Latest Odisha News

ଶ୍ରୀମନ୍ଦିର ଅଧିକାରୀଙ୍କ ପାଇଁ ୫ ସୂତ୍ରୀ କାର୍ଯ୍ୟାବଳୀ ଜାରି

ପୁରୀ: ଶ୍ରୀମନ୍ଦିର ଅଧିକାରୀ/କର୍ମଚାରୀଙ୍କ ପାଇଁ ୫ ସୂତ୍ରୀ କାର୍ଯ୍ୟାବଳୀ ଜାରି । ୫ ସୂତ୍ରୀ କାର୍ଯ୍ୟାବଳୀ ଅନୁପାଳନ ପାଇଁ ମୁଖ୍ୟ ପ୍ରଶାସକଙ୍କ ପରାମର୍ଶ । ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଡ୍ୟୁଟି ସମୟରେ ଗୁଟ୍‌ଖା, ପାନ, ମାଦକ ଦ୍ରବ୍ୟ ସେବନ କରିବେନି କୌଣସି ଶ୍ରୀମନ୍ଦିର ଅଧିକାରୀ/କର୍ମଚାରୀ ।

ଏଥିସହ ଜାନୁଆରି ୩୧ ତାରିଖ ସୁଦ୍ଧା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କ ସମ୍ପତ୍ତ ତାଲିକା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦାଖଲ ନ କଲେ ଇନ୍‌କ୍ରିମେଣ୍ଟ, ପଦୋନ୍ନତି, ପ୍ରୋତ୍ସାହନ ରାଶି ମିଳିବନି ବୋଲି ସିଧାସଳଖ କହିଛନ୍ତି ମୁଖ୍ୟ ପ୍ରଶାସକ । ସେହିପରି ପ୍ରତି ମାସ ତୃତୀୟ ଶୁକ୍ରବାରରେ ବରିଷ୍ଠ ଅଧିକାରୀଙ୍କ ସ୍ତରରେ କାର୍ଯ୍ୟ ସମୀକ୍ଷା କରାଯିବ ଏବଂ ପ୍ରତ୍ୟେକ ଶୁକ୍ରବାର ସମସ୍ତେ ହସ୍ତତନ୍ତ ଲୁଗା ପିନ୍ଧି କାର୍ଯ୍ୟାଳୟ ଆସିବେ । ତେବେ ୟୁନିଫର୍ମ ପୋଷାକଧାରୀଙ୍କ ପାଇଁ ଏହା ଲାଗୁ ହେବ ନାହିଁ । ସେହିପରି ଡ୍ୟୁଟି ସମୟରେ ମୋବାଇଲ୍ ବ୍ୟବହାର ଉପରେ ମଧ୍ୟ କଟକଣା ରହିବ କହିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

ଗତକାଲି ଶ୍ରୀମନ୍ଦିର ପ୍ରଶାସନର ବିଭିନ୍ନ କାର୍ଯ୍ୟର ସମୀକ୍ଷା ଅବସରରେ ମୁଖ୍ୟ ପ୍ରଶାସକ ଡ. ପାଢ଼ୀ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥିସହ ଏହାକୁ ଅନୁପାଳନ ପାଇଁ ପରାମର୍ଶ ଦେଇଛନ୍ତି ଡ. ପାଢ଼ୀ । ଶ୍ରୀମନ୍ଦିର ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବାକୁ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଥିବା ଡ. ପାଢ଼ୀ କହିଛନ୍ତି।

 

Comments are closed.