Latest Odisha News

କମ୍ପାନୀର ଅଜବ ନିୟମ: ଠିକ ଭାବେ କାମ ନ କଲେ ସହକର୍ମୀ ମାରିବେ ଚାପୁଡ଼ା

ହଂକଂ : କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବା ଓ ସେମାନଙ୍କୁ ଉତ୍ସାହିତ କରିବା ପାଇଁ କମ୍ପାନୀ ରଖିଛି ଅଜବ ନିୟମ । ନିୟମଟି ହେଲା ଯଦି ଅଫିସରେ କୌଣସି କର୍ମଚାରୀ କାମ ଠିକ୍ ଭାବେ ନ କରନ୍ତି ତେବେ ତାଙ୍କୁ ଅନ୍ୟ କର୍ମଚାରୀ ଚାପୁଡ଼ା ମାରିବେ । ତାହା ପୁଣି ଜନଗହଳିପୂର୍ଣ୍ଣ ସମାବେଶରେ । ହଂକଂରେ ଥିବା ଏହି କମ୍ପାନୀର ଅଜବ ନିୟମକୁ ସମଗ୍ର ବିଶ୍ୱରେ ସମାଲୋଚନା କରାଯାଉଛି ।

ଏହି ଘଟଣା ହଂକଂର ଏକ ବୀମା କମ୍ପାନୀରୁ ଆସିଛି । ଏହି କମ୍ପାନୀର କର୍ମଚାରୀମାନେ ଫେସବୁକରେ ଏହି ନିୟମ ବିଷୟରେ ସେୟାର କରିବା ପରେ ଘଟଣା ସାମ୍ନାକୁ ଆସିଛି । କର୍ମଚାରୀମାନେ କହିଛନ୍ତି ଯେ, କମ୍ପାନୀର ବାର୍ଷିକ ଉତ୍ସବ ପାଳନ କରାଯାଉଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଚାଲିଥିବା ବେଳେ ବୀମା କମ୍ପାନୀର ବସ୍ ହଠାତ୍ ମଞ୍ଚକୁ ଯାଇ ଠିକ୍ ଭାବେ କାମ କରୁ ନ ଥିବା କିଛି କର୍ମଚାରୀଙ୍କୁ ଡାକିଥିଲେ । କର୍ମଚାରୀମାନେ ମଞ୍ଚକୁ ଯିବାରୁ ପରସ୍ପର ପରସ୍ପରଙ୍କ ଗାଲରେ ଚାପୁଡ଼ା ମାର ବୋଲି କହିଥିଲେ । ଏହା ଶୁଣି ଉପସ୍ଥିତ ଥବା ସମସ୍ତ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହା ଅଫିସର ନିୟମ । ତେଣୁ ଏହାକୁ ସମସ୍ତେ ମାନିବା ଦରକାର । ବସ୍‌ଙ୍କ କଥାକୁ ଅବମାନନା ନ କରି କର୍ମଚାରୀମାନେ ପରସ୍ପରଙ୍କୁ ଚାପୁଡ଼ା ମାରିଥିଲେ । କିନ୍ତୁ କର୍ମଚାରୀମାନେ ଏହି ଆଚରଣକୁ ଅପମାନଜନକ କହି ସୋସିଆଲ ମିଡିଆରେ ସେୟାର କରିଥିଲେ । ସବୁଠୁ ଆଶ୍ଚର୍ଯ୍ୟର କଥା, ଏହି ଘଟଣା ପରେ ଅନେକ କର୍ମଚାରୀ ଇସ୍ତଫା ଦେଇଛନ୍ତି । ଅନ୍ୟପକ୍ଷେ କର୍ମଚାରୀଙ୍କୁ ଉତ୍ସାହିତ କରିବା ଓ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବା ପାଇଁ ଏହା କରାଯାଇଛି ବୋଲି କମ୍ପାନୀ ପକ୍ଷ ରଖିଛି ।

ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତୁରନ୍ତ ଏହି କମ୍ପାନୀକୁ ବନ୍ଦ କରାଯିବା ଉଚିତ ଓ ସମସ୍ତ କର୍ମଚାରୀ ଇସ୍ତଫା ଦିଅନ୍ତୁ ବୋଲି ଅନେକ ମତ ରଖିଛନ୍ତି ।

Leave A Reply

Your email address will not be published.