Latest Odisha News

BREAKING NEWS

ସିନେକ୍ରିଟିକ୍‌ ପକ୍ଷରୁ ‘ସୀତା ବିବାହ ଦିବସ’

ଭୁବନେଶ୍ୱର: ମୌଳିକ କଥାବସ୍ତୁ ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରାଗଲେ ତାହାର ଦୀର୍ଘସ୍ଥାୟୀ ପ୍ରଭାବ ଅନୁଭୂତ ହେବା ସଙ୍ଗେସଙ୍ଗେ ଦର୍ଶକମାନଙ୍କ ଦ୍ୱାରା ତାହା ବିଶେଷ ଭାବରେ ଆଦୃତ ହୋଇପାରିବ । ଏ ଦିଗରେ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ଆଗଭର ହେବାକୁ ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନ୍ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ସୀତା ବିବାହ ଦିବସ’ ସମାରୋହରେ ଅତିଥି ଓ ବକ୍ତାମାନେ ଆହ୍ୱାନ ଦେଇଛନ୍ତି ।

୧୯୩୬ ଏପ୍ରିଲ୍ ୨୮ ତାରିଖରେ ପୁରୀର ଲକ୍ଷ୍ମୀଟକିଜ୍ ଠାରେ ଓଡ଼ିଆ ଚଳଚ୍ଚିତ୍ରର ଜନକ ମୋହନ ସୁନ୍ଦର ଦେବଗୋସ୍ୱାମୀଙ୍କ ଦ୍ୱାରା ନିର୍ମିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ ମୁକ୍ତିଲାଭ କରିଥିଲା । ଏହି ଦିବସକୁ ସ୍ମରଣ କରିବା ନିମନ୍ତେ ସିନେକ୍ରିଟିକ୍ ଆସୋସିଏସନ୍ ପକ୍ଷରୁ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ଥାନୀୟ ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ସୀତା ବିବାହ ଦିବସ ପାଳିତ ହୋଇଯାଇଛି ।

ଏଥିରେ ପ୍ରଯୋଜିକା ତଥା କାଦମ୍ବିନୀର ସମ୍ପାଦିକା ଡଃ ଇତି ସାମନ୍ତ ଓ ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଣବ ଦାସ ବରେଣ୍ୟ ଅତିଥି ରୂପେ ଯୋଗଦେଇ ସ୍ୱର୍ଗତ ଗୋସ୍ୱାମୀଙ୍କ ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସଂଗେସଂଗେ ଓଡ଼ିଆ ଚଳଚ୍ଚିତ୍ରର ପ୍ରସାର ନିମନ୍ତେ ପ୍ରତି ଜିଲ୍ଲାରେ ପ୍ରେକ୍ଷାଳୟ ସଂଖ୍ୟା ବୃଦ୍ଧି ଓ ଗୁଣାତ୍ମକ ମାନର ଚଳଚ୍ଚିତ୍ର ପ୍ରସ୍ତୁତ କରିବାକୁ ସରକାର ପ୍ରୋତ୍ସାହନ ଦେବାକୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିôବା ବେଳେ ସମ୍ପାଦକ ତଥା ବରିଷ୍ଠ ସିନେ ସମୀକ୍ଷକ ଦିଲ୍ଲୀପ ହାଲି ବିବରଣୀ ପ୍ରଦାନ କରିଥିଲେ ।

ଏହି ଅବସରରେ ଓଡ଼ିଆ ଚଳଚ୍ଚିତ୍ର ସାମ୍ବାଦିକତା କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରିଣ୍ଟ ଓ ବୈଦ୍ୟୁତିକ ଗଣମାଧ୍ୟମର ୧୪ଜଣ ପ୍ରମୁଖ ବ୍ୟକ୍ତିତ୍ୱଙ୍କୁ ସିନେକ୍ରିଟିକ୍ ସମ୍ମାନ ପ୍ରଦାନ କରାଯାଇଥିଲା । ସେମାନେ ହେଲେ – ଡଃ ମାଧବାନନ୍ଦ ବେହୁରା, କସ୍ତୁରୀ ରାୟ, ଅରୁନ୍ଧତୀ ମଲ୍ଲିକ, ସୁନୀଲ୍ ଲେଙ୍କା, ଶର୍ମିଷ୍ଠା ପାଣିଗ୍ରାହୀ, କବିତା ସ୍ୱାଇଁ, ସୁମନ୍ତ ସୁନ୍ଦରାୟ, ଶରତ ପାତ୍ର, କୈଳାସ ପାତ୍ର, ସ୍ୱାତୀ ଜେନା, ସରୋଜ ରଂଜନ ବେହେରା, ଅନୁରାଧା ବାରିକ, ମନୀଷା ଦାସ ଓ ଗୌରୀଶଙ୍କର ପଣ୍ଡା ।

ଏହି କାର୍ଯ୍ୟକ୍ରମରେ ବାଦ୍ୟଗୁରୁ ଅବନୀକାନ୍ତ ଦାସଙ୍କ ସଂଯୋଜନାରେ ଏକ ମନୋଜ୍ଞ ସଂଗୀତ ସନ୍ଧ୍ୟା ଆୟୋଜିତ ହୋଇଥିଲା । ଏଥିରେ ବିଚିତ୍ରାନନ୍ଦ ଦେଓ, ପ୍ରୀତିନନ୍ଦା ରାଉତରାୟ ଓ ପ୍ରତିଭା ପ୍ରଧାନ ପ୍ରମୁଖ ଓଡ଼ିଆ ଚଳଚ୍ଚିତ୍ରର ସଂଗୀତ ପରିବେଷଣ କରିଥିଲେ । ଅନୁଷ୍ଠାନ ପକ୍ଷରୁ ପ୍ରଯୋଜକ ଲୁଟୁ ମହାନ୍ତି ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସର୍ବଶ୍ରୀ ରବୀନ୍ଦ୍ର ବିଶ୍ୱାଳ, ଜ୍ଞାନରଂଜନ ପ୍ରିୟଦର୍ଶନ, ରବୀନ୍ଦ୍ରନାଥ ପଣ୍ଡା, ଅତୀଶ ରାଉତ, ପ୍ରଶାନ୍ତ ପାଇକରାୟ ଓ ଲୋକନାଥ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଉଦ୍‌ଘୋଷକ ଡଃ ମିଲନ ଘଟୁଆରୀ ଉତ୍ସବକୁ ସଂଯୋଜନା କରିଥିଲେ ।

‘ସୀତା ବିବାହ ଦିବସ’ ପାଳନ ଅବସରରେ ଆଜି ପୂର୍ବାହ୍ନରେ ସିନେକ୍ରିଟିକ୍ ଆସୋସିଏସନନ୍ ପକ୍ଷରୁ ଉତ୍କଳ ମଣ୍ଡପ ପରିସରରେ ସ୍ଥାପିତ ଓଡ଼ିଆ ଚଳଚ୍ଚିତ୍ରର ଜନକ ମୋହନ ସୁନ୍ଦର ଦେବଗୋସ୍ୱାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏଥିରେ ଅନୁଷ୍ଠାନ ପକ୍ଷରୁ ସର୍ବଶ୍ରୀ ପ୍ରଦୋଷ ପଟ୍ଟନାୟକ, ଦିଲ୍ଲୀପ ହାଲି, ଲୁଟୁ ମହାନ୍ତି, ଜ୍ଞାନ ରଂଜନ ପ୍ରିୟଦର୍ଶନ ଓ ରବୀନ୍ଦ୍ରନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave A Reply

Your email address will not be published.