Latest Odisha News

BREAKING NEWS

ଟିପିଏସ୍ଓଡିଏଲ୍ କର୍ମଚାରୀଙ୍କ ସୌର ଶକ୍ତି ଓ ସୁରକ୍ଷା ସଚେତନତା ଯାତ୍ରା

ବ୍ରହ୍ମପୁର: ସୌର ଶକ୍ତିକୁ ଆପଣେଇବା ଏବଂ ବୈଦ୍ୟୁତିକ ସୁରକ୍ଷା ନିୟମକୁ ପାଳନ କରିବାର ବାର୍ତ୍ତା ନେଇ ଦୀର୍ଘ ୬୩୯ କିମି ପଥ ଅତିକ୍ରମ କରି ନିଜର ସଚେତନତା ଯାତ୍ରା ଶେଷ କରିଛନ୍ତି ସୌମ୍ୟ ରଞ୍ଜନ ଲେଙ୍କା । ଟିପିଏସ୍ଓଡିଏଲର ପ୍ରୋଜେକ୍ଟ ବିଭାଗରେ ଟିମ୍ ଲିଡ୍ ଭାବରେ କାର୍ଯ୍ୟରତ ଅଛନ୍ତି ଲେଙ୍କା । କର୍ମମୟ ଜୀବନ ବ୍ୟତୀତ ସେ ହେଉଛନ୍ତି ଜଣେ ପରିବେଶ ପ୍ରେମୀ । ପରିବେଶର ସୁରକ୍ଷା ପାଇଁ ସେ ସଦା ତତ୍ପର ଏବଂ ବିଭିନ୍ନ ସ୍ତରରେ ଭିନ୍ନ ଉପାୟରେ ସାଧାରଣ ଲୋକଙ୍କୁ ସଚେତନ କରିଥାଆନ୍ତି ।

ଏହି କ୍ରମରେ ଅକ୍ଟୋବର ୧୫ତାରିଖରେ ସୌମ୍ୟ ରଞ୍ଜନ ଲେଙ୍କା ଆରମ୍ଭ କରିଥିଲେ ସାଇକେଲ ଯୋଗେ ସଚେତନତା ଯାତ୍ରା। କୋରାପୁଟ ଜିଲ୍ଲାର ଜୟପୁରଠାରୁ ଆରମ୍ଭ କରିଥିବା ଏହି ଯାତ୍ରା ନବରଙ୍ଗପୁର, ଭବାନୀପାଟଣା, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ, ଭଞ୍ଜନଗର, ଆସିକା ଦେଇ ବ୍ରହ୍ମପୁରରେ ଦୀର୍ଘ ସାତ ଦିନ ପରେ ତଥା ୨୨ ଅକ୍ଟୋବରରେ ଶେଷ ହୋଇଥିଲା। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାରେ ସାମିଲ ହୋଇ ସୌର ଶକ୍ତିକୁ ଆପଣେଇବା ଏବଂ ବିଦ୍ୟୁତ ସୁରକ୍ଷା ନିୟମ ମାନିବା ସହିତ ଏଥିପ୍ରତି ଲୋକଙ୍କୁ ସଚେତନ କରାଇବା ଥିଲା ତାଙ୍କର ମୂଳ ଲକ୍ଷ୍ୟ।

ଏ ସମ୍ପର୍କରେ ଲେଙ୍କା କୁହନ୍ତି “ଆମର ଗୋଟିଏ ପୃଥିବୀ, ଗୋଟିଏ ସୂର୍ଯ୍ୟ ଏବଂ ଗୋଟିଏ ଗ୍ରୀଡ, ହେଲେ ଯାଇ ଆମେ ପରବର୍ତ୍ତୀ ପିଢିକୁ ଏକ ସବୁଜ ଓ ସୁନ୍ଦର ପୃଥିବୀ ଏବଂ ପରିବେଶ ଉପହାର ଦେଇ ପାରିବା । ଏଥିପାଇଁ ଆମକୁ ସବୁଜ ଏବଂ ସ୍ୱଚ୍ଛ ଶକ୍ତିର ବ୍ୟବହାର କରିବାକୁ ହେବ । କେବଳ ସେତିକି ନୁହେଁ ବୈଦ୍ୟୁତିକ ଉପକରଣ ବ୍ୟବହାର କରିବାବେଳେ ସର୍ବଦା ବିଦ୍ୟୁତ ସୁରକ୍ଷା ନିୟମ ମାନିବାକୁ ହେବ । ଆଗାମୀ ଦିନରେ ମୋର ଏହି ସଚେତନତା ଯାତ୍ରା ସାରା ଓଡ଼ିଶାରେ ପହଞ୍ଚିବ ବୋଲି ମୁଁ ଲକ୍ଷ୍ୟ ରଖିଛି।”

ନିଜର ସଚେତନତା ଯାତ୍ରା ସମୟରେ ବହୁ ଲୋକ ଏବଂ ବିଭିନ୍ନ ସ୍କୁଲରେ ପହଞ୍ଚି ପିଲାମାନଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି ସୌମ୍ୟ ରଞ୍ଜନ ଲେଙ୍କା। ଏଥିସହିତ ମାଇକ ଯୋଗେ ସଚେତନତା ସ୍ଲୋଗାନ୍ ଏବଂ ନିଜେ ରଚନା କରିଥିବା ସୁରକ୍ଷା ସମ୍ବନ୍ଧୀୟ ଗୀତ ଗାଇ ଲୋକଙ୍କ ଭିତରେ ସଚେତନତା ସୃଷ୍ଚି କରିଛନ୍ତି । ବ୍ରହ୍ମପୁରରେ ଶେଷ ହୋଇଥିବା ଏହି ଯାତ୍ରା ଅବସରରେ ଲେଙ୍କା ଏକ ଦସ୍ତଖତ ଅଭିଯାନ ମଧ୍ୟ ଆରମ୍ଭ କରିଥିଲେ । ଏଥିରେ ବାଟରେ ସେ ଭେଟିଥିବା ବହୁ ଲୋକ, ଛାତ୍ରୀଛାତ୍ରଙ୍କ ଦସ୍ତଖତ ଗ୍ରହଣ କରିଛନ୍ତି ।

ଏ ସମ୍ପର୍କରେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି “ଟିପିଏସ୍ଓଡିଏଲ୍ ସମଗ୍ର ଦକ୍ଷିଣ ଓଡ଼ିଶାରେ ସୌର ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରି ଆସୁଛି । ସୌମ୍ୟ ରଞ୍ଜନ ଲେଙ୍କା କେବଳ କର୍ମଚାରୀ ହିସାବରେ ନୁହେଁ ବରଂ ତାଙ୍କର ଏହି ଅଭିନବ ପ୍ରୟାସ ଜଣେ ସଚେତନ ନାଗରିକର ପରିବେଶ ପ୍ରତି ଥିବା କର୍ତ୍ତବ୍ୟକୁ ଦର୍ଶାଇଥାଏ । ସୌର ଶକ୍ତିର ବ୍ୟବହାର ଏବଂ ଉପଭୋକ୍ତାଙ୍କ ସୁରକ୍ଷା ପ୍ରତି ଟିପିଏସ୍ଓଡିଏଲ୍ ସଦା ପ୍ରତିବଦ୍ଧ।”

Comments are closed.