Latest Odisha News

ଆମେରିକା ପରେ ଜାପାନରେ ବରଫ ଝଡ଼, ୧୭ ମୃତ

ଟୋକିଓ: ଆମେରିକା ପରେ ଜାପାନରେ ପ୍ରବଳ ବରଫପାତ ଜନଜୀବନକୁ ପ୍ରଭାବିତ କରିଛି । ଭୀଷଣ ବରଫପାତରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ୯୩ ଜଣ ଆହତ ହୋଇଥିବା ଜଣାଯାଇଛି । ବରଫପାତ ଯୋଗୁ ସାଧାରଣ ଜୀବନଯାତ୍ରା ବି ବ୍ୟାହତ ହୋଇଛି । ୨୦ ହଜାର ଲୋକଙ୍କ ଘରେ ବିଜୁଳ ସରବରାହ ବ୍ୟାହତ ହୋଇଛି ।

ସ୍ଥାନୀୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ଅଧିକାରୀ  ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଉତ୍ତର ଜାପାନରେ ବରଫପାତ ଲାଗି ରହିଛି । ଅଧିକାଂଶ ଅଞ୍ଚଳର ରାସ୍ତା ବରଫ ଆବୃତ୍ତ ରହିଛି । ଫଳରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି । ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଶନିବାର ୧୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ସୋମବାର ଏହା ୧୭ ହୋଇଛି । ଅଧିକାଂଶ ଲୋକଙ୍କର ମୃତ୍ୟୁ ଛାତରୁ ବରଫ ସଫା କରିବା ସମୟରେ ଘଟୁଛି । ବରଫ କାଢିବା ବେଳେ ସାବଧାନତା ଅବଲମ୍ବନ କରିବାକୁ ଲୋକଙ୍କୁ ସଚେତନ କରାଯାଉଛି ।

ବରଫପାତକୁ ଦୃଷ୍ଟିରେ ରଖି ଅନେକ ବିମାନ ଓ ଟ୍ରେନକୁ ବାତିଲ କରାଯାଇଛି । ଅନ୍ୟପକ୍ଷେ ଆମେରିକାରେ ବରଫପାତ କମିନାହିଁ । ବରଫଝଡରେ ବିଭିନ୍ନ ସ୍ଥାନରେ ପ୍ରାୟ ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଅଧିକାଂଶ ସ୍ଥାନରେ ଥଣ୍ଡା, ବରଫପାତ ସାଙ୍ଗକୁ ପବନର ବେଗ ବିସ ବୃଦ୍ଧି ପାଇଛି । ବିଦ୍ୟୁତ ସଂଯୋଗ ବ୍ୟାହତ ହୋଇଛି । ବରଫ ଝଡ଼ ଯୋଗୁ ପ୍ରାୟ ୧୪ ହଜାର ଲୋକ ପ୍ରଭାବିତ ହୋଇଛନ୍ତି ।୫,୨୦୦ ବିମାନକୁ ବାତିଲ କରାଯିବା ଫଳରେ ପର୍ଯ୍ୟଟକ ହତାଶ ହୋଇଛନ୍ତି । ନ୍ୟୁୟର୍କ ସମେତ ଅନେକ ସହରର ତାପମାତ୍ରା ମାଇନସ ୪୫ ଡିଗ୍ରୀ ରହିଛି ।

Comments are closed.