ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଟିମ୍ର ଷ୍ଟାର୍ ବ୍ୟାଟର ଏବଂ ଉପ-ଅଧିନାୟିକା ସ୍ମୃତି ମାନ୍ଧାନା ନିଜ ଜୀବନର କଠିନ ସମୟ ଓ ବ୍ୟକ୍ତିଗତ ସ୍ୱଭାବକୁ ନେଇ ଏକ ସାକ୍ଷାତକାରରେ କହିଛନ୍ତି । ଜୀବନର ସବୁଠାରୁ କଷ୍ଟକର ରାତି ବିଷୟରେ ପଚରାଯିବାରୁ ସେ ବ୍ୟକ୍ତିଗତ ଜୀବନ ଅପେକ୍ଷା କ୍ରିକେଟ୍ ଉପରେ ହିଁ କଥା ହେବାକୁ ପସନ୍ଦ କରିଥିଲେ । ସେ କହିଥିଲେ ଯେ କୌଣସି ୱାର୍ଲ୍ଡ କପ୍ ପରାଜୟର ରାତି ଏବଂ କୋଭିଡ-୧୯ ସମୟ ତାଙ୍କ ଜୀବନର ଅତି କଠିନ ଦୌର ଥିଲା ।
ବ୍ୟକ୍ତିଗତ ସମ୍ପର୍କ (ପଲାଶ ମୁଚ୍ଛାଲଙ୍କ ସହ ବିବାହ ଭାଙ୍ଗିବା ଖବର) ବିଷୟରେ କିଛି ନ କହି ସେ ନିଜର ବ୍ୟକ୍ତିଗତ ଓ ପ୍ରଫେସନାଲ ଜୀବନ ମଧ୍ୟରେ ସ୍ପଷ୍ଟ ସୀମାରେଖା ରଖିଛନ୍ତି ଏବଂ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ କେବଳ ଖେଳ ଉପରେ ହିଁ ରହିଛି । ସେ କହିଛନ୍ତି ଯେ ବାହାରୁ ଶାନ୍ତ ଦେଖାଯାଉଥିଲେ ମଧ୍ୟ ତାଙ୍କ ଭିତରେ ଯଥେଷ୍ଟ ଅଭିମାନ ଓ ରାଗ ଅଛି, କିନ୍ତୁ ସେ କାହା ଉପରୁ ବଦଲା ନେବାରେ ବିଶ୍ୱାସ କରନ୍ତି ନାହିଁ କିମ୍ବା କାହାଠାରୁ ସହାନୁଭୂତି ଚାହାଁନ୍ତି ନାହିଁ । ଅନ୍ୟମାନଙ୍କୁ କ୍ଷମା କରିବା ପ୍ରଶ୍ନରେ ମାନ୍ଧାନା କହିଛନ୍ତି ଯେ, ମୁଁ କ୍ଷମା କରିଦେଇପାରେ, କିନ୍ତୁ ଘଟିଥିବା ଘଟଣାକୁ କେବେ ଭୁଲେ ନାହିଁ ।

