭିଡିଓ ରହିଛି । ସେହିପରି ଅନ୍ୟ କିଛି ନୂଆ ପୁରୁଣା ଭଜନ ବା ଭକ୍ତିଗୀତ ବି ଭିଡିଓରେ ରହିଛି। ମନୋଜ ଲେଖିଛନ୍ତି, ପପୁ ପମପମଙ୍କ ଭାଗ୍ୟ ଭଲ ସେ ପଶ୍ଚିମ ଓଡିଶାରେ ଜନ୍ମ ହୋଇନାହାନ୍ତି, ନହେଲେ ତାଙ୍କ ହାଲ୍ ବି ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କ ଭଳି ହୋଇଥାନ୍ତା।

ବଢାଇଲେ ଉପକୂଳ-ପଶ୍ଚିମ ବିବାଦ

କେବଳ ପପୁ ପମପମ ନୁହନ୍ତି, କୁନା ତ୍ରିପାଠୀଙ୍କର ଏକ ଭିଡିଓ ବି ପୋଷ୍ଟ କରିଛନ୍ତି ମନୋଜ ମିଶ୍ର । ସେଥିରେ ନିମାଇଁ ହରିଚନ୍ଦନଙ୍କ ଭଜନ ଶୈଳୀରେ କୁନା ତ୍ରିପାଠୀ ଏକ ଗୀତ ଗାଉଛନ୍ତି । ପ୍ରଯୋଜକ ଦୀପ୍ ସାମଲ ହ୍ୟୁମାନ ସାଗରଙ୍କୁ ବ୍ୟାନ୍ କରିଦେଲେ । ଦମ୍ ଅଛି ଯଦି କୁନା ତ୍ରିପାଠୀଙ୍କୁ ବ୍ୟାନ୍ କରିକି ଦେଖାଅ ବୋଲି ମନୋଜ ମିଶ୍ର ଚ୍ୟାଲେ୍ଜ ଦେଇଛନ୍ତି । ମନୋଜଙ୍କ ଏଭଳି ପୋଷ୍ଟକୁ କିଛି ସମର୍ଥନ କରିଥିବା ବେଳେ ଅନେକ ସମାଲୋଚନା କରିଛନ୍ତି । ଅଭିନେତା ମନୋଜ ମିଶ୍ର ଉପକୂଳ-ପଶ୍ଚିମ ବିବାଦ ବଢାଉଥିବା କିଛି ୟୁଜର ଅଭିଯୋଗ କରିଛନ୍ତି ।

କାହିଁକି ବିବାଦରେ ହ୍ୟୁମାନ ସାଗର?

ରଥଯାତ୍ରା ଚାଲିଥିବା ବେଳେ ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କର ଏକ ୨୬ସେକେଣ୍ଡ ଭିଡିଓ ଭାଇରାଲ୍ ହୋଇଥିଲା । ଏଥିରେ ଉଭୟ ଜଗନ୍ନାଥଙ୍କର ଏକ ଭଜନକୁ ପରିହାସ କରି ଗାଉଥିବା ଦେଖିବାକୁ ମିଳିଥିଲା। ଏନେଇ ଭୁବନେଶ୍ବର କ୍ୟାପିଟାଲ ଥାନାରେ ଉଭୟ କଣ୍ଠଶିଳ୍ପୀଙ୍କ ବିରୋଧରେ ଏତଲା ଦିଆଯାଇଥିଲା। ଲକ୍ଷ ଲକ୍ଷ ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଉଭୟ ହ୍ୟୁମାନ ଓ ରୁକୁ ଆଘାତ ଦେଇଥିବାରୁ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଥିଲା ।

ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବି ବିବାଦକୁ ନେଇ ଚର୍ଚ୍ଚା ହୋଇଥିଲା । ଏହାପରେ ଭିଡିଓ ଜାରି କରି କ୍ଷମା ମାଗିଥିଲେ ରୁକୁ ସୁନା । ଫଳରେ ବିବାଦ ଥଣ୍ଡା ପଡିଥିବା ବେଳେ ମନୋଜ ମିଶ୍ର ପଶ୍ଚିମ ଓଡିଶା ଭିକ୍ଟିମ କାର୍ଡ ଖେଳି ଏହାକୁ ଆହୁରି ତେଜିଛନ୍ତି। ପୂର୍ବରୁ ବି ଏଭଳି ବିବାଦରେ ଛନ୍ଦି ହୋଇଛନ୍ତି ମନୋଜ । ତେଣୁ ସୁଯୋଗ ପାଇବା ମାତ୍ରେ ସେ ଉପକୂଳ ଓ ପଶ୍ଚିମ ଓଡିଶା ପ୍ରସଙ୍ଗ ଉଠାଉଥିବା ଅଭିଯୋଗ ହୋଇଛି ।

Comments are closed.